ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମୁଖ୍ୟ ବଜାର ଯେପରି ସଦର ବଜାର, ଚାନ୍ଦନୀଚୌକ, ଚାୱଡୀବଜାର, କନ୍ନଟ ପ୍ଲେସ୍, କରୋଲବାଗ, ଲାଜପତ ରାୟ ମାର୍କେଟ, ଭାଗିରଥ ପ୍ଲେସ୍ ଆଦି ବଡ଼ ବଡ଼ ବଜାରକୁ ଶନିବାର ବନ୍ଦ ରଖାଯାଇଛି। ଅନୁମାନ କରାଯାଉଛି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଘୋଷିତ କକ୍ରୋଚ ଜନତା ପାର୍ଟି (ସିଜେପି)ର ବିରୋଧ ଯୋଗୁ ବ୍ୟବସାୟୀଙ୍କୁ ପାଖାପାଖି ୨ ହଜାର କୋଟି ଟଙ୍କାର ବ୍ୟବସାୟୀକ କ୍ଷତି ସହିବାକୁ ପଡିଛି। କଡ଼ା ପୋଲିସ ସୁରକ୍ଷା ଓ ରାସ୍ତାଘାଟ ବନ୍ଦ ରହିବା ଯୋଗୁ ଏପରି ଅବସ୍ଥା ଉପୁଜିଛି।

ହୋଟେଲ, ରେଷ୍ଟୁରାଣ୍ଟ ଓ ଫିଲ୍ମହଲ ବୁକିଂ କ୍ୟାନସେଲ
ରାଜଧାନୀ ଦିଲ୍ଲୀକୁ ଦୈନିକ ସହର ବାହାରୁ ୩ରୁ ୪ଲକ୍ଷ ଲୋକେ କିଣାକିଣି ପାଇଁ ଆସିଥାନ୍ତି। ହେଲେ ଲୋକେ ଶନିବାର ଦିଲ୍ଲୀ ପହଞ୍ଚି ପାରି ନହାନ୍ତି। ସୁରକ୍ଷା ଓ ଟ୍ରାଫିକ ଜାମ ଭୟରେ ଦିଲ୍ଲୀ ବାସିନ୍ଦା ମଧ୍ୟ ଶନିବାର ଘରୁ ପଦାକୁ ବାହାରୁ ନାହାନ୍ତି। ଏହା ଛଡା ଅଧିକାଂଶ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ରହିଛି। ଏଣୁ ରାଜଧାନୀ ଦିଲ୍ଲୀକୁ ଲୋକଙ୍କ ଯାତାୟାତ ଠପ ହୋଇଯାଇଛି। ଆଜି ସହରର ପେଟ୍ରୋଲ ପମ୍ପ ମାନଙ୍କରେ ଭିଡ ନଥିବା ବେଳେ ହୋଟେଲ, ରଷ୍ଟୁରାଣ୍ଟ, ସିନେମା ହଲ, ବ୍ୟୁଟିପାର୍ଲର ଓ ସେଲୁନ ବୁକିଂ ମଧ୍ୟ କ୍ୟାନସଲ ହୋଇଯାଇଛି।

ଆପେଆପେ ବନ୍ଦ ହେଲା ଖାନ ମାର୍କେଟ
ଏଥି ମଧ୍ୟରେ ଖାନ ମାର୍କେଟ ଟ୍ରେଡର୍ସ ଆସୋସିଏସନ ଅଧ୍ୟକ୍ଷ ସଞ୍ଜୀବ ମେହେରା କକ୍ରୋଚ ଜନତା ପାର୍ଟି (ସିଜେପି)ର ଦିଲ୍ଲୀ ବିରୋଧ ପ୍ରଦର୍ଶନ ସନ୍ଦର୍ଭରେ କହିଛନ୍ତି ଯେ ସେ ନିଜେ ନିଜ ଆଡୁ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ଖାନ ମାର୍କେଟ ସେହି ବଜାରମାନଙ୍କ ମଧ୍ୟରେ ସାମିଲ ଯାହା ଜନ୍ତରମନ୍ତର ନିକଟରେ ରହିଛି। ଏଣୁ ପ୍ରଦର୍ଶନକାରୀଙ୍କୁ ରୋକାଗଲେ ବଜାର ପ୍ରଭାବିତ ହେବାର ଅନେକ ସମ୍ଭାବନା ରହିଛି। ଏହା ଦ୍ୱାରା ଦୋକାନ ଓ ସମ୍ପତ୍ତି କ୍ଷତିଗ୍ରସ୍ତ ହେବାର ମଧ୍ୟ ଭୟ ଥାଏ।

ଦିନେ ଦୋକାନ ବନ୍ଦ ହେଲେ ୧ରୁ ଦେଢଲକ୍ଷ ଟଙ୍କାର କ୍ଷତି
ମେହରା କହିଛନ୍ତି ଯେ ଖାନ ମାର୍କେଟ, କନ୍ନଟ ପ୍ଲେସ୍ ଓ ସାଉଥ ଏକ୍ସଟେନସନ ଭଳି ବଜାରରେ ଦୋକାନ ବନ୍ଦ ରହିଲେ ବି ଦୋକାନ ଭଡ଼ା ଓ କର୍ମଚାରୀ ବେତନ ଭଳି ମୋଟା ଖର୍ଚ୍ଚ ବନ୍ଦ ହୁଏ ନାହିଁ। ଗୋଟିଏ ଦିନ ବନ୍ଦ ହେଲେ ଦୋକାନ ପିଛା ୧ରୁ ଦେଢ ଲକ୍ଷ ଟଙ୍କା କ୍ଷତି ହୁଏ। ଏଥିରେ ଫଳ ଓ ଗ୍ରୋସରୀ ଭଳି ଶୀଘ୍ର ଖରାପ ହେଉଥିବା ସାମଗ୍ରୀ କ୍ଷତି ପରିମାଣକୁ ଆହୁରି ବଢାଇ ଦିଏ।