ନୂଆଦିଲ୍ଲୀ :ଗତ କିଛି ଦିନ ହେଲା କର୍ଣ୍ଣାଟକରେ ପେଟ୍ରୋଲ ଓ ଇଥାନଲକୁ ନେଇ ଦେଶରେ ଜୋରଦାର ଚର୍ଚ୍ଚା ହେଉଛି। କାରଣ ରାଜ୍ୟର କିଛି ପେଟ୍ରୋଲ ପମ୍ପର ପେଟ୍ରୋଲରେ ଇଥାନଲର ମାତ୍ରା ଅଧିକ ରହୁଥିବା, ଯାହା ନିର୍ଦ୍ଧାରିତ ସୀମାର ୨୬ରୁ ୩୧ ପ୍ରତିଶତ ଅଧିକ ରହୁଥିବାର ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ ବିତର୍କ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ଶନିବାର ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ସରକାର ଏପରି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବା ସହ ସମସ୍ତ ସମ୍ପର୍କିତ ନମୁନା ପାସ୍ ହୋଇଥିବା କହିଛନ୍ତି।

ମାମଲାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ଦେଶରେ ଚାଲିଥିବା କ୍ୱାଲିଟି ଯାଞ୍ଚ ଅଭିଯାନରେ କର୍ଣ୍ଣାଟକରୁ ସଂଗ୍ରୁହୀତ ସମସ୍ତ ୫୬ଟି ନମୁନା ନିର୍ଦ୍ଧାରିତ ମାନଦଣ୍ଡ ପୁରଣ କରିଛି। ଉଲ୍ଲେଖଯୋଗ୍ୟ ଯେ କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ କର୍ଣ୍ଣାଟକ ରାଜ୍ୟର ପେଟ୍ରୋଲପମ୍ପ ମାନଙ୍କରେ ମିଳୁଥିବା ଇ-୨୦ ପେଟ୍ରୋଲରେ ୨୬ରୁ ୩୧ ପ୍ରତିଶତ ଇଥାନଲ ମିଶ୍ରଣ ହେଉଛି, ଯାହା ନିର୍ଦ୍ଧାରିତ ସୀମା ଠାରୁ ଯଥେଷ୍ଟ ଅଧିକ। ପେଟ୍ରୋଲିୟମ ମନ୍ତ୍ରାଳୟ ଅନୁଯାୟୀ ଦେଶର ୩ଟି ପ୍ରମୁଖ ତୈଳ ବିପଣନ କମ୍ପାନୀ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ଦ୍ୱାରା ଯୋଗାଇ ଦିଆଯାଉଥିବା ଇ-୨୦ ପେଟ୍ରୋଲ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ମାନଦଣ୍ଡ ଆଇଏସ୧୭୦୨୧ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛି।

ଦେଶର ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରୁ ମୋଟ ୮୩୯ଟି ନମୁନା ସଂଗ୍ରହ କରାଯାଇଥିଲା। ଏହି ନମୁନାଗୁଡିକ ସମସ୍ତ ଗୁଣାତ୍ମକ ମାନଦଣ୍ଡ ପୂରଣ କରୁଛନ୍ତି। କର୍ଣ୍ଣାଟକରୁ ଆସିଥିବା ୫୬ଟି ନମୁନାରେ ୧୯ରୁ ୨୦ ପ୍ରତିଶତର ସଠିକ ଇଥାନଲ ପରିମାଣ ଥିଲା। ସେପଟେ ତୈଳ ବିପଣନ କମ୍ପାନୀମାନେ ଅକ୍ଟୋବର ୨୦୨୬ରେ କର୍ଣ୍ଣାଟକର ପେଟ୍ରୋଲର ନମୁନା ଯାଞ୍ଚ ପାଇଁ ପରୀକ୍ଷଣ ପଦ୍ଧତୀ ଉପରେ ପ୍ରଶ୍ନ ଉଠାଇଛନ୍ତି। କମ୍ପାନୀମାନେ କହିଛନ୍ତି ଯେ ପରୀକ୍ଷଣ ପଦ୍ଧତୀ ଆଇନଗତ ଓ ବୈଷୟିକ ପ୍ରକ୍ରିୟା ସହ ଅସଙ୍ଗତ ଥିଲା। ଏଣୁ ତୈଳବିପଣନ କମ୍ପାନୀମାନେ ସତ୍ୟ ଉନ୍ମୋଚନ ପାଇଁ ଏକ ସ୍ୱାଧୀନ ତଦନ୍ତ ଦାବି କରିଛନ୍ତି।