ଭୁବନେଶ୍ଵର: ବିଭିନ୍ନ ସ୍ଥାନରେ ମେଳି କରି ସଂଗଠିତ ହେଉଛି ବିଜେଡି । ଭୋଜିଭାତ ଆଳରେ ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କୁ ଏକାଠି କରି ନବୀନଙ୍କ ଏକତା ମନ୍ତ୍ର ବାଣ୍ଟିବାକୁ ପ୍ରୟାସ କରୁଛି ଦଳ । କିଛି ଦିନ ତଳେ ଝୁମୁକାରେ ୬୦ରୁ ଅଧିକ ଯୁବନେତା ଏକାଠି ହୋଇଥିବା ବେଳେ ଆଜି ଭୁବନେଶ୍ବରରେ ଲିଙ୍ଗରାଜମନ୍ଦିରରେ ପହିଲି ଭୋଗ ନୀତିରେ ଏକାଠି ହୋଇଛନ୍ତି ଦଳର ବରିଷ୍ଠ, କନିଷ୍ଠ ଓ ଯୁବ ନେତା । ଏହାରି ଭିତରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ନିଜ ମତ ବଦଳାଇଛନ୍ତି । କହିଛନ୍ତି ନବୀନବାବୁଙ୍କ ସହ ସମସ୍ତ ପ୍ରଭାବୀ ଓ ଦକ୍ଷନେତା ବସି ଆଲୋଚନା କଲେ ବିଜେଡିରେ ବଡ଼ ସମ୍ମୀକରଣ ହେବ । ସେପଟେ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଦଳ ମଜବୁତ୍ ଅଛି । କିଛି ଲୋକଙ୍କ କାନକୁହା କଥାକୁ ଆଲୋଚନା କରିବା ଉଚିତ୍ ନୁହେଁ ।

ପ୍ରତିଷ୍ଠା ଦିବସ ପୂର୍ବରୁ ଅଧିକ ସଂଗଠିତ ହେଉଛି ବିଜେଡି । ଦଳୀୟ ନେତା କର୍ମୀଙ୍କୁ ଏକାଠି କରି ନବୀନଙ୍କ ଏକତା ମନ୍ତ୍ର ବାଣ୍ଟୁଛନ୍ତି କିଛି ଆଗଧାଡ଼ିର ନେତା । କିଛି ଦିନ ତଳେ ଭୁବନେଶ୍ବର ଉପକଣ୍ଠ ଝୁମୁକାରେ ୪୦ରୁ ଅଧିକ ପୂର୍ବତନ ବିଧାୟକ ଓ ଯୁବନେତା ଏକାଠି ହୋଇଥିବା ବେଳେ ଆଜି ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଏକାଠି ହୋଇଛନ୍ତି ବରିଷ୍ଠ, କନିଷ୍ଠ ଓ ଯୁବ ନେତା । ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପକ୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ପହିଲି ଭୋଗ ପାଇବାକୁ ଜମିଥିଲା ବିଜେଡି ନେତାଙ୍କ ଭିଡ଼ । ସମସ୍ତେ ଏକାଠି ହୋଇ ଭୋଗ ପାଇବା ଭିତରେ ଦଳୀୟ ସଂଗଠନକୁ ମଜବୁତ୍ ପାଇଁ ଆଲୋଚନା କରିଥିଲେ ।

ଏହି ଅବସରରେ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡି ମଜବୁତ୍ ଅଛି । କିଛି ଲୋକଙ୍କ କାନକୁହା କଥାକୁ ନେଇ ଆଲୋଚନା କରିବା ଉଚିତ୍ ନୁହେଁ । ସଂଗଠନ ମଜବୁତ୍ କରିବାକୁ ଦଳର ଉପସ୍ତରରୁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ । ଏଥି ପାଇଁ ଦଳ ଭଲ ପ୍ରସ୍ତୁତି କରୁଛି । ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖକୁ ନେବା ଲାଗି ରଣନୀତି ପ୍ରସ୍ତୁତ କରିଛି ଦଳ ।ଏମିତିରେ ଦଳୀୟ ନେତାଙ୍କ ଭୋଜିଭାତକୁ ମେଳି ବୋଲି କୁହାଯିବ ନାହିଁ ବୋଲି କହିଛନ୍ତି ପ୍ରମିଳା।

ଗୋଟେପଟେ ବିଜେଡିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଦ୍ୟମ ଆରମ୍ଭ କରିଥିବା ବେଳେ ତାଙ୍କର ନିର୍ଦ୍ଦେଶରେ ଦଳର କିଛି ଆଗ ଧାଡ଼ିର ନେତା ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି । ନବୀନଙ୍କ ନେତୃତ୍ବରେ କିଭଳି ବିଜେଡି ଅଧିକ ସଂଗଠିତ ହେବ ନେଇ ଆରମ୍ଭ ହୋଇଛି ପ୍ରୟାସ । ଏସବୁ ଭିତରେ ଦଳୀୟ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ୟୁ ଟର୍ଣ୍ଣ ଦେଖିବାକୁ ମିଳିଛି । ଦେବାଶିଷ କହିଛନ୍ତି ନବୀନବାବୁ ସବୁ ଜାଣିଛନ୍ତି । ଆଗାମୀ ଦିନରେ ସଭାପତି ଦଳର ସବୁ ପ୍ରଭାବୀ ଓ ଦକ୍ଷ ନେତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଲେ ବଡ଼ ସମ୍ମୀକରଣ ହେବ ବୋଲି କହିଛନ୍ତି ଦେବାଶିଷ ।

ମୁଖ୍ୟ ବିରୋଧୀ ଦଳ ବିଜେଡି ଏବେ ସଂଗଠନ ମଜବୁତ୍ ଦିଗରେ ଅଧିକ ଗୁରୁତ୍ବ ଦେଇଛି । ନବୀନଙ୍କ ନେତୃତ୍ବରେ ଏକାଠି ହେଉଛନ୍ତି ଦଳର ବରିଷ୍ଠ ଓ ଯୁବ ନେତା । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର ହେବ ବୋଲି ଚର୍ଚ୍ଚା ହେଉଛି । ​​​​​​​