ନୂଆଦିଲ୍ଲୀ: ନିଟ୍ ପେପର ଲିକକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ଜୁଲାଇ ୨୦ରେ ହୋଇଥିବା ଆନ୍ଦୋଳନ ଏବଂ ଘଟି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବଳପ୍ରୟୋଗ ଓ ଦୁର୍ବ୍ୟବହାର ଅଭିଯୋଗକୁ ନେଇ ଆଗତ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଆବେଦନକାରୀ ଆଇନଜୀବୀଙ୍କୁ କୋର୍ଟଙ୍କ ସମୟ ନଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି।
ପୋଲିସର ଲାଠି ଚାର୍ଜ ଓ ନିର୍ଯାତନା ଭିଡିଓ ଭାଇରାଲ୍ ହେବା ପରେ ଏହାର ସ୍ୱତଃପ୍ରବୃତ୍ତ ପଚାରି ବୁଝିବା ସହ ସ୍ଵତନ୍ତ୍ର ବିଚାର ବିଭାଗୀୟ ତଦନ୍ତ ଓ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ପାଇଁ କୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାୟର ହୋଇଥିଲା। ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ପୀଠ କହିଛନ୍ତି, ନିଜର ଏବଂ ଆମର ସମୟ ନଷ୍ଟ କରନ୍ତୁ ନାହିଁ। ଆମେ କୌଣସି ଭିଡିଓ ଦେଖିବାକୁ ଚାହୁଁନାହୁଁ।
ସୂଚନାଯୋଗ୍ୟ, ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା ଓ ବିଦ୍ୟାର୍ଥୀଙ୍କ ନିରବଚ୍ଛିନ୍ନ ଦାବିକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି। 'କୋକ୍ରୋଚ୍ ଜନତା ପାର୍ଟି' (CJP) ଓ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏହି ପ୍ରତିବାଦ କରାଯାଉଛି। ତେବେ ଗତ କିଛି ଦିନ ହେବ ପୋଲିସ୍ ଏହି ଆନ୍ଦୋଳନକୁ ହଟାଇବା ପାଇଁ ବଳପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା।
ଅନ୍ୟପଟେ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ତୁରନ୍ତ ଶୁଣାଣି ପାଇଁ ମନା କରିଦେଇଥିବା ବେଳେ, ଅନ୍ୟପଟେ ଉତ୍ତରାଖଣ୍ଡ ହାଇକୋର୍ଟ କିନ୍ତୁ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିବା ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି। ଗଣତନ୍ତ୍ରରେ ଜାତୀୟ ସୁରକ୍ଷା କିମ୍ବା ସରକାରଙ୍କ ସୁନାମ ଦର୍ଶାଇ ସାଧାରଣ ନାଗରିକଙ୍କୁ ହଇରାଣ କରାଯାଇପାରିବ ନାହିଁ ବୋଲି ଉତ୍ତରାଖଣ୍ଡ ହାଇକୋର୍ଟ ପ୍ରକାଶ କରିଛନ୍ତି।
