ବ୍ରହ୍ମପୁର ୧୩।୮: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେଲେ ବ୍ରହ୍ମପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର । ୫୦ ପ୍ରତିଶତ ସବସିଡି ଟଙ୍କା ଛାଡ଼ିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ ୧୫,୦୦୦ ଟଙ୍କା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମିଶ୍ରିତ କୃଷି ପ୍ରଣାଳୀ ଅଧୀନରେ ଥିବା ଫାଇଲ୍ ପ୍ରୋସେସ୍ କରିବା ଏବଂ ୫୦ ପ୍ରତିଶତ ସବସିଡି ଟଙ୍କା ଛାଡ଼ିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିବା ସମୟରେ ବ୍ରହ୍ମପୁରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି ।

ଗତ ଦୁଇ ମାସ ଧରି ହିତାଧିକାରୀଙ୍କ ନିବେଦନ ସତ୍ତ୍ୱେ କାମ ନକରି ଅଗ୍ରୀମ ୧୫,୦୦୦ ଟଙ୍କା ସହ ପରବର୍ତ୍ତୀ ସମୟରେ କମିଶନ୍ ମାଗୁଥିବାରୁ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଚଢ଼ାଉ ବେଳେ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ପାଇଁ ମିଶ୍ରଙ୍କ ୩ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନଥିବା ବେଳେ ତଦନ୍ତ ଚାଲିଥିବା କହିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି । କୃଷି ଅଧିକାରୀ ୨୦୨୯ ମସିହାରେ ଅବସର ଗ୍ରହଣ କରିଥାନ୍ତେ ବୋଲି ଭିଜିଲାନ୍ସ ଏସ୍‌ପି କହିଛନ୍ତି ।

Watch Video:​​​​​​​