ନୂଆଦିଲ୍ଲୀ: ଫିଫା ବିଶ୍ୱକପ କ୍ରେଜ୍ ଭାରତୀୟ ଫୁଟବଲ୍ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଫୁଟବଲ୍ର ଲୋକପ୍ରିୟତା ଦେଶରେ ଲଗାତାର ବଢ଼ି ଚାଲିଛି । ଏହାରି ଭିତରେ ଭାରତୀୟ ଫୁଟବଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସିଖବର ଆସିଛି । ଭାରତ ଆସିବ ପାଞ୍ଚ ଥର ଫାଫି ବିଶ୍ୱକପ ବିଜୟୀ ଦଳ ବ୍ରାଜିଲ୍ ।

ବ୍ରାଜିଲର ଭାରତ ଗସ୍ତକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଅକ୍ଟୋବର ୩ରେ କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଭାରତ ସହ ବ୍ରାଜିଲ ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ । ବ୍ରାଜିଲିଆନ୍ ଫୁଟବଲ୍ କନଫେଡେରେସନ୍ (ସିବିଏଫ୍) ଏହା ସ୍ପଷ୍ଟ କରିଛି । ଏହା ସେଲେସାଓର ଭାରତୀୟ ମାଟିରେ ପ୍ରଥମ ମ୍ୟାଚ୍ ହେବ ।

ଏହି ସୂଚନା ବ୍ରାଜିଲର ପ୍ରସ୍ତାବିତ ଭାରତ ଗସ୍ତକୁ ନେଇ କିଛି ଦିନ ହେବ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛି । ଇଏସପିଏନ୍ ବ୍ରାଜିଲର ପୂର୍ବରୁ ନିଜ ରିପୋର୍ଟରେ ଦାବିି କରିଥିଲା ଯେ ସିବିଏଫ୍ କୋଲକାତାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଆୟୋଜନ କରିବା ପାଇଁ ଆଲୋଚନା କରୁଛି । କିନ୍ତୁ ସେତେବେଳେ ବିରୋଧୀ ଦଳ ଚୂଡ଼ାନ୍ତ ହୋଇନଥିଲା ।

ସିବିଏଫ୍ ଏବଂ ଭାରତୀୟ ଅଂଶୀଦାରମାନଙ୍କ ମଧ୍ୟରେ ଏହି ଆଲୋଚନା ଫିଫା ବିଶ୍ୱକପ୍ ୨୦୨୬ ସମୟରେ ଆରମ୍ଭ ହୋଇଥିଲା । ଭାରତୀୟ ପ୍ରଶଂସକଙ୍କ ଠାରୁ ବ୍ରାଜିଲ ଦଳକୁ ମିଳିଥିବା ବିପୁଳ ସମର୍ଥନ, ସୋସିଆଲ ମିଡିଆରେ ସମର୍ଥକଙ୍କ ଭିଡିଓ ଭାଇରାଲ ହେବା ପରେ ଭାରତରେ ଖେଳିବା ପାଇଁ ବ୍ରାଜିଲର ଆଗ୍ରହ ଆହୁରି ବୃଦ୍ଧି ପାଇଥିଲା ।

ସିବିଏଫ୍ ନିଜ ବିବୃତିରେ କହିଛି, " ବ୍ରାଜିଲ ଜାତୀୟ ଦଳର କାର୍ଯ୍ୟସୂଚୀ ଜାରି ରହିଛି । ଅଷ୍ଟ୍ରେଲିଆରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପରେ, ଆମର ପରବର୍ତ୍ତୀ ଗନ୍ତବ୍ୟ ସ୍ଥଳ ହେବ ଭାରତ । ଯେଉଁଠାରେ ଆମେ ଆମ ଇତିହାସର ଏକ ଅଭୂତପୂର୍ବ ଅଧ୍ୟାୟ ଲେଖିବୁ । ଅକ୍ଟୋବର ୩ରେ, କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଜାତୀୟ ଦଳ ପ୍ରଥମ ଥର ପାଇଁ ଭାରତୀୟ ମାଟିରେ ପଦାର୍ପଣ କରିବ । ଏହା ଏପରି ଏକ ଦେଶ ସହିତ ଏକ ସ୍ୱତନ୍ତ୍ର ମିଳନ ହେବ, ଯେଉଁଠାରେ ବ୍ରାଜିଲ ଜାତୀୟ ଦଳର ସବୁଠାରୁ ବଡ଼ ଅନ୍ତର୍ଜାତୀୟ ପ୍ରଶଂସକ ଅଛନ୍ତି । ଯେଉଁମାନେ ପିଢ଼ି ପରେ ପିଢ଼ି ବ୍ରାଜିଲ ଫୁଟବଲର ଇତିହାସକୁ ଭଲପାଇବା ଦେଇଛନ୍ତି । କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ସହ ଏହି ମୁହୂର୍ତ୍ତକୁ ଉପଭୋଗ କରିବାକୁ ଆମେ ଆଗ୍ରହୀ ! କୋଲକାତାରେ ଦେଖାହେବ । "

ବ୍ରାଜିଲ ସହ କୋଲକାତାର ଦୀର୍ଘ ଦିନର ସମ୍ପର୍କ

ବ୍ରାଜିଲ୍ ଫୁଟବଲ୍ ସହିତ କୋଲକାତାର ସମ୍ପର୍କ ଦଶନ୍ଧି ପୁରୁଣା । ବିଶ୍ୱକପ୍ ସମୟରେ, ଏହି ସହର ପୁଣି ଥରେ ହଳଦିଆ ଏବଂ ସବୁଜ ରଙ୍ଗର ସମୁଦ୍ରରେ ପରିଣତ ହୋଇଥିଲା । ସମର୍ଥକମାନେ ୫ ଥରର ବିଶ୍ୱବିଜେତାଙ୍କୁ ସମର୍ଥନ କରି ପୂରା ସହରକୁ ବ୍ରାଜିଲ୍ ପତାକା, ମୁରାଲ୍ସ ଏବଂ ଖେଳାଳିଙ୍କ ବିଶାଳ କଟ୍-ଆଉଟ୍ରେ ସଜାଇଥିଲେ । ତେବେ ଏହି ସମ୍ପର୍କ ୧୯୭୭ ମସିହାରୁ ଆରମ୍ଭ ହୋଇଥିଲା । ସେତେବେଳେ ପେଲେ ନିଉୟର୍କ କସମୋସ ସହ କୋଲକାତା ଆସି ମୋହନ ବାଗାନ ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲେ, ଯାହା ଭାରତୀୟ ଫୁଟବଲ ଇତିହାସର ଅନ୍ୟତମ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଛି ।

ତେବେ ଅକ୍ଟୋବର ୩ର ଏହି ମ୍ୟାଚ୍ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବ । ପ୍ରଥମ ଥର ପାଇଁ ବ୍ରାଜିଲର ସିନିୟର ପୁରୁଷ ଜାତୀୟ ଦଳ ଭାରତରେ ଖେଳିବ । ଏହା ବ୍ଲୁ ଟାଇଗର୍ସଙ୍କୁ ଅନ୍ତର୍ଜାତୀୟ ଫୁଟବଲର ଅନ୍ୟତମ ସଫଳ ଦଳ ବିପକ୍ଷରେ ନିଜକୁ ପ୍ରମାଣିତ କରିବାର ଏକ ବିରଳ ସୁଯୋଗ ପ୍ରଦାନ କରିବ ।