ନୂଆଦିଲ୍ଲୀ: ଭାରତର ଘରୋଇ ହସ୍ପିଟାଲମାନଙ୍କରେ ଏବେ ସିଜେରିୟନ ଅପରେସନ ମାଧ୍ୟମରେ ଶିଶୁଙ୍କ ଜନ୍ମ ସାଧାରଣ ଘଟଣାରେ ପରିଣତ ହୋଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣର ନୂଆ ତଥ୍ୟ ଅନୁସାରେ ଦେଶର ଘରୋଇ ହସ୍ପିଟାଲମାନଙ୍କରେ ହେଉଥିବା ଡେଲିଭରିରେ ୫୪%ରୁ ଅଧିକ ମାମଲା ସିଜେରିୟନ ବୋଲି ଜଣାପଡିଛି। ଏହି ମାମଲାରେ କିଛି ରାଜ୍ୟ ବେଶ୍ ଆଗରେ। ପଶ୍ଚିମବଙ୍ଗର ଘରୋଇ ହସ୍ପିଟାଲମାନଙ୍କରେ ଏଭଳି ପ୍ରସବ ସବୁଠୁ ଚିନ୍ତାଜନକ, ଯେଉଁଠି ୮୭.୭% ଶିଶୁଙ୍କୁ ଜନ୍ମ ସିଜେରିୟନ ମାଧ୍ୟମରେ ହେଉଛି।

ସେହିପରି ତେଲେଙ୍ଗାନାରେ ୮୪, ଆନ୍ଧ୍ରପ୍ରଦେଶରେ ୬୬% ଘରୋଇ ପ୍ରସବ ସିଜେରିୟନରେ ହୋଇଥିବା ଜଣାପଡିଛି। ଦେଶର ୨୭ ରାଜ୍ୟ ଓ ଦୁଇ ବୃହତ୍ତ କେନ୍ଦ୍ର ଶାସିତ ପ୍ରଦେଶ ଦିଲ୍ଲୀ ଓ ଜମ୍ମୁ-କାଶ୍ମୀର ମଧ୍ୟରୁ ୧୮ ରାଜ୍ୟରେ ପରିସ୍ଥିତି ଏପରି ଯେ ପ୍ରାଇଭେଟ ହସ୍ପିଟାଲମାନଙ୍କରେ ଅଧାରୁ ଅଧିକ ଜନ୍ମ ସିଜେରିୟନ ମାଧ୍ୟମରେ ହେଉଛି। ଏଥିରେ ଯଦି ସରକାର ଓ ଘରୋଇ ଉଭୟ ହସ୍ପିଟାଲଙ୍କୁ ମସାଇ ଦିଆଯାଏ ତେବେ କିଛି ରାଜ୍ୟରେ ମୋଟ ସିଜେରିୟନ ତଥ୍ୟ ଅନେକ ଅଧିକ।

ତେଲେଙ୍ଗାନାରେ ମୋଟ ପ୍ରସବର ୬୨%ରୁ ଅଧିକ ସିଜେରିୟନ। ସେହିପରି ଆନ୍ଧ୍ରପ୍ରଦେଶରେ ୫୨, ପଶ୍ଚିମବଙ୍ଗରେ ୪୪.୫% ସିଜେରିୟନ ଡେଲିଭରୀ ହେଉଥିବା ବେଳେ ଜମ୍ମୁ-କାଶ୍ମୀର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ୯୦% ଡେଲିଭରି ସିଜେରିୟନ ହେଉଛି। ସେହିପରି ରାଜ୍ୟର ସରକାରୀ ହସ୍ପିଟାଲମାନଙ୍କରେ ଏପରି ପ୍ରସବ ହାର ପାଖାପାଖି ୪୯% ପର୍ଯ୍ୟନ୍ତ ରହିଛି। ଗତ ଦୁଇ ଦଶନ୍ଧୀ ହେଲା ଭାରତରେ ସି-ସେକ୍ସନ ପ୍ରସବ ହାର ବଢିବଢି ଚାଲିଛି। ୨୦୦୪-୦୫ ମସିହାରେ ଦେଶରେ ୮.୫% ସିଜେରିୟନ ଡେଲିଭରୀ ହୋଇଥିଲା। ଏହା ୨୦୧୫-୧୬ ବେଳକୁ ବଢି ୧୭.୨%କୁ ପହଞ୍ଚିଥିଲା। ୨୦୧୯-୨୧ରେ ୨୧.୫%କୁ ପହଞ୍ଚିଥିବା ବେଳେ ଏବେକା ତଥ୍ୟ ଅନୁସାରେ ଦେଶରେ ଜନ୍ମ ହେଉଥିବା ୪ ପିଲାଙ୍କ ମଧ୍ୟରୁ ୧ରୁ ଅଧିକ(୨୭.୨%) ସିଜେରିୟନ ମାଧ୍ୟମରେ ଦୁନିଆକୁ ଆସୁଛନ୍ତି।

