ନୂଆଦିଲ୍ଲୀ,୨୫/୦୪ :ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ପାଇଁ ବଢିଲା ଅଡୁଆ । ସିଇସିଙ୍କୁ ପଦରୁ ହଟାଇବା ଲାଗି ବିରୋଧୀ ସାଂସଦମାନେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବାକୁ ଶୁକ୍ରବାର ରାଜ୍ୟସଭାରେ ନୋଟିସ୍ ଦେଇଛନ୍ତି। ଏଥିରେ ୭୩ ସାଂସଦ ସ୍ବାକ୍ଷର କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି। ସାଂସଦମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ଲାଗି ଦାବି କରିଥିବା ସେ କହିଛନ୍ତି ।

ସାଂସଦଙ୍କ ଦ୍ବାରା ଦିଆଯାଇଥିବା ନୋଟିସରେ ସିଇସିଙ୍କ ବିରୋଧରେ ବିରୋଧୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଜୟରାମ କହିଛନ୍ତିଯେ,ସିଇସିଙ୍କ ବିରୋଧରେ ଥିବା ଅଭିଯୋଗକୁ ବିସ୍ତୃତ ଭାବେ ନୋଟିସରେ ଉଲ୍ଲେଖ କରାଯାଇଛି। ତାହାକୁ କେହି ଲୁଚାଇ ପାରିବେନି। ସିଇସି ଜ୍ଞାନେଶ କୁମାର ପଦରେ ରହିବା ସମ୍ବିଧାନ ଉପରେ ଆକ୍ରମଣ। ଅତ୍ୟନ୍ତ ଲଜ୍ଜାଜନକ ଯେ ସେ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଈଶାରାରେ କାମ କରୁଛନ୍ତି।

ଏହା ପୂର୍ବରୁ ଗତ ମାର୍ଚ୍ଚରେ ବିରୋଧୀ ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ସଂସଦରେ ନୋଟିସ୍ ଦେଇଥିଲେ। କିନ୍ତୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ସଭାପତି ସିପି ରାଧାକ୍ରିଷ୍ଣନ ଏହି ନୋଟିସକୁ ଖାରଜ କରିଦେଇଥିଲେ । ଜ୍ଞାନେଶ କୁମାରଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ତାଙ୍କୁ ହଟାଇବା ପାଇଁ ଆବଶ୍ୟକ ଉଚ୍ଚ ସାମ୍ବିଧାନିକ ମାନଦଣ୍ଡ ପୂରଣ କରୁ ନଥିବା ବାଚସ୍ପତି କହିଥିଲେ। ସିଇସି ନିରପେକ୍ଷ ଭାବେ ସାମ୍ବିଧାନିକ ଦାୟିତ୍ଵ ତୁଲାଇବାରେ ବିଫଳ ହୋଇଥିବା,ସରକାରଙ୍କ ଚାପରେ କାମ କରୁଥିବା,ନିର୍ବାଚନୀ ପ୍ରକ୍ରିୟାରେ ପକ୍ଷପାତିତା କରୁଥିବା ଆଦି ଅଭିଯୋଗ ପୂର୍ବ ପ୍ରସ୍ତାବରେ ଆସିଥିଲା। ସିଇସିଙ୍କୁ ହଟାଇବା ପ୍ରସ୍ତାବ ପାଇଁ ରାଜ୍ୟସଭାରେ ଅତିକମରେ ୫୦ ସାଂସଦ ଏବଂ ଲୋକସଭାରେ ୧୦୦ ସାଂସଦଙ୍କ ସ୍ବାକ୍ଷର ଜରୁରି ହୋଇଥାଏ।