ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନରୱେ ପ୍ରଧାନମନ୍ତ୍ରୀ ଜୋନସ୍ ଗହର ଷ୍ଟୋରଙ୍କ ସହ ବାଣିଜ୍ୟ ଏବଂ ନିବେଶ, ସବୁଜ ପ୍ରଯୁକ୍ତିବିଦ୍ୟା, ନୀଳ ଅର୍ଥନୀତି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି। ସ୍ୱିଡେନରୁ ଦୁଇ ଦିନିଆ ଗସ୍ତରେ ନରଓ୍ବେ ପହଞ୍ଚିବା ପରେ ପିଏମ ମୋଦୀଙ୍କୁ ବିମାନବନ୍ଦରରେ ନରୱେ ପ୍ରଧାନମନ୍ତ୍ରୀ ଷ୍ଟୋର ଏବଂ ସ୍କାଣ୍ଡିନେଭିୟାନ୍ ଦେଶର ଅନ୍ୟାନ୍ୟ ଶୀର୍ଷ ନେତାମାନେ ସ୍ୱାଗତ କରିଥିଲେ। ବଡ଼ କଥା ହେଲା ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନରୱେ ଗସ୍ତ ଏବଂ ୪୩ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦେଶ ଗସ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, ନରୱେ ପିଏମ ଜୋନସ୍ ଗହର ଷ୍ଟୋରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଥିଲେ।

ନରଓ୍ବେକୁ ପିଏମ ମୋଦୀ କଲେ ପ୍ରଶଂସା

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ମୁଁ ନରୱେ ଗସ୍ତ କରି ବହୁତ ଖୁସି। ଏହି ଦେଶ ପ୍ରକୃତି ଏବଂ ମନୁଷ୍ୟର ଉନ୍ନତି ମଧ୍ୟରେ ସମନ୍ୱୟର ଏକ ସୁନ୍ଦର ଉଦାହରଣ। ଏଭଳି ଭବ୍ୟ ସ୍ୱାଗତ ପାଇଁ ନରଓ୍ବେ ପିଏମଙ୍କୁ ହୃଦୟରୁ କୃତଜ୍ଞତା। ଆସନ୍ତାକାଲି ନରୱେର ସମ୍ବିଧାନ ଦିବସର ଗୁରୁତ୍ୱପୂର୍ଣ୍ଣ ଅବସରରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପକ୍ଷରୁ ମୁଁ ନରଓ୍ବେ ଭଳି ଏକ ଦୃଢ଼ ଏବଂ ଜୀବନ୍ତ ଗଣତନ୍ତ୍ରର ଜନତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।’’

Also Read: ନେଦରଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପିଏମ ମୋଦୀଙ୍କ ସମ୍ବୋଧନ, କହିଲେ- ବଡ଼ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ଭାରତ

‘ପହଲଗାମ ଆକ୍ରମଣ ସମୟରେ ଏକତା ଦେଖାଇଥିବାରୁ ଧନ୍ୟବାଦ’

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, "ଗତ ବର୍ଷ ମୋତେ ନରୱେ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁ ସେହି ଗସ୍ତକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ସେହି କଷ୍ଟକର ସମୟରେ ନରୱେ ଆତଙ୍କବାଦ ବିରୁଦ୍ଧରେ ଭାରତ ସହିତ ଦୃଢ଼ ଭାବରେ ଠିଆ ହୋଇ ପ୍ରକୃତ ବନ୍ଧୁତା ପ୍ରଦର୍ଶନ କରିଥିଲା। ଆଜି ମୁଁ ନରୱେ ଆସିଥିବାରୁ, ସେହି ଏକତା ପାଇଁ ମୋର ହୃଦୟରୁ କୃତଜ୍ଞତା।"

ବିଶ୍ୱ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ବାନ

ନିଜ ଅଭିଭାଷଣ ସମୟରେ ପିଏମ ମୋଦୀ ବିଶ୍ୱରେ ଚାଲିଥିବା ସଂଘର୍ଷ ବିଷୟରେ ଉଲ୍ଲେକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ଆଜି ବିଶ୍ୱ ଅସ୍ଥିରତା ଏବଂ ଅନିଶ୍ଚିତତାର ସମୟ ଦେଇ ଗତି କରୁଛି। ୟୁକ୍ରେନ ହେଉ କିମ୍ବା ପଶ୍ଚିମ ଏସିଆ, ବିଶ୍ୱର ଅନେକ ସ୍ଥାନରେ ସଂଘର୍ଷ ଜାରି ରହିଛି। ଏଭଳି ପରିସ୍ଥିତିରେ, ଭାରତ ଏବଂ ୟୁରୋପ ସମ୍ପର୍କରେ ଏକ ନୂଆ ସୁବର୍ଣ୍ଣ ଯୁଗରେ ପ୍ରବେଶ କରୁଛନ୍ତି।"

Also Read: ବିଶ୍ୱ ପାଇଁ ‘ବିପର୍ଯ୍ୟୟର ଦଶକ’...ଚେତାବନୀ ଦେଲେ ପିଏମ ମୋଦୀ

ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବ ନରୱେ

ପ୍ରଧାନମନ୍ତ୍ରୀ ମୋଦୀ ଭାରତ- ୟୁରୋପୀୟ ସଂଘ (EU) ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ, "ଗତ ବର୍ଷ, ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଏକ ଐତିହାସିକ ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା କାର୍ଯ୍ୟକାରୀ କରିଥିଲେ। ଏହି ଚୁକ୍ତିନାମା ଭାରତ ଏବଂ ନରୱେ ମଧ୍ୟରେ ସହଭାଗୀ ଅଭିବୃଦ୍ଧି ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଏକ ବ୍ଲୁପ୍ରିଣ୍ଟ। ଏହି ଚୁକ୍ତିନାମା ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ୧୦୦ ବିଲିୟନ ଡଲାର ନିବେଶ ଆକର୍ଷିତ କରିବା ଏବଂ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି। ଆଜି, ଆମେ ଏହି ଚୁକ୍ତିନାମାର ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ।"

ଭାରତ ଏବଂ ନରୱେ ମଧ୍ୟରେ ବୃଦ୍ଧି ପାଉଥିବା ସହଭାଗୀତାକୁ ପ୍ରଶଂସା

ସେ ଆହୁରି କହିଛନ୍ତି, "ଆଜି ଆମେ ଭାରତ-ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ସହଭାଗୀତାରେ ପରିଣତ କରୁଛୁ। ଏହି ରଣନୈତିକ ସହଭାଗୀତା ଆମର କମ୍ପାନିଗୁଡ଼ିକୁ ସ୍ୱଚ୍ଛ ଶକ୍ତି ଠାରୁ ଜଳବାୟୁ ସ୍ଥିରତା, ନୀଳ ଅର୍ଥନୀତି ଠାରୁ ସବୁଜ ପରିବହନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭାରତର ପରିମାଣ, ଗତି ଏବଂ ପ୍ରତିଭାକୁ ନରୱେର ପ୍ରଯୁକ୍ତିବିଦ୍ୟା ଏବଂ ପୁଞ୍ଜି ସହିତ ମିଶ୍ରଣ କରି ବିଶ୍ୱସ୍ତରୀୟ ସମାଧାନ ବିକଶିତ କରିବାକୁ ସକ୍ଷମ କରିବ। ଗବେଷଣା, ଶିକ୍ଷା ଏବଂ ନବସୃଜନ ମଧ୍ୟ ଆମ ସମ୍ପର୍କର ଦୃଢ଼ ସ୍ତମ୍ଭ ହୋଇଛି। ଆଜି ଆମେ ସ୍ଥିରତା, ସମୁଦ୍ର ଶକ୍ତି, ଭୂବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ଗବେଷଣା ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଛୁ।"

Also Read: ଭାରତ ଓ ୟୁଏଇ ସମ୍ପର୍କରେ ନୂଆ ଅଧ୍ୟାୟ: ୫ ବିଲିୟନ ଡଲାରର ପୁଞ୍ଜି ନିବେଶ ସହ ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ବଡ଼ ଚୁକ୍ତି

ଆର୍କଟିକ୍ ପ୍ରସଙ୍ଗରେ ଭାରତ- ନରୱେ ଚୁକ୍ତି

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନରୱେ ଆର୍କଟିକ୍ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ। ଆର୍କଟିକ୍ ଏବଂ ମେରୁ ଅଞ୍ଚଳରେ ଗବେଷଣାରେ ଆମର ଦୀର୍ଘକାଳୀନ ସହଯୋଗ ରହିଛି। ଭାରତର ଆର୍କଟିକ୍ ଗବେଷଣା କେନ୍ଦ୍ର "ହିମାଦ୍ରି" ପରିଚାଳନା ପାଇଁ ଆମେ ନରୱେ ପ୍ରତି କୃତଜ୍ଞ। ISRO ଏବଂ ନରୱେଜିଆନ୍ ମହାକାଶ ଏଜେନ୍ସି ମଧ୍ୟରେ ଆଜି ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ଆମର ମହାକାଶ ସହଯୋଗରେ ନୂତନ ଦିଗ ଯୋଡ଼ିବ। ଏହି ସମସ୍ତ କ୍ଷେତ୍ରରେ ଗଭୀର ସହଯୋଗ ମାଧ୍ୟମରେ, ଆମର ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନକୁ ବୁଝିବା, ଦୁର୍ବଳ ଇକୋସିଷ୍ଟମକୁ ସୁରକ୍ଷା ଦେବା ଏବଂ ମାନବତାର ଭବିଷ୍ୟତକୁ ସୁରକ୍ଷିତ କରିବାରେ ଯୋଗଦାନ ଦେବେ।

ସମୁଦ୍ର ଗବେଷଣାରେ ବି ଏକାଠି କାମ କରିବେ ଭାରତ ଏବଂ ନରୱେ

ସେ କହିଛନ୍ତି, "ଭାରତ ଏବଂ ନରୱେର ସବୁଜ ରଣନୈତିକ ସହଭାଗୀତା ସମଗ୍ର ବିଶ୍ୱକୁ ଲାଭଦାୟକ ହେବ। ଆମେ ଖୁବ ଖୁସି ଯେ, ନରୱେ ଆଜି ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପରେ ଯୋଗ ଦେଉଛି। ଦୁଇଟି ପ୍ରମୁଖ ସାମୁଦ୍ରିକ ରାଷ୍ଟ୍ର ଭାବରେ, ଆମେ ସାମୁଦ୍ରିକ ଅର୍ଥନୀତି, ସାମୁଦ୍ରିକ ସୁରକ୍ଷା ଏବଂ କ୍ଷମତା ନିର୍ମାଣରେ ମିଳିତ ଭାବରେ ସହଯୋଗକୁ ସୁଦୃଢ଼ କରିବୁ। ଆଜି, ଆମେ ଏକ ତ୍ରିକୋଣୀୟ ବିକାଶ ସହଯୋଗ ଚୁକ୍ତିନାମା ସ୍ୱାକ୍ଷର କରିଛୁ। ଏବେ, ଆମେ ଭାରତର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ପ୍ରକଳ୍ପ ମାଧ୍ୟମରେ ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକରେ ମାନବ ବିକାଶରେ ଯୋଗଦାନ ଦେବୁ।"