ତେବେ ଆଶ୍ୱସ୍ତିର କଥା ହେଉଛି ସରକାରୀ ହସ୍ପିଟାଲମାନଙ୍କରେ ଏହି ବୃଦ୍ଧି ବେଶ୍ ଧିମା ରହିଛି। ୨୦୦୫-୦୬ ରେ ସରକାରୀ ହସ୍ପିଟାଲମାନଙ୍କରେ ସିଜେରିୟନ ହାର ୧୫.୨% ଥିଲା, ଯାହା ଏବେ ମାମୁଲି ବୃଦ୍ଧି ସହ ୧୬.୯%କୁ ପହଞ୍ଚିଛି। ଦକ୍ଷିଣ ଭାରତୀୟ ରାଜ୍ୟ ଯେପରି ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ତେଲେଙ୍ଗାନାର ସରକାରୀ ହସ୍ପିଟାଲମାନଙ୍କରେ ୩୪ରୁ ୪୮% ପର୍ଯ୍ୟନ୍ତ ସିଜେରିୟନ ଡେଲିଭରି ହେଉଛି। ଆସାମ ଏବଂ ଓଡିଶାର ଘରୋଇ ହସ୍ପିଟାଲମାନଙ୍କରେ ଯଦିଓ ସିଜେରିୟନ ହାର ବହୁତ ଉଚ୍ଚା ଯେପରି ଆସାମରେ ୮୧.୪ ଏବଂ ଓଡିଶାରେ ୭୬.୮% ତେବେ ଏହି ରାଜ୍ୟମାନଙ୍କରେ ମୋଟ ସିଜେରିୟନ ସଂଖ୍ୟା ଅନେକ କମ୍। ଏହାର କାରଣ ହେଉଛି ଏହି ଦୁଇ ରାଜ୍ୟର ତିନି ଚତୁର୍ଥାଂଶରୁ ଅଧିକ ମହିଳା ପ୍ରସବ ପାଇଁ ସରକାରୀ ହସ୍ପିଟାଲକୁ ଯାଆନ୍ତି, ଯେଉଁଠି ସିଜେରିୟନ ହାର ଅତ୍ୟନ୍ତ ନଗଣ୍ୟ। ଆସାମର ସରକାରୀ ହସ୍ପିଟାଲମାନଙ୍କରେ ଏହି ହାର ୧୮% ହୋଇଥିବା ବେଳେ ଓଡିଶାରେ ୨୨%

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ କୌଣସି ଦେଶରେ ୧୦ରୁ୧୫% ସିଜେରିୟନ ହାର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଉପଯୁକ୍ତ। ହେଲେ ଏବେ ଦେଶର ଅଧିକାଂଶ ଦେଶ ଏହି ସୀମାକୁ ପାର କରିଯାଇଛନ୍ତି। ବ୍ରାଜିଲରେ ୫୨%ରୁ ଅଧିକ ପ୍ରସବ ସିଜେରିୟନରେ ହେଉଥିବା ବେଳେ ବ୍ରିଟେନରେ ୪୫ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୩୨%ରୁ ଅଧିକ ପ୍ରସବ ସିଜେରିୟନ ମାଧ୍ୟମରେ ହେଉଛି। ଏବେ ବିନା କାରଣରେ ଅପରେସନ ରୋକିବା ଲାଗି ଗୁରୁତ୍ୱ ଦିଆଯାଉଛି ଓ ଗର୍ଭାବସ୍ଥାରେ ପ୍ରସୂତିଙ୍କ ଦେଖରେଖ ନର୍ସଙ୍କ ଦ୍ୱାରା କରିବା ପାଇଁ ପରାମର୍ଶ ଦିଆଯାଉଛି।