ନୂଆଦିଲ୍ଲୀ: ଶେଷରେ ପୋଲିସ ହେପାଜତରୁ ମୁକୁଳିଲେ କକରୋଚ ଜନତା ପାର୍ଟି(CJP)ର ରାଷ୍ଟ୍ରୀୟ ସଂଯୋଜକ ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ଦାସ। ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବିରେ ଶନିବାର ସିଜେପି ଆନ୍ଦୋଳନ ପାଇଁ ଦିଲ୍ଲୀ ପହଞ୍ଚିବା ମାତ୍ରେ ତିନି ଜଣଙ୍କୁ ବିମାନ ବନ୍ଦର ଭିତରକୁ ହିଁ ପୋଲିସ ଉଠାଇ ନେଇଥିଲା। ରବିବାର କାର୍ଯ୍ୟକାରୀ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର ପରେ ରବିବାର ତିନି ଜଣଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବା ସର୍ତ୍ତରେ ମୁକ୍ତ କରାଯାଇଛି। ଦିଲ୍ଲୀ ପୋଲିସ କହିଛି ଯେ, ତିନି ଜଣଙ୍କୁ ପ୍ରିଭେଣ୍ଟିଭ ଆରେଷ୍ଟରେ ରଖା ଯାଇଥିଲା। ଏହାର ଅର୍ଥ ହେଉଛି ଏହା କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଅପରାଧ ଘଟିବା ଆଶଙ୍କାରେ ହେପାଜତରେ ରଖାଯାଇଥିଲା। ଅଭିଜିତ, ଆଶୁତୋଷ ଏବଂ ସୌରଭଙ୍କ ବିରୋଧରେ କୌଣସି ଏଫଆଇଆର ରୁଜୁ କରାଯାଇ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି

ସିଜେପିର ଏହି ତିନି ପ୍ରମୁଖ ନେତା ପୋଲିସ ହେପାଜତରେ ଥିବା ସମୟରେ ପ୍ରଦର୍ଶନର ମୋର୍ଚ୍ଚା ସମ୍ଭାଳିଥିଲେ ଆଜିଙ୍କ୍ୟ ସିନ୍ଦେ। ସେ ଦାବି କରିଛନ୍ତି ଯେ, ଛାତ୍ର, ନାଗରିକ ସମାଜର ସଦସ୍ୟ ଏବଂ ରାଜନୈତିକ ବ୍ୟକ୍ତି ବିଶେଷ ସମେତ ୧୫ ହଜାରରୁ ଅଧିକ ଲୋକଙ୍କୁ ପୋଲିସ ଅଟକ ରଖିଛି। ଏପରିକି ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିନ୍ଦେ ସିଜେପି ସଂସ୍ଥାପକ ଅଭିଜିତ ଦୀପକେ, ସହ ସଂଯୋଜକ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ଅଟକକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଅଟକ ରଖାଯିବାର ୧୨ ଘଣ୍ଟା ପରେ ମଧ୍ୟ ତିନି ଜଣଙ୍କ ବିଷୟରେ କୌଣସି ସୂଚନା ଦିଆଯାଇ ନ ଥିଲା।

Also Read: ଦେଶ ସେବାରେ SC; ବିଚାରପତି କହିଲେ- ପୋଲିସ ପାଖରେ ଆଇନ ବ୍ୟବସ୍ଥାକୁ ନେଇ ନାହିଁ ସ୍ଵତନ୍ତ୍ର ଅଧିକାର

ତେବେ ଆଜି ପୋଲିସ ତିନି ଜଣଙ୍କୁ ଦକ୍ଷିଣ ଦିଲ୍ଲୀର ସ୍ଵତନ୍ତ୍ର ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରିଥିଲା। ଆଉ ତିନି ଜଣଙ୍କୁ ଏକ ବଡ଼ ସର୍ତ୍ତ ଆଧାରରେ ମୁକ୍ତ କରାଯାଇଛି। ସର୍ତ୍ତ ହେଉଛି ଆଗାମୀ ଗୋଟିଏ ବର୍ଷ ଯାଏ ଶାନ୍ତି ଶୃଙ୍ଖଳା ବଜାୟ ରଖିବେ। ତିନି ନେତା ମୁକୁଳିବା ପରେ ଅପରାହ୍ଣ ୪ଟାରେ ସିଜେପିର ସାମ୍ବାଦିକ ସମ୍ମିଳନୀ ଥିବା ପାର୍ଟି ପକ୍ଷରୁ କୁହାଯାଇଛି। ସିଜେପି ସ୍ପଷ୍ଟ କରିଛି ଯେ, ଜ୍ଞାନେଶ କୁମାର ପଦରୁ ଇସ୍ତଫା ନ ଦେବା ଯାଏ ସେମାନଙ୍କ ଅଭିଯାନ ଜାରି ରହିବ।

ମୁମ୍ବାଇରେ ମଧ୍ୟ ପ୍ରଦର୍ଶନ ଘୋଷଣା

କକରୋଚ ଜନତା ପାର୍ଟି ରବିବାର ମୁମ୍ବାଇରେ ମଧ୍ୟ ବିରୋଧ ପ୍ରଦର୍ଶନର ଘୋଷଣା କରିଛି। ଆଜିଙ୍କ୍ୟ ସିନ୍ଦେ କହିଛନ୍ତି, ଏବେ ଏକଛତ୍ରବାଦୀଙ୍କ ବିରୋଧରେ କେବଳ ଦିଲ୍ଲୀ କି ମୁମ୍ବାଇ ନୁହେଁ ସମଗ୍ର ଦେଶରେ ଆନ୍ଦୋଳନ ଆରମ୍ଭ ହୋଇ ଯାଇଛି। ମୁମ୍ବାଇରେ ଶିବାଜୀ ପାର୍କର ଟି ଜଙ୍କସନରେ ଆଜି ଅପରାହ୍ଣ ୪ଟାରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ ପ୍ରଦର୍ଶନ କରାଯିବ। ଏହା ପରେ ଭିନ୍ନ ଭିନ୍ନ ସହରରେ ଏହି ଅଭିଯାନକୁ ଆଗକୁ ବଢାଯିବ।