ନୂଆଦିଲ୍ଲୀ ୨୩।୦୫; ଚୀନ୍‌ରୁ ଏବେ ବଡ ଅଘଟଣ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଉତ୍ତର ପ୍ରଦେଶ ଶାଂକ୍ସିରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁଁ ୮୦ ଅଧିକ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଉଛି । ଏବେ ବି ଖଣିରେ ୯ ଜଣ ଶ୍ରମିକ ନିଖୋଜ ଥିବା ବେଳେ ଅନେକ ଫସି ରହିଛନ୍ତି ବୋଲି ଜଣାପଡିଛି। ରାଷ୍ଟ୍ରପତି ସି ଜିନପିଙ୍ଗ ଘଟଣାସ୍ଥଳରେ ଶୀଘ୍ର ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ଦୁର୍ଘଟଣାର କାରଣ ତଦନ୍ତ ଓ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଚୀନ୍‌ର ସରକାରୀ ଖବର ସଂସ୍ଥା ଅନୁଯାୟୀ, ଏହି ଅଞ୍ଚଳ ରାଜଧାନୀ ବେଜିଂରୁ ପ୍ରାୟ ୫୨୦ କିଲୋମିଟର ଦୂରରେ ଅବସ୍ଥିତ। ଶୁକ୍ରବାର ସନ୍ଧ୍ୟାରେ ଚାଙ୍ଗଝି ସହରର ଲିଉସେନ୍ୟୁ କୋଇଲା ଖଣିରେ ଏହି ଦୁର୍ଘଟଣା ଘଟିଛି।ଦୁର୍ଘଟଣା ପୂର୍ବରୁ ଖଣି ଭିତରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ସ୍ତର ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଥିଲା। ଏହାର କିଛି ସମୟ ପରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଖଣି ଶ୍ରମିକ ନିଖୋଜ ଅଛନ୍ତି। ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।  

ସେପଟେ ଆହତଙ୍କ ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ବ୍ୟତୀତ ଦୁର୍ଘଟଣାର କାରଣଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆଇନ ଅନୁଯାୟୀ କଠୋର ଦାୟିତ୍ୱ ଲାଗୁ କରିବାକୁ କହିଛନ୍ତି। କୁହାଯାଉଛି କି ଦୁର୍ଘଟଣା ସମୟରେ ୨୪୭ ଜଣ ଖଣି ଶ୍ରମିକ ଖଣି ଭିତରେ କାମ କରୁଥିଲେ।

ଶାଂକ୍ସି ସବୁଠୁ ବଡ କୋଇଲା ଖଣି

ଶାଂକ୍ସି ହେଉଛି ଚୀନ୍‌ର ସର୍ବବୃହତ କୋଇଲା ଉତ୍ପାଦନକାରୀ ପ୍ରଦେଶ। ହେଲେ ଚୀନ୍‌ ଗତ କିଛି ବର୍ଷ ମଧ୍ୟରେ ଖଣି ସୁରକ୍ଷା ମାନଦଣ୍ଡରେ ଉନ୍ନତି ଆଣିଛି ବୋଲି ଦାବି କରିଛି। ଏହି ପ୍ରୟାସ ସତ୍ତ୍ୱେ ଦୁର୍ଘଟଣା ଘଟୁଛି। ଫେବୃଆରୀ ୨୦୨୩ରେ, ଆଭ୍ୟନ୍ତରୀଣ ମଙ୍ଗୋଲିଆର ଏକ କୋଇଲା ଖଣିରେ ଭୂସ୍ଖଳନ ଘଟି ୫୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ, ଗତ ମାସରେ, ଶାଂକ୍ସିର ଲୁଲିଆଙ୍ଗ ଅଞ୍ଚଳରେ ଏକ ଖଣି ଦୁର୍ଘଟଣାରେ ଚାରି ଜଣଙ୍କର ଜୀବନ ଯାଇଥିଲା।