ରାଞ୍ଚି: ଝାଡ଼ଖଣ୍ଡ ରାଞ୍ଚିର ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ସିବିଏସିଇ ପୁନଃମୂଲ୍ୟାୟନ ପରେ ଚମତ୍କାର ସଫଳତା ହାସଲ କରିଛନ୍ତି । ମୂଲ୍ୟାଙ୍କନରେ କେବଳ ତାଙ୍କର ମାର୍କ ବୃଦ୍ଧି ପାଇନି ବରଂ ସେ ନ୍ୟାସନାଲ୍ ଟପ୍ପର ମଧ୍ୟ ହୋଇଛନ୍ତି । ରାଞ୍ଚିର ଦିଲ୍ଲୀ ପବ୍ଲିକ ସ୍କୁଲର ବାଣିଜ୍ୟ ଛାତ୍ରୀ ଅବନୀ କେଜ୍ରିୱାଲ ଏବେ ସବୁଠି ଚର୍ଚ୍ଚାରେ ଅଛନ୍ତି । ସିବିଏସଇ ପୁନଃମୂଲ୍ୟାୟନ ପରେ ତାଙ୍କର ସ୍କୋର ୫୦୦ରୁ ୫୦୦ (୧୦୦ ପ୍ରତିଶତ) ହୋଇଛି । ମେ ୧୩ ତାରିଖରେ ଘୋଷିତ ହୋଇଥିବା ରେଜଲ୍ଟରେ ସେ ୯୫.୨ ପ୍ରତିଶତ ମାର୍କ ପାଇଥିଲେ ।

ଅବନୀ ପ୍ରଥମ ରେଜଲ୍ଟରେ ତିନୋଟି ବିଷୟରେ ୧୦୦ରୁ ୧୦୦ ନମ୍ବର ରଖିଥିଲେ । କିନ୍ତୁ ଇଂରାଜୀ ଏବଂ ବିଜନେସ ଷ୍ଟଡିଜରେ ତାଙ୍କର ମାର୍କ କଟିଥିଲା । ଇଂରାଜୀ ତାଙ୍କର ପ୍ରିୟ ବିଷୟ ଥିଲା ଏବଂ ସେଥିରେ ମିଳିଥିବା ୮୧ ନମ୍ବର ମାର୍କକୁ ସେ ବିଶ୍ୱାସ କରିପାରିଲେ ନାହିଁ । ଏହାପରେ ରି-ଭାଲ୍ୟୁଏସନ୍ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଥିଲେ । ବିଜନେସ ଷ୍ଟଡିଜରେ ମଧ୍ୟ ତାଙ୍କୁ ୯୫ ନମ୍ବର ମିଳିଥିଲା ।

ପୁନଃମୂଲ୍ୟାୟନ ପ୍ରକ୍ରିୟା ପରେ ଇଂରାଜୀରେ ୧୯ ନମ୍ବର ଏବଂ ବିଜନେସ ଷ୍ଟଡିଜରେ ୫ ମାର୍କ ବଢିଥିଲା । ଏପିରି ମୋଟ ୨୪ ନମ୍ବର ବଢ଼ିବା ସହିତ ତାଙ୍କର ପାଞ୍ଚଟି ଯାକ ବିଷୟ - ଇଂରାଜୀ, ଆକାଉଣ୍ଟାନ୍ସି, ବିଜନେସ୍ ଷ୍ଟଡିଜ୍, ଇକୋନୋମିକ୍ସ ଏବଂ ଆପ୍ଲାଏଡ୍ ମାଥେମାଟିକ୍ସରେ ୧୦୦ରୁ ୧୦୦ ନମ୍ବର ହାସଲ କରିଛନ୍ତି । ଏହା ବ୍ୟତୀତ ତାଙ୍କର ଷଷ୍ଠ ବିଷୟ (ଗ୍ରାଫିକ୍ସ)ରେ ସେ ୯୯ ନମ୍ବର ରଖିଛନ୍ତି । ଅବନୀ ଭବିଷ୍ୟତରେ ବିଜନେସ୍ ମ୍ୟାନେଜମେଣ୍ଟରେ କ୍ୟାରିୟର ଗଢ଼ିବାକୁ ଆଶା ରଖିଛନ୍ତି । ଭବିଷ୍ୟତରେ ଜଣେ ସଫଳ ଉଦ୍ୟୋଗୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ।