ଚେନ୍ନାଇ: ତାମିଲନାଡୁରେ ଆଗାମୀ ସପ୍ତାହରେ ନିର୍ବାଚନ ହେବାକୁ ଯାଉଛି। ଏଣୁ ରାଜ୍ୟ ରାଜନୈତିକ ପିରଦୃଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରଶ୍ନଟି ହେଉଛି ଷ୍ଟାଲିନଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଆଉ ଏକ କାର୍ଯ୍ୟକାଳ ମିଳିବ କି? ଏବେକା ସଂକେତରୁ ଯାହା ଜଣାପଡୁଛି ଯେ ଡିଏମକେ ନେତାଙ୍କର ବିଜୟ ସମ୍ଭାବନା ଅନେକ ରହିଛି। ଏହା ଛଡା କେତେକ ନିର୍ବାଚନ ପୂର୍ବ ସର୍ଭେକ୍ଷଣରେ ମଧ୍ୟ ଡିଏମକେ ନେତୃତ୍ୱାଧୀନ ଧର୍ମ ନିରପେକ୍ଷ ପ୍ରଗତିଶୀଳ ମେଣ୍ଟ (ଏସପିଏ)ର ସ୍ପଷ୍ଟ ବିଜୟ ସମ୍ଭାନା ଆକଳନ କରାଯାଇଛି।

ଲୋକ ପୋଲର ଏକ ସର୍ଭେକ୍ଷଣ ଅନୁସାରେ ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱାଧୀନ ମେଣ୍ଟକୁ ୨୩୪ ସଦସୀୟ ବିଧାନସଭାରେ ୪୦.୨% ଭୋଟ ସହିତ ୧୮୧-୧୮୯ ସିଟ୍ ମିଳିବାର ଅନୁମାନ କରାଯାଇଛି। ପୋଲ ଟ୍ରାକରର ଏକ ଅନ୍ୟ ସର୍ଭେକ୍ଷଣରେ ମଧ୍ୟ ଶାସକ ମେଣ୍ଟର ନିର୍ଣ୍ଣାୟକ ବିଜୟର ଅନୁମାନ କରାଯାଇଛି, ଯେଉଁଥିରେ ୧୭୨-୧୭୮ ଆସନ ସହ ୪୨.୭% ଭୋଟ ମିଳିବ ବୋଲି ଆକଳନ କରାଯାଉଛି। ଏପ୍ରିଲ ୨୩ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଶେଷ ହେବାକୁ ଥିବା ଏହି ନିର୍ବାଚନର ଭୋଟ ଗଣନା ମେ ୪ ତାରିଖରେ ହେବ। ତେବେ ଏଥରର ତାମିଲନାଡୁ ନିର୍ବାଚନରେ ବହୁମୁଖୀୟ ପ୍ରତିଦ୍ୱନ୍ଦ୍ୱୀତା ହେବା ଏବେଠାରୁ ସ୍ପଷ୍ଟ ହୋଇଗଲାଣି।

ଏଥିରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟ, ଏଆଇଏଡିଏମକେ ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସମେତ ଅଭିନେତା ବିଜୟଙ୍କ ଟିଭିକେ ମଧ୍ୟରେ ତ୍ରିକୋଣୀୟ ଲଢେଇହେବା ସ୍ପଷ୍ଟ ଦେଖା ଯାଉଛି। ଏଆଇଏଡିଏମକେର ଏକ ଦଶନ୍ଧୀ ଧରି ଜାରି ଶାସନକୁ ଅନ୍ତ କରି ୨୦୨୧ରେ ସରକାର ଗଢିଥିବା ଏମ.କେ.ଷ୍ଟାଲିନ ତାଙ୍କ ନିର୍ବାଚନ ଅଭିଯାନକୁ ସୁଶାସନ ଉପରେ କେନ୍ଦ୍ରିତ କରିଛନ୍ତି। ଏଥିରେ ମହିଳାଙ୍କ ନିମନ୍ତେ ଆର୍ଥିକ ସହାୟତା, ମାଗଣା ବସ୍ ଯାତ୍ରା ଓ ସ୍କୁଲ ମାନଙ୍କରେ ଭୋଜନ କାର୍ଯ୍ୟକ୍ରମ ଦଳପ୍ରତି ମହିଳା ଓ ଗ୍ରାମୀଣ ଭୋଟରଙ୍କ ସମର୍ଥନ ହାସଲ କରୁଥିବାର ଦେଖା ଯାଉଛି। ଡିଏମକେ ଏହି ନିର୍ବାଚନକୁ ରାଜ୍ୟର ସ୍ୱାୟତତା ଓ ଆଞ୍ଚଳିକ ପରିଚୟ ଉପରେ କେନ୍ଦ୍ରିତ ଏକ ବ୍ୟାପର ବିଚାରଗତ ଲଢେଇ ରୂପେ ଉପସ୍ଥାପନ କରୁଛି।

ଜନମତ ସର୍ଭେକ୍ଷଣରେ ମଧ୍ୟ ଏହା ସ୍ପଷ୍ଟ ଦେଖା ଯାଉଛି। ଖାସ କରି ସେହି ସର୍ଭେକ୍ଷଣରେ ଯେଉଁଥିରେ ଏଆଇଏଡିଏମକେ ଭୋଟ ବିଜୟଙ୍କ ଟିଭିକେ ସହିତ ବାଣ୍ଟି ହେଉଥିବାର ଦେଖାଯାଉଥିବା ବେଳେ ଡିଏମକେ ମେଣ୍ଟର ଭୋଟ କିନ୍ତୁ ଗୋଟା ଦେଖା ଯାଉଛି। ଏହାଛଡା ସର୍ଭେକ୍ଷଣରେ ଷ୍ଟାଲିନଙ୍କୁ ସମସ୍ତଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଦେଖା ଯାଉଥିବା ବେଳେ ଅଧିକାଂଶ ସର୍ଭେକ୍ଷଣରେ ଷ୍ଟାଲିନଙ୍କ ମେଣ୍ଟକୁ ୩୯-୪୧% ଭୋଟ ମିଳୁଥିବାର ଦେଖା ଯାଉଛି। ସେହିପରି ମହିଳା ଓ ବୟଷ୍କ ମତଦାତାଙ୍କ ମଧ୍ୟରେ ଷ୍ଟାଲିନଙ୍କୁ ନେଇ ଏକ ଝୁଙ୍କ ମଧ୍ୟ ଦେଖା ଯାଉଛି।

ତେବେ ଏହି ନିର୍ବାଚନ ଚ୍ୟାଲେଞ୍ଜରୁ ବାଦ ପଡିନି। ଶାସନର ପାଞ୍ଚ ବର୍ଷ ପରେ ଶାସନ ବିରୋଧୀ ଭାବନା ଏକ ଗୁରୁତ୍ୱପୂର୍ଣ୍ଣ କାରକ ରୂପେ ଦେଖା ଦେଇଛି। ବିରୋଧୀ ଦଳମାନେ ଦୁର୍ନୀତି ଓ ଆଇନଶୃଙ୍ଖଳା ସମ୍ପର୍କିତ ପ୍ରସଙ୍ଗ ଉଠାଉଛନ୍ତି। ଏ.ପାଲାନୀସ୍ୱାମୀଙ୍କ ନେତୃତ୍ୱାଧୀନ ଏଆଇଏଡିଏମକେ ଲୋକଙ୍କ ଷ୍ଟାଲିନ ବିରୋଧୀ ଭାବନାକୁ ମଜଭୁତ କରିବାକୁ ପ୍ରୟାସ କରୁଛି। ଏଥିରେ ବିଜୟଙ୍କ ଟିଭିକେ ପାର୍ଟି ନିର୍ବାଚନ ମୈଦାନକୁ ଓହ୍ଲାଇବା ଅନିଶ୍ଚିତତାକୁ ବଢାଇ ଦେଇଛି। ଯଦିଓ ଟିଭିକେ ସଙ୍ଗଠନାତ୍ମକ କ୍ଷମତା କାରଣରୁ ବହୁ ସଂଖ୍ୟାରେ ଆସନ ହାତେଇ ନ ପାରେ ତଥାପି ଯୁବ ଭୋଟରଙ୍କୁ ଆକର୍ଷିତ କରିବାରେ ଓ ବିରୋଧୀ ଦଳଙ୍କ ଭୋଟ ସେୟାର କାଟି ନିର୍ବାଚନ ପରିଣାମ ପ୍ରଭାବିତ କରିବାରେ ସଫଳ ହୋଇପାରେ।

ଏତେ ସବୁ ଅନିଶ୍ଚିତତା ସତ୍ତ୍ୱେ ଅଧିକାଂଶ ପ୍ରମୁଖ ସର୍ଭେକ୍ଷଣର ବ୍ୟାପକ ଫଳାଫଳ ଷ୍ଟାଲିନଙ୍କ ଲାଗି ଅନୁକୂଳ ରହିଛି। ଯଦି ଭୋଟରଙ୍କ ନିଷ୍ପତ୍ତି ଶେଷ ସମୟରେ ନ ବଦଳେ ଓ ବିରୋଧୀ ଦଳଙ୍କ ଭୋଟ ହାର ନ ବଢେ ତେବେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ପଦରେ ଦୃଢ ରହିବାର ଅନେକ ସମ୍ଭାବନା ରହିଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଭୋଟର ଏପ୍ରିଲ ୨୩ ତାରିଖରେ ଗ୍ରହଣ କରିବେ। ୪ ମେର ଫଳାଫଳ ଏହା ନିଶ୍ଚିତ କରିବ ତାମିଲନାଡୁରେ ଏବେକା ବ୍ୟବସ୍ଥା କାୟମ ରହିବ ନା ଲୋକେ ପରିବର୍ତ୍ତନର ବିକଳ୍ପ ବାଛିବେ।