କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଯାଇଥିବା ସରପଞ୍ଚ ଚାମେଲି ଓଝା ଓ ବିଡିଓଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏହି ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଇଥିଲା ପୋଲିସ l ମହାକାଳପଡ଼ା ପୋଲିସ ତାଙ୍କୁ ନେବା ବେଳେ ସୋସିଆଲ ମିଡିଆରେ ଲାଇଭ କରି ନିଜେ ଚାମେଲି ଏକଥା ଜଣାଇଥିଲେ l

କିନ୍ତୁ ଚାମେଲିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ। ପୋଲିସ ଅଧିକାରୀଙ୍କ ଆଙ୍ଗୁଠି କାମୁଡି ପକାଇବା ନେଇ ଅଭିଯୋଗ ହୋଇଛି। ଥାନା ପୋଡ଼ିଦେବା ପାଇଁ ଚାମେଲି ଧମକ ଦେଇଥିଲେ। ଜଣେ ଗୃହରକ୍ଷୀଙ୍କ ତଣ୍ଟିଚିପି ଦେବା ପାଇଁ ଚାମେଲି ଉଦ୍ୟମ କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମହାକାଳପଡ଼ା ଥାନା ଏସଆଇ ତପସ୍ଵିନୀ ବିଶ୍ଵାଳ। ଅଭିଯୋଗ ପରେ ଚାମେଲିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।

ଚାମେଲି ଓଝାଙ୍କୁ ପୋଲିସ ଉଠାଇ ନେବା ଘଟଣାରେ ଜୋର ଧରିଛି। ରାଜନୈତିକ ଉଷ୍ମତା ଦେଖାଦେଇଛି। ଚାମେଲିଙ୍କ ସମର୍ଥନରେ ବାହାରିଛି ଜିଲ୍ଲା ସରପଞ୍ଚ ସଂଘ। ଏହାର ପ୍ରତିବାଦରେ ଆଜି ଏସପି ଅଫିସ ଘେରାଉ ଚେତାବନୀ ଦେଇଛି ସଂଘ।

ସେପଟେ ଚାମେଲିଙ୍କୁ ଦୁର୍ବ୍ୟବହାର କରାଯିବା ଓ ମାଡ ମରାଯିବା ଅଭିଯୋଗ ହୋଇଥିଲାl ଏଥିରେ ଅସୁସ୍ଥ ହୋଇ ଚାମେଲି ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି l ସାନ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ମହାକାଳପଡ଼ା ପୋଲିସ l ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ପଶି ତାଙ୍କ ଭିଡିଓ ରେକର୍ଡ କରିବା, ବିଡିଓଙ୍କୁ ଦୁର୍ବ୍ୟବହାର କରିବା ଏବଂ ପୋଲିସକୁ ମାଡ ମାରିବା ଅଭିଯୋଗରେ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି l

ସେପଟେ ଚାମେଲିଙ୍କ ବିରୁଦ୍ଧରେ ମହାକାଳପଡା ବିଡିଓ ରବିନାରାୟଣ ଆଚାର୍ଯ୍ୟ ଥାନାରେ ଅଭିଯୋଗ କରିଛନ୍ତି l ତେବେ ଚାମେଲିଙ୍କୁ ରାଜନୈତିକ ଆକ୍ରୋଶ ରଖି ଅତ୍ୟାଚାର କରାଯାଉଥିବା ତାଙ୍କ ବାପା ନିରଂଜନ ଓଝା ଅଭିଯୋଗ କରିଛନ୍ତି l ଏହି ଘଟଣାରେ ଅଭିଯୋଗ ପାଇବା ପରେ ତଦନ୍ତ ହେବ ବୋଲି କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି l