ନୂଆଦିଲ୍ଲୀ, ୦୧/୦୫ : କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ବା ଇପିଏଫଓ ନିଜ ସଦସ୍ୟଙ୍କ ପାଇଁ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଏହାକୁ ନେଇ ନୂଆ ନୂଆ ଅପଡେଟ୍ ମଧ୍ୟ ସାମ୍ନାକୁ ଆସୁଛି । ଏପରିକି ପେନସନ୍ ମୂଲ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ପେନସନ ପାଇଁ ଦାବିଦାର କର୍ମଚାରୀଙ୍କୁ ସରକାର ବଡ ଉପହାର ଦେବା ନେଇ ଅନୁମାନ କରୁଛନ୍ତି ବିଶେଷଜ୍ଞ ।

ରିପୋର୍ଟ ଅନୁସାରେ, ସରକାର ଇପିଏଫ-୯୫ ପେନସନ୍ ରାଶିକୁ ବୃଦ୍ଧି କରି ୭୫୦୦ ଟଙ୍କା କରିବା ପାଇଁ ବିଚାର କରୁଛନ୍ତି । ଏନେଇ ପୂର୍ବରୁ ଅନେକ ଦାବି ହୋଇଛି । ଏହାବ୍ୟତୀତ ପିଏଫ୍ ଖାତାକୁ ପୁଣି ଥରେ ଆକ୍ଟିଭ୍ କରିବା ପାଇଁ ପ୍ରୋସେସ୍ ଆରମ୍ଭ ହୋଇପାରେ ।

୭୫୦୦ ଟଙ୍କା ପେନସନ୍

ଦୀର୍ଘଦିନ ଧରି ଅନେକ ଶ୍ରମିକ ସଙ୍ଗଠନ ପେନସନ୍ ରାଶି ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି । ଏବେ ୧୦୦୦ ଟଙ୍କା ପେନସନ ମିଳୁଛି । ଯାହାକୁ ୭୫୦୦ ଟଙ୍କା କରିବା ନେଇ ଦାବି ହେଉଛି । ଅର୍ଥାତ ରାଶି ସିଧାସଳଖ ୭.୫ ଗୁଣା ବୃଦ୍ଧି ପାଇବ । ଏହାକୁ ନେଇ ସଂସଦୀୟ କମିଟି ମଧ୍ୟ ସୁପାରିଶ କରିସାରିଛି । ସରକାର ଏନେଇ ବିଚାର କରୁଛନ୍ତି ।

ଚାଲିବ ବନ୍ଦ ହୋଇଥିବା ଖାତା

ଇପିଏଫଓ ଅନ୍ୟ ଏକ ପରିବର୍ତ୍ତନ କରିପାରେ । କୁହାଯାଉଛି ଯେ, ବନ୍ଦ ହୋଇ ପଡି ରହିଥିବା ଖାତା ପୁନଃ ଆକ୍ଟିଭ୍ ହେବ । ଆଧାର କାର୍ଡ୍ ଲିଙ୍କ୍ ରେ ପୁରୁଣା ଖାତା ସହଜରେ ଯୋଡା ହୋଇପାରିବ । ଏହାଦ୍ୱାରା ବନ୍ଦ ପଡିଥିବା ଇପିଏଫଓ ଖାତାର ତଥ୍ୟ ମିଳିପାରିବ । ୟୁଏଏନ୍ ନମ୍ବରରେ ଏହାକୁ ପୁନଃ ଚାଲୁ କରାଯାଇପାରିବ । ସଦସ୍ୟମାନେ ବନ୍ଦ ଖାତାରୁ ଟଙ୍କା ମଧ୍ୟ ଉଠାଇପାରିବେ । ଏଥିପାଇଁ ଇପିଏଫଓ-ଇ ପ୍ରାପ୍ତି ନାମକ ଏକ ପୋର୍ଟାଲ ଲଞ୍ଚ୍ କରାଯିବ ।

Also Read :- ପଓ୍ୱନ ଖେଡ଼ାଙ୍କୁ ସୁପ୍ରିମକୋର୍ଟରୁ ଆଗୁଆ ଜାମିନ : ଗିରଫ କରିପାରିବନି ପୋଲିସ, କିନ୍ତୁ ମାନିବାକୁ ପଡିବ ଏହି ସର୍ତ୍ତ

ଏଟିଏମରୁ ବାହାରିବ ଇପିଏଫ୍ ଟଙ୍କା

ଇପିଏଫଓରେ ହେବାକୁ ଥିବା ଅନ୍ୟ ବଡ ପରିବର୍ତ୍ତନରେ ଏଟିଏମରୁ ଟଙ୍କା ଉଠାଣ ସାମିଲ ଅଛି । ୟୁଜର ଏଟିଏମ୍ ଜରିଆରେ ଇପିଏଫଓ ଟଙ୍କା ଉଠାଇପାରିବେ । ଅନେକ ଟେକନିକାଲ ପରିବର୍ତ୍ତନକୁ ଶୀଘ୍ର ଲାଗୁ କରାଯିବ । ମେ ମାସ ସୁଧା ଏସମସ୍ତ ସୁବିଧା ମିଳିବା ନେଇ ଆଶା ରହିଛି ।