ଭୁବନେଶ୍ୱର ୧୩।୦୪ : କୃତ୍ରିମ ବୁଦ୍ଧିମତା ଦକ୍ଷତା ବିକାଶ କର୍ମଶାଳା ସଫଳତାର ସହିତ ସମାପ୍ତ ହୋଇଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଓ ଓଡିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ)ର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ୪ ଦିନିଆ କୃତ୍ରିମ ବୁଦ୍ଧିମତା ଦକ୍ଷତା ବିକାଶ କର୍ମଶାଳା ସମାପ୍ତ ହୋଇଛି। ୯ରୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ୧୪୫ଟି ବୈଷୟିକ ଶିକ୍ଷାନୁଷ୍ଠାନରୁ ପ୍ରାୟ ୩୦୦ ଅଧିକାରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ବିଶେଷତଃ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ଗୁଡିକର ଅଧ୍ୟକ୍ଷ ଏବଂ ପ୍ଲେସମେଣ୍ଟ ମୁଖ୍ୟମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା।

ସମାପନୀ ଅବସରରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଅଂଶଗ୍ରହଣକାରୀଙ୍କ ସହିତ ବାର୍ତ୍ତାଳାପ କରିବା ସହ କର୍ମଶାଳାର ପରିଣାମ ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ। ଓଡିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଡଃ. ମନୋରଞ୍ଜନ ପୋଥାଳ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତା ବ୍ୟବହାରରେ କାର୍ଯ୍ୟକୁଶଳତା ବୃଦ୍ଧି ପାଇବ ଓ ଓଡିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ ରାଜ୍ୟରେ କୃତ୍ରିମ ବୁଦ୍ଧିମତା ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସଙ୍କଳ୍ପବଦ୍ଧ।

Also Read:-କାହା ଉପରେ ରାଗିଗଲେ ବିରାଟ କୋହଲି ? ଫିଙ୍ଗିଦେଲେ ପିନ୍ଧିଥିବା ହେଲ୍‌ମେଟ୍‌ ଓ ଗ୍ଲୋବ୍ସ

ବିଶ୍ଵବିଦ୍ୟାଳୟର ସ୍ନାତକ ଏବଂ ସ୍ନାତକୋତ୍ତର କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ଶିବ କୁମାର ମିଶ୍ର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଧିକାରିକ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ପାଠ୍ୟକ୍ରମ ବିକାଶ ନିର୍ଦ୍ଦେଶକ ପ୍ରଫେସର ସୁଜିତ କୁମାର ଖୁଣ୍ଟିଆ କହିଥିଲେ ଯେ, ଆମର କୃତ୍ରିମ ବୁଦ୍ଧିମତା ବ୍ୟବହାର ପରିସରକୁ ଅଧିକ ବ୍ୟାପକ କରିବାକୁ ପଡିବ ଓ ଏହାର ସମ୍ଭାବନା ଦିଗକୁ ଅଧିକ ଅନୁସନ୍ଧାନ କରିବାକୁ ପଡିବ।

କର୍ମଶାଳାରେ ଓଡିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ର ବରିଷ୍ଠ ପ୍ରକଳ୍ପ ପ୍ରବନ୍ଧକ ସୁଶାନ୍ତ ଜେ. ଦାସ ଓ ଆଞ୍ଚଳିକ ପ୍ରବନ୍ଧକ ସୌମ୍ୟ ଶୁଭମ୍ ରାଉତ ଅଂଶଗ୍ରହଣକାରୀଙ୍କୁ କୃତ୍ରିମ ବୁଦ୍ଧିମତାର ବିଭିନ୍ନ ପ୍ରୟୋଗ ବିଷୟରେ ସହଜ ଭାବରେ ବୁଝାଇ ଦେଇଥିଲେ। ବରିଷ୍ଠ ପ୍ରବନ୍ଧକ ନିଳାଦ୍ରି ବିହାରୀ ରାୟ ଓଡିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ର ଶିକ୍ଷାନବୀଶ କାର୍ଯ୍ୟକ୍ରମରେ ଜଣେ ଛାତ୍ରଙ୍କ ଯାତ୍ରାର ଉଦାହରଣ ଦେଇ ଏଥିରୁ ଛାତ୍ର, ସଂସ୍ଥା ଓ ଶିଳ୍ପକୁ କିପରି ସହାୟତା ମିଳୁଛି ତାହା ବର୍ଣ୍ଣନା କରିଥିଲେ। ଡଃ. ଅଂଶୁମାନ ସର, ଜୟେଶ ମହାତୋ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅବଦାନ କର୍ମଶାଳାକୁ ଅଧିକ ସଫଳ କରିଥିଲା।

ସମାପନୀ ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ କୁଳପତି ଓ ଡଃ. ପୋଥାଳଙ୍କ ମାନପତ୍ର ଓ କିଛି କୃତ୍ରିମ ବୁଦ୍ଧିମତା ଟୁଲ ଦେଇ ସମ୍ମାନିତ କରିଥିଲେ। ଅଂଶଗ୍ରହଣକାରୀଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ସକାରାତ୍ମକ ଥିଲା ଓ ଏପରି କାର୍ଯ୍ୟକ୍ରମ ଆଗାମୀଦିନରେ ଅନ୍ୟ ସହକର୍ମୀଙ୍କ ପାଇଁ ଆୟୋଜନ କରିବାକୁ ଅଂଶଗ୍ରହଣକାରୀମାନେଇଚ୍ଛା ପ୍ରକାଶ କରିଥିଲେ।