ନୂଆଦିଲ୍ଲୀ: ବେଦୀକୁ ଯିବା ସମୟରେ ରିଲ୍ସ କଲେ କନିଆ । ତାଙ୍କର ଏହି ରିଲ୍ସ ନିଶା ପାଇଁ ସଠିକ୍‌ ସମୟରେ ହୋଇପାରିଲା ନାହିଁ ବିବାହ ରୀତିନୀତି । ସମୟ ଗଡ଼ିଚାଲିଥିଲା, କନିଆଙ୍କ ଡ୍ୟାନ୍ସ ଷ୍ଟେପ ବଦଳିଚାଲିଥିଲା । ଆଉ ସେପଟେ ବର ବାପା ଏବଂ ବଡ଼ ଭାଇଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବାରେ ଲାଗିଥିଲା ।  ଶେଷରେ ସବୁକିଛି ଓଲଟପାଲଟ ହୋଇଗଲା । ବର ଭାଇ ଏବଂ ପିତା ଉଭୟ ରାଗରେ ବିବାହ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କନିଆର ରିଲ୍ସ ନିଶା ପାଇଁ ବିବାହ ଅଧାରୁ ଅଟକିଗଲା ।  ହରିୟାଣାର କୈଥଲରେ ଏକ ପାରମ୍ପରିକ ବିବାହ ଉତ୍ସବ ଅଧାରୁ ଭାଙ୍ଗିଯିବା ଭଳି ଘଟଣା ସାମ୍ନାକୁ ଆସିଛି। 

କନିଆର ମଣ୍ଡପ ପ୍ରବେଶ ସମୟରେ ନାଚିବା ଏବଂ ସୋସିଆଲ ମିଡିଆ ପାଇଁ ଭିଡିଓ ରିଲ୍ସ ବନାଇବାକୁ ନେଇ ବର ଓ କନିଆ ପକ୍ଷ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ଏହି ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ଶେଷରେ ବାହାଘର ଭାଙ୍ଗିଯାଇଛି । ଲାଲ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିବା କନିଆ ଜୟମାଳା ସମାରୋହ ପାଇଁ ସିଧାସଳଖ ମଣ୍ଡପକୁ ନଆସି, ନାଚି ନାଚି ଏବଂ ରିଲ୍ସ ରେକର୍ଡିଂ କରି କରି ଆସିଥିଲେ। ବପାରମ୍ପରିକ ନୀତିକାନ୍ତିରେ ଏପରି ଅନାବଶ୍ୟକ ବିଳମ୍ବ ବରପକ୍ଷଙ୍କୁ ଅତ୍ୟନ୍ତ କ୍ରୋଧିତ କରିଦେଇଥିଲା । ଫଳରେ ବିବାହ ମଣ୍ଡପ ଭିତରେ ପରିସ୍ଥିତି ବିଗିଡ଼ି ଯାଇଥିଲା ।

ସାଂସ୍କୃତିକ ପରମ୍ପରା ଏବଂ ସମୟକୁ ଗୁରୁତ୍ୱ ନଦେଇ କନିଆ ସୋସିଆଲ ମିଡିଆ କଣ୍ଟେଣ୍ଟ ତିଆରି କରିବାକୁ ପ୍ରାଥମିକତା ଦେଇଥିଲେ ।  ଫଳରେ  ବିବାଦ ଉଗ୍ରରୂପ ଧାରଣ କରିଥିଲା । ଏଥିରେ ବର ପକ୍ଷ ବିରକ୍ତ ହୋଇଥିଲେ । କନିଆଙ୍କ ଡ୍ୟାନ୍ସ ଯୋଗୁଁ ବିବାହରେ ବିଳମ୍ବ ହେବାରୁ ବର ପକ୍ଷ ରାଗି ହୋହଲ୍ଲା କରିଥିଲେ । ଏକ ପାରମ୍ପରିକ ପାରିବାରିକ ଉତ୍ସବରେ ଏପରି ଆଚରଣକୁ ଅନୁଚିତ ଦର୍ଶାଇ ବରଙ୍କ ବାପା ଏବଂ ବଡ଼ ଭାଇ ଏହାକୁ ଦୃଢ଼ ବିରୋଧ କରିଥିଲେ। ମଣ୍ଡପ ମଧ୍ୟରେ ଦୁଇ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

ଖବର ଅନୁଯାୟୀ, ଘଟଣାସ୍ଥଳରେ ପାଟିତୁଣ୍ଡ ଏବଂ ଝଗଡ଼ା ବଢ଼ିବାରୁ ବରପକ୍ଷ ସମସ୍ତ ନୀତିକାନ୍ତି ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ବର ଏବଂ ବରଯାତ୍ରୀ ମଣ୍ଡପ ଛାଡ଼ି ଚାଲିଯାଇଥିଲେ। ବାହାଘର ଭାଙ୍ଗିବା ନିଷ୍ପତ୍ତି ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ତବ୍ଧ କରିଦେଇଥିଲା । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଜଣେ ୟୁଜର ଲେଖିଛନ୍ତି, ‘ତାଙ୍କୁ ତାଙ୍କ ଇଚ୍ଛାରେ ଛାଡ଼ିଦିଅ, ଏହା ତାଙ୍କର ଦିନ।’ ଅନ୍ୟ ଜଣେ ଲେଖିଛନ୍ତି, ‘ବିନା କୌଣସି କ୍ଷତିରେ ପ୍ରି-ୱେଡିଂ ଷ୍ଟେପ୍।’ ଅନ୍ୟ ଜଣେ ସନ୍ଦେହ ପ୍ରକାଶ କରି ଲେଖିଛନ୍ତି, ‘ଏହା ସମ୍ପୂର୍ଣ୍ଣ ଫେକ୍ ଭଳି ଲାଗୁଛି, କିନ୍ତୁ ଆଜିକାଲି କିଛି କୁହାଯାଇ ନପାରେ।’ 

ସେପଟେ ସୋସିଆଲ ମିଡିଆରେ ଭିଉ ଏବଂ ଲାଇକ୍ସ ପାଇବାକୁ କଣ୍ଟେଣ୍ଟ କ୍ରିଏଟରାମାନେ ଏଭଳି ଭିଡିଓ ସୁଟ୍‌ କରୁଛନ୍ତି । ହୁଏତ ଏହି ଭିଡିଓ କୌଣସି କଣ୍ଟେଣ୍ଟ କ୍ରିଏଟରଙ୍କ ଆଇଡିଆ ହୋଇଥାଇପାରେ । ଏହି ଘଟଣାକୁ ନେଇ ବିଭିନ୍ନ ଖବର ଆସୁଥିଲେ ବି, ଏହାକୁ କୌଣସି ଗଣମାଧ୍ୟମ ସ୍ବାଧୀନ ଭାବରେ ପରଖି ନାହାନ୍ତି ।