ଉଜ୍ଜୟିନୀ/ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲ ସଞ୍ଚୟ କରିବା ଏବଂ ଅନାବଶ୍ୟକ ଖର୍ଚ୍ଚ କାଟ କରିବା ପାଇଁ ଆହ୍ୱାନ ଦେବାର ମାତ୍ର ୨୪ ଘଣ୍ଟା ପରେ, ମଧ୍ୟପ୍ରଦେଶର ଜଣେ ବରିଷ୍ଠ ବିଜେପି ନେତାଙ୍କ କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପି ନେତା ଜଣକ ଉଜ୍ଜୟିନୀରୁ ଭୋପାଳ ପର୍ଯ୍ୟନ୍ତ ପ୍ରାୟ ୫୦ଟି ଗାଡ଼ିର ଏକ ବିଶାଳ କନଭୟ ସହ ଯାତ୍ରା କରୁଥିବାର ଭିଡିଓ ସାମ୍ନାକୁ ଆସିଛି।

ଘଟଣାର ସମ୍ପୂର୍ଣ୍ଣ ବିବରଣୀ

ଜାତୀୟ ଗଣମାଧ୍ୟମ ଇଣ୍ଡିଆଟେଡୁର ରିପୋର୍ଟ ଅନୁସାରେ, ଏହି ନେତା ଜଣଙ୍କ ହେଲେ ମଧ୍ୟପ୍ରଦେଶ ପାଠ୍ୟପୁସ୍ତକ ନିଗମର ନବନିଯୁକ୍ତ ଅଧ୍ୟକ୍ଷ ସୌଭାଗ୍ୟ ସିଂହ ଠାକୁର। ମଙ୍ଗଳବାର ସେ ତାଙ୍କ ନୂଆ ପଦବୀର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ବେଳେ ତାଙ୍କ ପାଖାପାଖି ୫୦ଟି ଗାଡ଼ିର ଏକ କନଭୟ ଯାଇଥିଲା। ସମର୍ଥକମାନଙ୍କ ସହ ଶ୍ରୀ ଠାକୁର ଉଜ୍ଜୟିନୀରୁ ଭୋପାଳ ଯାତ୍ରା କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା। ଏହି କନଭୟରେ ଏସୟୁଭି (SUV) ଏବଂ ଅନ୍ୟାନ୍ୟ ଦାମୀ ଗାଡ଼ି ସାମିଲ ଥିଲା। ସ୍ଥାନୀୟ ସୂତ୍ରରୁ ଖବର ନେଇ ଇଣ୍ଡିଆଟୁଡେ ପ୍ରକାଶ କରିଥିବା ଏହି ରିପୋର୍ଟ ଅନୁସାରେ, ନେତାଙ୍କ ଶକ୍ତି ପ୍ରଦର୍ଶନ ପାଇଁ ପ୍ରାୟ ୫୦ରୁ ଅଧିକ ଗାଡ଼ି ବ୍ୟବହାର କରାଯାଇଥିଲା, ଯାହା ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ସଞ୍ଚୟର ବାର୍ତ୍ତାର ସମ୍ପୂର୍ଣ୍ଣ ଓଲଟା ଥିଲା। ଖୋଦ ବିଜେପି ନେତା ପିଏମଙ୍କୁ ବାର୍ତ୍ତାକୁ ଅଣଦେଖା କରିଥିବା ଖବର ଭାଇରାଲ ହେଉଛି। 

Also Read- NEET-UG cancelled: ପରୀକ୍ଷା ବାତିଲ ନେଇ ଅଶନ୍ତୋଷ ଝାଡିଲେ ସୁପର-୩୦ ପ୍ରତିଷ୍ଠା ଆନନ୍ଦକୁମାର, କହିଲେ ଚୀନ ଭଳି କଡା ହେଉ ନିୟମ

କେବଳ ଇନ୍ଧନ ଖର୍ଚ୍ଚ ନୁହେଁ ଭିଡିଓ ଫୁଟେଜରେ ଦେଖାଯାଇଛି ଯେ ନେତାଙ୍କ ସ୍ୱାଗତ ପାଇଁ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବାରମ୍ବାର ଅଟକିବା ଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ଓ ବିରୋଧାଭାସ

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଏବଂ ପରିବେଶ ସନ୍ତୁଳନ ପାଇଁ ଖାଇବା ତେଲ ଓ ଇନ୍ଧନ ବ୍ୟବହାରରେ ସଂଯମତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ପ୍ରତ୍ୟେକ ନାଗରିକଙ୍କ କ୍ଷୁଦ୍ର ପ୍ରୟାସ ଦେଶର ବୃହତ ସମ୍ପତ୍ତି ବଞ୍ଚାଇପାରିବ। ମାତ୍ର ନିଜ ଦଳର ନେତାଙ୍କ ଏପରି ‘ଭିଭିଆଇପି’ (VVIP) ସଂସ୍କୃତି ଓ ଅପଚୟ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜନୈତିକ ପ୍ରତିକ୍ରିୟା

ଏହି ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, "ବିଜେପି ନେତାଙ୍କ ପାଇଁ ନିୟମ ଓ ନୈତିକତା କେବଳ ସାଧାରଣ ଜନତାଙ୍କ ପାଇଁ, ନିଜ ପାଇଁ ନୁହେଁ।" ଅନ୍ୟପଟେ, ସାଧାରଣ ଜନତା ମଧ୍ୟ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ନେତାଙ୍କ ସ୍ୱାଗତ କିମ୍ବା ଯାତ୍ରା ପାଇଁ ଏତେ ପରିମାଣର ପେଟ୍ରୋଲ ଓ ଡିଜେଲ ନଷ୍ଟ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରୁଛନ୍ତି।

ନେତାଙ୍କ ସଫେଇ

ସଂପୃକ୍ତ ବିଜେପି ନେତା ଏହି ଘଟଣା ଉପରେ କହିଛନ୍ତି ଯେ, ଏହି ଗାଡ଼ିଗୁଡ଼ିକ ସେ ନିଜେ ଆଣି ନଥିଲେ, ବରଂ ତାଙ୍କର ଉତ୍ସାହୀ ସମର୍ଥକ ଓ କର୍ମୀମାନେ ନିଜ ନିଜ ଗାଡ଼ିରେ ତାଙ୍କୁ ସ୍ୱାଗତ କରିବାକୁ ଆସିଥିଲେ। ଏହା ଏକ ଶକ୍ତି ପ୍ରଦର୍ଶନ ନୁହେଁ, ବରଂ କର୍ମୀଙ୍କ ଭଲପାଇବା ବୋଲି ସେ ଦର୍ଶାଇଛନ୍ତି।