ନୂଆଦିଲ୍ଲୀ: ଜୁଲାଇ ୨୮ ରେ ନୂଆଦିଲ୍ଲୀର 'ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର' ଠାରେ ଅନୁଷ୍ଠିତ ହେବାକୁ ଥିବା ‘ଜଷ୍ଟିସ୍ ଏଚ୍.ଆର୍. ଖାନ୍ନା ମେମୋରିଆଲ୍ ଲେକ୍ଚର’କାର୍ଯ୍ୟକ୍ରମକୁ ହଠାତ୍ ସ୍ଥଗିତ କରିଦିଆଯାଇଛି। ଏହି ହାଇ-ପ୍ରୋଫାଇଲ୍ ପ୍ରୋଗ୍ରାମରେ ଭାରତର ପ୍ରଧାନ ବିଚାରପତି(CJI) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେବାର ଥିଲା।

କାର୍ଯ୍ୟକ୍ରମର ପୋଷ୍ଟର ଅନୁଯାୟୀ, ଏହା ଜୁଲାଇ ୨୮ ସନ୍ଧ୍ୟା ୫ଟାରେ ହେବାର ଥିଲା। ମାତ୍ର କାର୍ଯ୍ୟକ୍ରମର ଦୁଇ ଦିନ ପୂର୍ବରୁ ଆୟୋଜକମାନେ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମେମୋରିଆଲ୍ ଲେକ୍ଚରର ପ୍ରମୁଖ ବିଷୟବସ୍ତୁ ଥିଲା — "ଦଳବଦଳରୁ ମିଶ୍ରଣ: ଦଶମ ଅନୁସୂଚୀକୁ ରଦ୍ଦ କରିବାର ଆବଶ୍ୟକତା" । ଏଥିରେ ବରିଷ୍ଠ ଆଇନଜୀବୀ ଅରବିନ୍ଦ ପି. ଦାତାର ମୁଖ୍ୟ ବକ୍ତା ଥିଲେ ଏବଂ ପୂର୍ବତନ CJI ସଞ୍ଜୀବ ଖାନ୍ନା ଅଧ୍ୟକ୍ଷତା କରିବାର ଥିଲା।

କାର୍ଯ୍ୟକ୍ରମରେ 'ଏଡିଏମ୍ ଜବଲପୁର ବନାମ ଶିବକାନ୍ତ ଶୁକ୍ଲା' ମାମଲାର ୫୦ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ମଧ୍ୟ ଆୟୋଜିତ ହେବାର ବ୍ୟବସ୍ଥା ଥିଲା। ଦେଶରେ ଚାଲିଥିବା ଘଟଣାବଳୀକୁ ଭିତ୍ତି କରି ଏହି କାର୍ଯ୍ୟକ୍ରମ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିଲା। 

ଏହା ପୂର୍ବରୁ ଜୁଲାଇ ୨୬ ରେ ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ମଧ୍ୟ CJI ଯୋଗଦେବାର କାର୍ଯ୍ୟକ୍ରମ ଥିଲେ ବି ସେଠାରେ ସେ ଅନୁପସ୍ଥିତ ରହିଥିଲେ, ଯେଉଁଠାରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ସ୍ଥଗିତ ରଖିବାର କୌଣସି ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ କାରଣ ଦର୍ଶାଯାଇ ନଥିଲେ ମଧ୍ୟ ସାମ୍ପ୍ରତିକ ଆଇନଗତ ପରିବେଶକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।