CBSEର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାଙ୍କନ ପାଇଁ ପ୍ରଥମ ଥର ଲାଗୁ ହୋଇଥିବା ଅନ୍-ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ନେଇ ଚାଲିଥିବା ବିବାଦ ଏବେ ଆହୁରି ଗମ୍ଭୀର ରୂପ ନେଇଛି। ପୂର୍ବରୁ ଅସ୍ପଷ୍ଟ ସ୍କାନିଂ ଏବଂ ଆଶାଠାରୁ ବହୁତ କମ୍ ମାର୍କ ମିଳିବା ନେଇ ଅଭିଯୋଗ ଆସୁଥିବା ବେଳେ, ବର୍ତ୍ତମାନ ପରିକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ସିବିଏସ୍‌ଇ ପୋର୍ଟାଲରେ ଅପ୍‌ଲୋଡ୍ ହୋଇଥିବା ସ୍କାନ୍‌ଡ୍ ଉତ୍ତରଖାତା ସେମାନଙ୍କର ନୁହେଁ।

ଖାତା ପୁନଃମୂଲ୍ୟାଙ୍କନ (Re-evaluation) ପାଇଁ ପୋର୍ଟାଲ ଖୋଲିବା ପରେ ଅନେକ ଛାତ୍ରଛାତ୍ରୀ ଦେଖିବାକୁ ପାଇଛନ୍ତି ଯେ ଅପ୍‌ଲୋଡ୍ ହୋଇଥିବା କପିରେ ଥିବା ହାତଲେଖା (Handwriting) ସେମାନଙ୍କର ନୁହେଁ ଏବଂ କେତେକ ସ୍ଥାନରେ ପୃଷ୍ଠାଗୁଡ଼ିକ ଅଦଳବଦଳ (Mismatched) ହୋଇଯାଇଛି।

 ଭାଇରାଲ୍ ପୋଷ୍ଟ ଓ ସାଧାରଣ ଛାତ୍ରଛାତ୍ରୀଙ୍କ ଚିନ୍ତା

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ବେଦାନ୍ତ ଶ୍ରୀବାସ୍ତବ ନାମକ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ପୋଷ୍ଟ ଭାଇରାଲ୍ ହେବା ପରେ ଏହି ସମସ୍ୟା ସାମ୍ନାକୁ ଆସିଥିଲା। ସେ ଅଭିଯୋଗ କରିଥିଲେ ଯେ ତାଙ୍କ ରୋଲ୍ ନମ୍ବରରେ ଅପ୍‌ଲୋଡ୍ ହୋଇଥିବା ପଦାର୍ଥ ବିଜ୍ଞାନ (Physics) ର ଉତ୍ତରଖାତା ତାଙ୍କର ନୁହେଁ, କାରଣ ସେଥିରେ ଥିବା ହାତଲେଖା ଓ ପ୍ରଶ୍ନଗୁଡ଼ିକ ସେ କରିଥିବା ଉତ୍ତର ସହ ଆଦୌ ମିଳୁନାହିଁ। ଏହାପରେ କେମିଷ୍ଟ୍ରି (Chemistry) ଖାତାରୁ ଦୁଇଟି ସମ୍ପୂର୍ଣ୍ଣ ପୃଷ୍ଠା ଗାୟବ ଥିବା ଏବଂ MCQ ପ୍ରଶ୍ନର ଉତ୍ତର ବଦଳି ଯାଇଥିବା ନେଇ ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ସମାନ ଅଭିଯୋଗ ଉଠାଇଛନ୍ତି।

ପେମେଣ୍ଟ ପରେ ବି ମିଳୁନି ଖାତା:

ଅନେକ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ଯେ CBSE ପୋର୍ଟାଲରେ ସଫଳତାର ସହ ଫି’ ଜମା କରିବା ପରେ ମଧ୍ୟ ସେମାନଙ୍କୁ ଉତ୍ତରଖାତାର ସ୍କାନ୍ କପି ମିଳିନାହିଁ। ସେମାନେ ପୋର୍ଟାଲ୍ ସ୍ଲୋ ରହିବା, ପେମେଣ୍ଟ ଫେଲ୍ ହେବା ଏବଂ ବୋର୍ଡ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ CBSE ଏହାକୁ ଏକ ‘ସାମୟିକ ବୈଷୟିକ ତ୍ରୁଟି’ ବୋଲି କହିଥିଲା।

 କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ

ବିବାଦ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମସ୍ୟାର ସମାଧାନ ପାଇଁ ଆଇଆଇଟି (IIT) ବିଶେଷଜ୍ଞ ଏବଂ ପ୍ରମୁଖ ବ୍ୟାଙ୍କଗୁଡ଼ିକୁ ସାମିଲ କରିଛନ୍ତି। ମେ’ ୨୪ ରେ ଶିକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ IIT ମାଡ୍ରାସ ଏବଂ IIT କାନପୁରର ପ୍ରଫେସର ଓ ବୈଷୟିକ ବିଶେଷଜ୍ଞଙ୍କ ଦଳ CBSE କୁ ଏକ ତ୍ରୁଟିଶୂନ୍ୟ ପୁନଃମୂଲ୍ୟାଙ୍କନ ପ୍ରକ୍ରିୟା ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛନ୍ତି।

 IIT ବିଶେଷଜ୍ଞ ଦଳର ମୁଖ୍ୟ କାର୍ଯ୍ୟ:

  •    ପୋର୍ଟାଲ୍‌ର ସ୍ଥିରତା ଏବଂ ସର୍ଭର ପ୍ରଦର୍ଶନର ସମୀକ୍ଷା କରିବା।
  •    ଆଇଟି (IT) ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଓ ସୁରକ୍ଷିତ କରିବା।
  •    ଲଗ୍-ଇନ୍ ଅଥେଣ୍ଟିକେସନ୍, ୟୁଜର ଆକ୍ସେସ ଏବଂ ପେମେଣ୍ଟ ଗେଟୱେ ବ୍ୟବସ୍ଥାରେ ସୁଧାର ଆଣିବା।

ଏହା ସହିତ, ପେମେଣ୍ଟ ଜନିତ ସମସ୍ୟାର ସମାଧାନ ପାଇଁ ଶିକ୍ଷାମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଦେଶର ୪ଟି ପ୍ରମୁଖ ସରକାରୀ ବ୍ୟାଙ୍କ— ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କକୁ ସିବିଏସ୍‌ଇ ପୋର୍ଟାଲ ସହ ପେମେଣ୍ଟ ଗେଟୱେର ସଂଯୋଗୀକରଣକୁ ମଜଭୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 କ’ଣ ଏହି OSM ବ୍ୟବସ୍ଥା?

CBSE ଏହି ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସମ୍ପୂର୍ଣ୍ଣ ଭାବେ On-Screen Marking (OSM) ବ୍ୟବସ୍ଥା ଲାଗୁ କରିଥିଲା। ଏହି ବ୍ୟବସ୍ଥାରେ ଖାତାଗୁଡ଼ିକୁ ପ୍ରଥମେ ସ୍କାନ୍ କରି PDF ରେ ପରିଣତ କରାଯାଏ ଏବଂ ଶିକ୍ଷକମାନେ କମ୍ପ୍ୟୁଟର ସ୍କ୍ରିନ୍‌ରେ ଡିଜିଟାଲ୍ ମାଧ୍ୟମରେ ଏହାର ମୂଲ୍ୟାଙ୍କନ କରନ୍ତି। ବୋର୍ଡ ଦାବି କରିଥିଲା ଯେ ଏହାଦ୍ୱାରା ସ୍ୱଚ୍ଛତା ଆସିବ, ମାର୍କ ମିଶାଇବାରେ ଭୁଲ୍ କମିବ ଏବଂ ରେଜଲ୍ଟ ଶୀଘ୍ର ପ୍ରକାଶ ପାଇବ। ମାତ୍ର ବର୍ତ୍ତମାନର ସ୍କାନିଂ ତ୍ରୁଟି ଓ ଖାତା ବଦଳିଯିବା ଅଭିଯୋଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି, କାରଣ କଲେଜ ଆଡମିଶନ ଏବଂ କଟ୍-ଅଫ୍ ପାଇଁ ଦ୍ୱାଦଶ ଶ୍ରେଣୀର ମାର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।