ମୁମ୍ବାଇ: ତେଲୁଗୁ ଚଳଚ୍ଚିତ୍ର ଜଗତର ବରିଷ୍ଠ ହାସ୍ୟାଭିନେତା ବ୍ରହ୍ମାନନ୍ଦମ୍ଙ୍କ ବଡ଼ ଭାଇ ଶ୍ରୀ ବଦନ ନିଜ ଅଭିନେତା ଭାଇଙ୍କ ସହ ଥିବା ଦୂରତାକୁ ନେଇ ଏକ ସାକ୍ଷାତକାରରେ ଭାବବିହ୍ୱଳ ମନ୍ତବ୍ୟ ଦେଇଛନ୍ତି। 'AVM'କୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ବଦନ ପ୍ରକାଶ କରିଛନ୍ତି ଯେ, ସେମାନେ ୬ ଜଣ ଭାଇଭଉଣୀ ଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ କେବଳ ସେ ଏବଂ ବ୍ରହ୍ମାନନ୍ଦମ୍ ଜୀବିତ ଅଛନ୍ତି।

ଶ୍ରୀ ବଦନ ନିଜ ପୈତୃକ ଗାଁରେ ଏକାକୀ ରହୁଛନ୍ତି। ନିକଟରେ ବ୍ରହ୍ମାନନ୍ଦମ୍ ଗାଁକୁ ଆସିଥିଲେ ମଧ୍ୟ ତାଙ୍କ ସହ ଦେଖା ନକରି ଫେରିଯାଇଥିଲେ । ସେ କହିଛନ୍ତି, ‘ବ୍ରହ୍ମାନନ୍ଦମ ଜଣେ ବଡ଼ ଅଭିନେତା, ଫିଲ୍ମ ସୁଟିଂ ଯୋଗୁଁ ବ୍ୟସ୍ତ ରହିବା ସ୍ୱାଭାବିକ। କିନ୍ତୁ ଦିନକରେ ୧-୨ ମିନିଟ୍ ସମୟ ବାହାର କରି ଅନ୍ନୟା (ଭାଇ), କେମିତି ଅଛୁ ? ପଦେ ପଚାରିବାକୁ ମୁଁ ଚାହିଁ ରହିଥାଏ ।’ସେ ନିଜ ଭାଇଙ୍କୁ କୌଣସି ଦୋଷ ନଦେଇ କେବଳ ନିଜର ଭାବନା ପ୍ରକାଶ କରିଛନ୍ତି।

ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ପ୍ରଶଂସକମାନେ ଏହାକୁ ନେଇ ନିଜର ମତାମତ ଦେଉଛନ୍ତି। ୪ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟରତ ବ୍ରହ୍ମାନନ୍ଦମ୍ ୧,୦୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। ଜୀବିତ ଅଭିନେତା ଭାବେ ସବାଧିକ ଚଳଚ୍ଚିତ୍ରରେ କାମ କରିଥିବାରୁ ତାଙ୍କ ନାମ 'ଗିନିଜ୍ ୱାର୍ଲ୍ଡ ରେକର୍ଡ'ରେ ସ୍ଥାନ ପାଇଛି। ଭାରତୀୟ ସିନେମା ପ୍ରତି ତାଙ୍କର ଅବଦାନ ପାଇଁ ୨୦୦୯ ମସିହାରେ ତାଙ୍କୁ 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତ କରାଯାଇଥିଲା।

ବ୍ରହ୍ମାନନ୍ଦମ ଅଭିନୟ କରିଥିବା ଚଳଚ୍ଚିତ୍ର ଦେଖିବାକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ଲୋକଙ୍କୁ ହସାଇ ହସାଇ ବେଦକ କରପକାଉଥିବା ଲୋକଟି, ନିଜ ବଡ଼ ଭାଇଙ୍କ ସହ ପଦେ କଥା ବି ହେଉନାହାନ୍ତି । ଏକଥା ତାଙ୍କ ବଡ଼ ଭାଇଙ୍କ ମୁହଁରୁ ଶୁଣିବା ପରେ, ପ୍ରଶଂସକ ବି କହୁଛନ୍ତି, ସତରେ କେଡ଼େ ବେଦରଦୀ ବ୍ରହ୍ମାନନ୍ଦମ !