ନୂଆଦିଲ୍ଲୀ: ଭାରତ ସରକାର ନୀତି ଆୟୋଗର ପୁନର୍ଗଠନ କରି ଅଶୋକ କୁମାର ଲାହିଡୀଙ୍କୁ ଭାଇସ ଚେୟାରମ୍ୟାନ ନିଯୁକ୍ତ କରିଛନ୍ତି। କେନ୍ଦ୍ର ସରକାର ଏହି ପୁନର୍ଗଠନରେ ୫ପୂର୍ଣ୍ଣ କାଳୀନ ସଦସ୍ୟଙ୍କ ନିଯୁକ୍ତି ମଧ୍ୟ କରିଛନ୍ତି। ଏଥିରେ ଅର୍ଥ ଶାସ୍ତ୍ରୀ କେ.ଭି.ରାଜୁ, ଏମସ୍ ନିର୍ଦ୍ଦେଶକ ଏମ.ଶ୍ରୀନିବାସ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ଅଭୟ କରିନ୍ଦକର ଆଦି ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାହିଡୀ ଓ ପୂର୍ଣ୍ଣକାଳୀନ ସଦସ୍ୟମାନଙ୍କୁ ସେମାନଙ୍କ କାର୍ଯ୍ୟକାଳ ଲାଗି ଶୁଭକାମନା ଜଣାଇଛନ୍ତି।

ଏ ନେଇ ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ସରକାର ନୀତି ଆୟୋଗ ପୁନର୍ଗଠନ କରାଯାଇଥିବା ସୂଚନା ଦେଇଛନ୍ତି। ଏଥିରେ ସେ ଆୟୋଗଙ୍କ ପ୍ରଭାବୀ କାର୍ଯ୍ୟକାଳର କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ନୀତି ଆୟୋଗ ଭାରତର ନୀତିଗତ ସଂରଚନାରେ ଏକ ସ୍ତମ୍ବ ଭଳି ଉଭା ହୋଇଛି, ଯାହା ସମବାୟ ସଂଘବାଦକୁ ପ୍ରୋତ୍ସାହନ ଦେବା ସହ ସୁଧାରକୁ ଆଗକୁ ବଢାଇବା ଓ ଜୀବନ ସୁଗମତାକୁ ପ୍ରୋତ୍ସାହିତ କରିବାର କାମ କରୁଛି।

ଏହି ଆୟୋଗର ପ୍ରଧାନମନ୍ତ୍ରୀ ଚେୟାରମ୍ୟାନ ଅଟନ୍ତି। ଏହି ନିଯୁ୍କ୍ତି ପରେ ଲାହିଡୀ ଶନିବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଲାହିଡୀ ୪ ଦଶନ୍ଧୀରୁ ଅଧିକ ଅବଧିର ଅଭିଜ୍ଞତା ଥିବା ଜଣେ ଅର୍ଥଶାସ୍ତ୍ରୀ। ସେ ବର୍ତ୍ତମାନ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଧାୟକ ଅଛନ୍ତି। ଏହା ପୂର୍ବରୁ ସେ ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ସମେତ ପଞ୍ଚଦଶ ଅର୍ଥ ଆୟୋଗର ସଦସ୍ୟ ଥିଲେ। ତେବେ ସେ ଏବେ ଚାଲିଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ନାହାନ୍ତି।

ସେହିପରି ଭି. ରାଜୁ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦର ସଦସ୍ୟ ଅଛନ୍ତି ଓ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ମଧ୍ୟ ଅଛନ୍ତି। ଅଭୟ କରିନ୍ଦକର ଏବେ ବିଜ୍ଞାନ ଓ ପ୍ରଯୁକ୍ତ ବିଭାଗର ସଚିବ ଅଛନ୍ତି। ଏହା ପୂର୍ବରୁ ସେ ଭାରତୀୟ ପ୍ରଯୁକ୍ତି ସଂସ୍ଥା ଆଇଆଇଟି କାନପୁରର ନିର୍ଦ୍ଦେଶକ ଥିଲେ। ଗୋବର୍ଦ୍ଧନ ଦାସ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ, ଭୋପାଲର ନିର୍ଦ୍ଦେଶକ ଅଛନ୍ତି। ଏହା ପୂର୍ବରୁ ସେ ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ମଲିକ୍ୟୁଲାର ମେଡିସିନ ବିଶେଷ କେନ୍ଦ୍ରରେ ପ୍ରଫେସର ଓ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରୁଥିଲେ। ଏମ ଶ୍ରୀନିବାସ ଦେଶର ପ୍ରମୁଖ ଚିକିତ୍ସା ସଂସ୍ଥାନ ଏମସ୍ ର ନିର୍ଦ୍ଦେଶକ ଅଛନ୍ତି। ଶୈକ୍ଷଣିକ ପ୍ରଶାସନିକ ତଥା ଗବେଷଣା କ୍ଷେତ୍ରରେ ତାଙ୍କର ୩ ଦଶନ୍ଧୀର ଅଭିଜ୍ଞତା ରହିଛି।

Also Read..ବଢିଲା ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଡୁଆ : ଆରମ୍ଭ ହେବ ମହାଭିଯୋଗ ପ୍ରକ୍ରିୟା ! ସ୍ୱାକ୍ଷର କଲେ ୭୩ ସାଂସଦ