ପାଟନା, ୨୬/୦୮ : କୀର୍ତ୍ତନ କରୁଥିଲେ ଲୋକେ । ହଠାତ ମାଡ଼ି ଆସିଲା କାର୍ । ସମସ୍ତଙ୍କୁ ଚାପି ଦେଲା । ଯେଉଁଥିରେ ଚାଲିଗଲା ୩ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ବିହାରରେ । ଏଠାରେ ସଙ୍କୀର୍ତ୍ତନ କରୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ଏକ କାର୍ ଦ୍ରୁତ ଗତିରେ ଆସି ମାଡ଼ି ଯାଇଛି ।

ରିପୋର୍ଟ ଅନୁସାରେ, ବିହାର ଦେଇ ଯାଇଥିବା ୩୨୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏକ କାର୍ ନିୟନ୍ତ୍ରଣ ହରାଇ ୬ ଜଣଙ୍କ ଉପରେ ମାଡ଼ି ଯାଇଛି । ଏଥିରେ ତିନି ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିଲେ ।

Also Read :- ରାକ୍ଷୀରେ ଘୂର୍ଣିବଳୟ : ଲଘୁଚାପ ପାଇଁ ପ୍ରବଳ ବର୍ଷିବ, ମହାନଦୀରେ ଆସିବ ବନ୍ୟା !

ଗାଁ ଲୋକଙ୍କ କହିବାନୁସାରେ, କଟେୟା ଛକ ନିକଟରେ ଥିବା ଏକ ହନୁମାନ ମନ୍ଦିରରେ କୀର୍ତ୍ତନ ହେଉଥିଲା । ଲୋକେ ମନ୍ଦିର ଆଗରେ ଅର୍ଥାତ ରାସ୍ତା କଡ଼ରେ କୀର୍ତ୍ତନ କରୁଥିଲେ । ଏହି ସମୟରେ ଏକ କାର୍ ଦ୍ରୁତ ଗତିରେ ଆସିଥିଲା । ସମସ୍ତଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣ ପ୍ରାଣ ହରାଇଥିଲେ । ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଘଟଣ ପରେ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଦୋଷୀ ବିରୋଧରେ କଡା଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଖବର ପାଇ ପୋଲିସ ପହଁଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିଥିଲା । ଦୀର୍ଘ ଦୁଇ ଘଣ୍ଟାର ରାସ୍ତାରୋକରେ ଦୁଇ ପାର୍ଶ୍ୱରେ ହଜାର ହଜାର ବାହାନ ଅଟକି ରହିଥିଲା । ଶେଷରେ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।