ଲକ୍ଷ୍ନୌ: ବିଜେପି ଯୁବ ମୋର୍ଚ୍ଚାର ନେତାଙ୍କୁ ଗୁଳି ମାଡ଼ କରିଥିବା ଅଭିଯୁକ୍ତ ଗିରଫ । ଉତ୍ତର ପ୍ରଦେଶର ବଜରଖାଲାରେ ବିଜେପି ଯୁବ ମୋର୍ଚ୍ଚାର ନେତାଙ୍କୁ ଘରେ ପଶି ଗୁଳି ମାଡ଼ କରିଥିଲା ଅଭିଯୁକ୍ତ । BJYM ନେତା ଚେତନ ତିଓ୍ବାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ତାଙ୍କର ଚିକିତ୍ସା ଚାଲିଛି । ଗୁଳି ମାଡ଼ ପରେ ତାଙ୍କର ଦୁଇଟି ଗୋଡ ଅକାମୀ ହୋଇଯାଇଥିବା ଡାକ୍ତର କହିଛନ୍ତି । ଅଭିଯୁକ୍ତ ବୈଭବ ବାଜପେୟୀ ପୋଲିସକୁ କହିଛି ଯେ, ଚେତନ ତାକୁ ଲୋକଙ୍କ ଆଗରେ ବଦନାମ କରୁଥିଲେ । ତାକୁ ଏଡସ୍ ହୋଇଛି ବୋଲି ଚେତନ ପ୍ରଚାର କରିଥିଲେ । ଦୁର୍ନାମ ସହିନପାରି ଚେତନଙ୍କୁ ରାସ୍ତାରୁ ହଟାଇବାକୁ ପ୍ଲାନ୍ କରିଥିଲା ୨୫ ବର୍ଷୀୟ ବୈଭବ ।

ଓ୍ବେଷ୍ଟ ଜୋନ୍ ଡିସିପି କମଳେଶ ଦିକ୍ସିତ କହିଛନ୍ତି, ସାବର୍ଜନୀନ ସ୍ଥାନରେ ବୈଭବକୁ ଅପବାଦର ସାମ୍ନା କରିବାକୁ ପଡ଼ିଥିଲା । ଫଳରେ ସେ ଚେତନଙ୍କୁ ମାରିବାକୁ ଯୋଜନା କରିଥିଲା । କିନ୍ତୁ ଅଭିଯୁକ୍ତର ଦାବିରେ କେତେ ସତ୍ୟତା ରହିଛି ସେନେଇ ପୋଲିସ ତଦନ୍ତ କରୁଛି । ତେବେ ମିଳିଥିବା ସୂଚନା ଅନୁସାରେ, ବୈଭବ ନିଜର ବନ୍ଧୁମାନଙ୍କ ସହ ରବିବାର ରାତି ପ୍ରାୟ ୧୧ଟାରେ ଚେତନଙ୍କ ଘର ପାଖରେ ପହଞ୍ଚିଥିଲା । ପତ୍ନୀ ଏବଂ ନିଜ ନବଜାତ ଶିଶୁ ସହ ଘରେ ଥିଲେ ଚେତନ । ବୈଭବ ତାଙ୍କ ଉପରେ ଗୁଳିମାଡ଼ କରିଥିଲା ।

ପୋଲିସର ସୂଚନା ଅନୁଯାୟୀ, ବୈଭବ ଏବଂ ଚେତନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ବୈଭବ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳିମାଡ଼ କରିଥିଲା । ଗୋଟିଏ ଗୁଳି ଚେତନଙ୍କ ଅଣ୍ଟାରେ ବାଜିଥିଲା ଏବଂ ମେରୁଦଣ୍ଡରେ ଅଟକି ଯାଇଥିଲା । ସେପଟେ କିଙ୍ଗ ଜର୍ଜ ମେଡିକାଲର ଡାକ୍ତର କହିଛନ୍ତି, ଚେତନଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କର ଦୁଇଟି ଗୋଡ଼ ଅଚଳ ହୋଇଯାଇଛି ।

ପୋଲିସ କହିଛି ଯେ, ଆକ୍ରମଣ ସମୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା । ଗୁଳିକାଣ୍ଡର ଏକ ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓ ହାତରେ ଲାଗିବା ପରେ ପୋଲିସ କିଛି ଘଣ୍ଟା ମଧ୍ୟରେ ବାଜପେୟୀକୁ ଗିରଫ କରିଥିଲା । ସେପଟେ ଚେତନଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ବୈଭବ ବିରୋଧରେ ଏସସି-ଏସଟି ଆଇନ୍ ଆଧାରରେ ମଧ୍ୟ ମାମଲା ରୁଜୁ କରିଛି ପୋଲିସ । ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ନୀରଜ ସିଂହ ଏବଂ ବିଜେପି ମହାନଗର ସଭାପତି ଆନନ୍ଦ ଦ୍ୱିବେଦୀଙ୍କ ସମେତ ବରିଷ୍ଠ ବିଜେପି ନେତା ହସ୍ପିଟାଲ ଯାଇ ଚେତନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।