ନୂଆଦିଲ୍ଲୀ: ଅପରେସନରେ ସିନ୍ଦୂରରେ ଭାରତୀୟ ସେନାର ପରାକ୍ରମ ସାରା ଦୁନିଆ ଦେଖିଥିଲା । ଭାରତର ମିସାଇଲ୍ ମାଡ଼ରେ ଗୋଟାପଣେ ଥରିଥିଲା ପାକିସ୍ତାନ । ଯୁଦ୍ଧ ବିରତି ପାଇଁ ନିଜେ ଫୋନ କରି ଭାରତ ପାଖରେ ନେହୁରା ହୋଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୨୫ ମେ ମାସରେ ହୋଇଥିବା ସାମରିକ ସଂଘର୍ଷର ଅଜଣା କାହାଣୀ ସାମ୍ନାକୁ ଆସିଛି । ଡିସ୍କଭରୀ ଚ୍ୟାନେଲର ନୂଆ ଡକ୍ୟୁମେଣ୍ଟାରୀ 'ଡିକଲାସିଫାଇଡ୍: ଅପରେସନ୍ ସିନ୍ଦୂର'ରେ ଅନେକ ଅଜଣା କଥା ଜଣାପଡ଼ିଛି । ଡକ୍ୟୁମେଣ୍ଟାରୀ ଦାବି କରିଛି ଯେ, ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନ ଶେଷରେ ଯୁଦ୍ଧବିରତି ପାଇଁ ନିବେଦନ କରିଥିଲା ।

ଡକ୍ୟୁମେଣ୍ଟାରୀରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ବରିଷ୍ଠ ସାମରିକ ଅଧିକାରୀମାନଙ୍କର ସାକ୍ଷାତକାର ସାମିଲ ରହିଛି । ଏଥିରେ ପୂର୍ବତନ ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ୍ ରାଜୀବ ଘାଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି,"ପାକିସ୍ତାନୀ ସମକକ୍ଷ ଅଧିକାରୀ ମୋ ସହ ଯୋଗାଯୋଗ କରି କହିଥିଲେ, ‘ଆପଣ ଆମ ଉପରକୁ ଅନେକ ବ୍ରହ୍ମୋସ ମିସାଇଲ୍ ମାଡ଼ କଲେଣି, ଏବେ ସନ୍ତୁଷ୍ଟ ହୋଇଯାଆନ୍ତୁ । ଆମେ କାହିଁକି ଯୁଦ୍ଧକୁ ବନ୍ଦ ନ କରିବା ?"

ଏନଏସଏ ଅଜିତ୍ ଡୋଭାଲ୍ କହିଛନ୍ତି, "ପାକିସ୍ତାନ ବାରମ୍ବାର ଆମକୁ ଗୁହାରି କରୁଥିଲା । ସେମାନେ କହିଥିଲେ, ‘ବହୁତ ହେଇଗଲା, ଆପଣ ବହୁତ କ୍ଷତି କରିସାରିଲେଣି, ଏବେ ଯୁଦ୍ଧବିରତି ପାଇଁ ରାଜି ହୋଇଯାଆନ୍ତୁ ’ ଏବଂ ଆମେ ସେଥିରେ ରାଜି ହୋଇଥିଲୁ ।" ଡକ୍ୟୁମେଣ୍ଟାରୀ ଅନୁଯାୟୀ, ପାକିସ୍ତାନ ସେନାମୁଖ୍ୟ ଜେନେରାଲ୍ ଆସିମ୍ ମୁନିର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ ଯୋଗାଯୋଗ କରିଥିଲେ । ରୁବିଓ ପରେ ଭାରତର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସହ କଥା ହୋଇଥିଲେ । ପାକିସ୍ତାନୀ ଏବଂ ଭାରତୀୟ ଡିଜିଏମ୍ଓସିଧାସଳଖ କଥା ହେବା ପାଇଁ ରୁବିଓଙ୍କୁ କୁହାଯାଇଥିଲା ।

ଏହି ସଂଘର୍ଷ ସମୟରେ ଆକାଶମାର୍ଗର ସ୍ଥିତି ଉପରେ ବାୟୁସେନାର ପୂର୍ବତନ ଉପମୁଖ୍ୟ ଏୟାର ମାର୍ଶଲ୍ ନର୍ମଦେଶ୍ୱର ତିୱାରୀ କହିଛନ୍ତି, "ମାତ୍ର ୧୫-୨୦ ମିନିଟ୍ ମଧ୍ୟରେ ଉଭୟ ପକ୍ଷରୁ ପ୍ରାୟ ୪୦ରୁ ୫୦ଟି ଯୁଦ୍ଧବିମାନ ଆକାଶରେ ଥିଲେ ।" ସେତେବେଳେ ଦକ୍ଷିଣ-ପଶ୍ଚିମ ବାୟୁସେନା କମାଣ୍ଡର ଥିବା ଏୟାର ମାର୍ଶଲ୍ ନାଗେଶ କାପୁରଙ୍କ ଅନୁଯାୟୀ, ଭାରତୀୟ ସେନା ଏପରି ବ୍ୟୁହ ରଚିଥିଲା ଯେପରି ଶତ୍ରୁର କୌଣସି ବିମାନ ସୀମା ପାର୍ କରି ନପାରେ । ଭାରତ ପକ୍ଷରୁ 'ସର୍ଫେସ୍-ଟୁ-ଏୟାର' ମିସାଇଲ୍ ମାଧ୍ୟମରେ ମଧ୍ୟ କଡ଼ା ଜବାବ ଦିଆଯାଇଥିଲା ।