ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି । ମଙ୍ଗଳବାର ଜାକର୍ତ୍ତାରେ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧନ କରି ବିଜୁ ପଟ୍ଟନାୟକଙ୍କ କାର୍ଯ୍ୟକୁ ଉଲ୍ଲେଖ କରିଛନ୍ତି । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ସମୟରେ ଡଚ୍ ଶାସନାଧୀନ ଜାଭାରୁ ସେଠାକାର ଶୀର୍ଷ ନେତୃତ୍ୱଙ୍କୁ ଉଦ୍ଧାର କରିବାରେ ବିଜୁ ପଟ୍ଟନାୟକଙ୍କ ସାହସିକ ଭୂମିକାକୁ ପ୍ରଶଂସା କରିଛନ୍ତି ।

ଜାକର୍ତ୍ତାରେ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧିତ କରି ମୋଦୀ କହିଛନ୍ତି , ଜଣେ ପାଇଲଟ୍ ଭାବରେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆ ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁତାନ ସାହରିର ଏବଂ ଉପ-ରାଷ୍ଟ୍ରପତି ମହମ୍ମଦ ହାଟ୍ଟାଙ୍କୁ ସୁରକ୍ଷିତ ଭାବେ ଭାରତ ଆଣିଥିଲେ । ଏହା ନୂଆଦିଲ୍ଲୀ ଏବଂ ଇଣ୍ଡୋନେସିଆ ସଂପର୍କକୁ ଆହୁରି ଘନିଷ୍ଠ କରିଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି, "ଆମ ଦୁଇ ଦେଶ ପ୍ରାୟ ଏକା ସମୟରେ ସ୍ୱାଧୀନତା ଲାଭ କରିଥିଲେ । ଇଣ୍ଡୋନେସିଆ ୧୯୪୫ରେ ଏବଂ ଭାରତ ୧୯୪୭ରେ । ଯେତେବେଳେ ସ୍ୱାଧୀନ ଦେଶ ଭାବରେ ସାର୍ବଭୌମତ୍ୱ କଥା ଆସିଲା, ଜାତିସଂଘରେ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନ ସପକ୍ଷରେ ଭାରତ ଏକ ଦୃଢ଼ ସ୍ୱର ସାଜିଥିଲା । ସେହି ସମୟରେ ସମ୍ମାନନୀୟ ବିଜୁ ପଟ୍ଟନାୟକଙ୍କ ଯେଉଁଭଳି ଭାବେ ସେ ପ୍ରଧାନମନ୍ତ୍ରୀ ସୁତାନ ସଜାହରିର ଏବଂ ଉପ-ରାଷ୍ଟ୍ରପତି ମହମ୍ମଦ ହାଟ୍ଟାଙ୍କୁ ସୁରକ୍ଷିତ ଭାବେ ଭାରତ ଆଣିଥିଲେ, ତାହା ଦୁଇ ଦେଶକୁ ଅଧିକ ନିକଟତର କରିଥିଲା" ।

ସେ ଆହୁରି ମଧ୍ୟ କହିଛନ୍ତି, "ଭାରତ ଏବଂ ଇଣ୍ଡୋନେସିଆ ପାଇଁ ସମୁଦ୍ର କେବେ ବି ଦୂରତା ସୃଷ୍ଟି କରିନାହିଁ । ଏହା ସବୁବେଳେ ଆମ ଦେଶଗୁଡ଼ିକ ମଧ୍ୟରେ ଏକ ସେତୁ ହୋଇ ରହିଆସିଛି ଏବଂ ଆମର ଭବିଷ୍ୟତ ପାଇଁ ମଧ୍ୟ ଏହା କେନ୍ଦ୍ରବିନ୍ଦୁ ହୋଇ ରହିବ ।"

 

ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକା

୧୯୪୭ ମସିହାରେ ଡଚ୍ ଔପନିବେଶିକ ଶାସନ ବିରୁଦ୍ଧରେ ଚାଲିଥିବା ଇଣ୍ଡୋନେସିଆର ଜାତୀୟ ବିପ୍ଳବରେ ବିଜୁ ପଟ୍ଟନାୟକ ନିଜ ଜୀବନକୁ ବାଜି ଲଗାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଅନୁରୋଧରେ, ବିଜୁ ପଟ୍ଟନାୟକ ଡଚ୍ ସେନାର କଡ଼ା ପ୍ରତିବନ୍ଧକକୁ ଭାଙ୍ଗି ଇଣ୍ଡୋନେସିଆର ଶୀର୍ଷ ବିଦ୍ରୋହୀ ନେତାମାନଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ସ୍ୱାଧୀନତା ସଂଗ୍ରାମ ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ଡଚ୍ମାନେ ଇଣ୍ଡୋନେସିଆକୁ ପୁଣିଥରେ ନିଜ ଅଧୀନକୁ ନେବାକୁ ଚେଷ୍ଟା କରିଥିଲେ । ଏକ ବଡ଼ ଧରଣର ସାମରିକ ଆକ୍ରମଣ ଆରମ୍ଭ କରିଥିଲେ । ସେମାନେ ସ୍ୱାଧୀନତା ଆନ୍ଦୋଳନକୁ ଦବାଇବା ପାଇଁ ଜାକର୍ତ୍ତାରେ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁତାନ ସାହରିର ଏବଂ ଉପ-ରାଷ୍ଟ୍ରପତି ମହମ୍ମଦ ହାଟ୍ଟାଙ୍କୁ ଗୃହବନ୍ଦୀ କରି ରଖିଥିଲେ । ଏହି ସମୟରେ ନେହରୁ ୩୧ ବର୍ଷୀୟ ଯୁବକ ବିଜୁ ପଟ୍ଟନାୟକଙ୍କୁ ଏକ ଗୁପ୍ତ ଅପରେସନର ଦାୟିତ୍ୱ ଦେଇଥିଲେ ।

୧୯୪୭ ଜୁଲାଇ ମସିହାରେ, ବିଜୁ ପଟ୍ଟନାୟକ ଏବଂ ତାଙ୍କ ସହ-ପାଇଲଟ୍ ତଥା ପତ୍ନୀ ଜ୍ଞାନ ପଟ୍ଟନାୟକ ଭାରତରୁ 'ଡାକୋଟା' ବିମାନ ଉଡ଼ାଇ ଇଣ୍ଡୋନେସିଆ ଆକାଶ ମାର୍ଗରେ ପ୍ରବେଶ କରିଥିଲେ । ଡଚ୍ ସେନା ବିମାନକୁ ଗୁଳି କରି ଖସାଇ ଦେବାକୁ ଧମକ ଦେଇଥିଲେ । ଜବାବରେ ବିଜୁ ପଟ୍ଟନାୟକ କହିଥିଲେ ଯେ ଯେକୌଣସି ଶତ୍ରୁତାପୂର୍ଣ୍ଣ ପଦକ୍ଷେପ ବଦଳରେ ଭାରତୀୟ ଆକାଶ ମାର୍ଗରେ ଡଚ୍ ବିମାନଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯିବ । ଶେଷରେ ବିଜୁ ପଟ୍ଟନାୟକ ସିଙ୍ଗାପୁର ଦେଇ ସାହରିର ଏବଂ ହାଟ୍ଟାଙ୍କୁ ସଫଳତାର ସହ ଧରି ୨୪ ଜୁଲାଇ ୧୯୪୭ରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ।