ନୂଆଦିଲ୍ଲୀ: ୧୮ ବର୍ଷରୁ କମ୍ ବୟସର କିମ୍ବା ୨୦୦୮ ପରେ ଜନ୍ମ ହୋଇଥିବା ପିଲାଙ୍କୁ ମିଳିବନି ସିଗାରେଟ୍। ବ୍ରିଟିଶ ସଂସଦରେ ପାସ୍ ହୋଇଛି ଏଭଳି ଏକ ବିଲ୍ । ଯେଉଁଥିରେ ୨୦୦୮ ଡିସେମ୍ବର ୩୧ ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ସିଗାରେଟ୍ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାର ବ୍ୟବସ୍ଥା ଅଛି। 'ଟୋବାକୋ ଆଣ୍ଡ୍ ଭେପ୍ସ ବିଲ୍'କୁ ସମର୍ଥନ କରି ଦଶନ୍ଧି ଧରି ଅଭିଯାନ ଜାରି ରଖିଥିବା ସଂସ୍ଥା ଆକ୍ସ ଅନ୍ ସ୍ମୋକିଂ ଆଣ୍ଡ୍ ହେଲଥ’ର ମୁଖ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ହେଜେଲ୍ ଚିଜମେନ କହିଛନ୍ତି, ଧୂମ୍ରପାନ ଏବଂ ଏହାଦ୍ବାରା ହେଉଥିବା ବିନାଶକାରୀ କ୍ଷତିର ଏବେ ଅନ୍ତ ହେବ।

‘ଟୋବାକୋ ଆଣ୍ଡ୍ ଭେପ୍ସ ବିଲ୍’କୁ କିଙ୍ଗ୍ ଚାର୍ଲ୍ସ ତୃତୀୟଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବା ଏବଂ ପରେ ଆଇନରେ ପରିଣତ ହେବା ପରେ, ଏହା ସରକାରଙ୍କୁ ତମାଖୁ, ଇ-ସିଗାରେଟ୍ ଏବଂ ନିକୋଟିନ୍ ଉତ୍ପାଦଗୁଡ଼ିକୁ ନିୟନ୍ତ୍ରଣ କରିବାର କ୍ଷମତା ଦେବ। ବର୍ତ୍ତମାନ ୟୁକେରେ ୧୮ ବର୍ଷରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ସିଗାରେଟ୍, ତମାଖୁ ଉତ୍ପାଦ କିମ୍ବା ଇ- ସିଗାରେଟ୍ ବିକ୍ରି କରିବା ବେଆଇନ। ନୂତନ ଆଇନ ବିଶ୍ବର ସବୁଠାରୁ କଠୋର ଧୂମ୍ରପାନ ବିରୋଧୀ ଆଇନ ମଧ୍ୟରୁ ଗୋଟିଏ ହେବ।

ବ୍ରିଟିଶ ମନ୍ତ୍ରୀମାନେ ଆଶା କରୁଛନ୍ତି ଯେ ଏହି ପଦକ୍ଷେପ "ଧୂମ୍ରପାନ ମୁକ୍ତ ପିଢ଼ି" ସୃଷ୍ଟି କରିବ। ସରକାରୀ ତଥ୍ୟ ଅନୁସାରେ ୧୯୭୦ ଦଶକ ପରଠାରୁ ବ୍ରିଟେନରେ ଧୂମ୍ରପାନକାରୀଙ୍କ ସଂଖ୍ୟା ଦୁଇ-ତୃତୀୟାଂଶ ହ୍ରାସ ପାଇଛି। ପରିସଂଖ୍ୟାନ ଅନୁଯାୟୀ, ଦେଶର ଜନସଂଖ୍ୟାର ୧୩ ପ୍ରତିଶତ, ଅର୍ଥାତ୍ ପ୍ରାୟ ୬.୪ ନିୟୁତ ଲୋକ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ବ୍ୟବହାର କରନ୍ତି। ତମାଖୁ ଏବଂ ଭେପ୍ସ ବିଲ୍ ଅନୁଯାୟୀ, ୨୦୦୯ ଜାନୁଆରୀ ୧ କିମ୍ବା ତା'ପରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଆଇନଗତ ଭାବରେ ତମାଖୁ ବିକ୍ରୟ କରାଯିବ ନାହିଁ। ଏହାଦ୍ବାରା ଜୀବନ ବଞ୍ଚାଇବା ଏବଂ NHS ଉପରେ ବୋଝ ହ୍ରାସ କରିବା ଲକ୍ଷ୍ୟ ରଖାଯାଇଛି।

ଦି ଗାର୍ଡିଆନର ରିପୋର୍ଟ ଅନୁସାରେ, କେବଳ ଇଂଲଣ୍ଡରେ ପ୍ରତିବର୍ଷ ଧୂମ୍ରପାନ ଯୋଗୁ ୪,୦୦,୦୦୦ ଲୋକ ହସ୍ପିଟାଲରେ ଭର୍ଭି ହୁଅନ୍ତି ଏବଂ ଏଥିମଧ୍ୟରୁ ୬୪,୦୦୦ ଲୋକଙ୍କ ହୃଦରୋଗ ଭଳି ତମାଖୁ ସମ୍ୱନ୍ଧୀୟ ରୋଗର ଚିକିତ୍ସା ପାଇଁ NHS ବାର୍ଷିକ ଆକଳନରୁ ଜଣାପଡ଼ିଛି।