ନୂଆଦିଲ୍ଲୀ-;ଜୀବନର ଦୌଡ଼ରେ ସମସ୍ତେ ଆଗକୁ ବଢ଼ିବାକୁ ଚାହାନ୍ତି। କିଏ ଚାହେଁ ବଡ଼ ଚାକିରି, କିଏ ଚାହେଁ ଟଙ୍କା, କିଏ ଚାହେଁ ପ୍ରତିଷ୍ଠା। ଆଉ କିଏ ଚାହେଁ ଏମିତି ଏକ ସଫଳତା, ଯାହାକୁ ଦେଖି ସାରା ଦୁନିଆ ତାଙ୍କୁ ଚିହ୍ନିବ। କିନ୍ତୁ ପ୍ରଶ୍ନ ହେଉଛି ଏହି ଦୌଡ଼ର ଶେଷରେ ଆମେ କେଉଁଠି ପହଞ୍ଚୁ? ସଫଳତାର ଶିଖରରେ ପହଞ୍ଚିବା ପରେ ଅନେକଙ୍କ ଜୀବନରେ ଏକ ଅଜବ ଶୂନ୍ୟତା ଆସିଯାଏ। ଖେଳାଳିଙ୍କୁ ଦେଖନ୍ତୁ। ଅନେକ ଖେଳାଳି ବହୁତ କମ୍ ବୟସରେ ନିଜ କ୍ୟାରିୟରର ଶିଖର ଛୁଇଁଥାନ୍ତି। ଷ୍ଟାଡିୟମ୍ରେ ହଜାର ହଜାର ଲୋକଙ୍କ କରତାଳି, ମିଡିଆର ଚର୍ଚ୍ଚା, ପୁରସ୍କାର ଓ ଖ୍ୟାତି ସବୁକିଛି ମିଳିଥାଏ। କିନ୍ତୁ ସେହି ଆଲୋକ ଧୀରେ ଧୀରେ ଲିଭିଗଲା ପରେ?

ଟେକ୍ନୋଲୋଜି ଦୁନିଆର କୋଟିପତିମାନଙ୍କ କ୍ଷେତ୍ରରେ ମଧ୍ୟ ଏକ ଭିନ୍ନ ପ୍ରକାରର ଦୌଡ଼ ଦେଖାଯାଏ। ବିପୁଳ ସମ୍ପତ୍ତି ଅର୍ଜନ କରିବା ପରେ ସେମାନେ ମିଶ୍ର ମାର୍ଶାଲ ଆର୍ଟ୍ସ, ବଡିବିଲ୍ଡିଂ, ମହାକାଶ ଓ ମଙ୍ଗଳ ଭଳି ନୂଆ ନୂଆ କ୍ଷେତ୍ର ଆଡ଼କୁ ମୁହଁ କରନ୍ତି। କିନ୍ତୁ ଏହି ସମୟରେ ଏକ ମୌଳିକ ପ୍ରଶ୍ନ ମଧ୍ୟ ଉଠେ ଯେଉଁ କାମ ସେମାନଙ୍କୁ ସଫଳତାର ଶିଖରରେ ପହଞ୍ଚାଇଥିଲା, ସେହି କାମକୁ ଆଉ ଭଲ କରିବାର ଚେଷ୍ଟା କାହିଁକି ନୁହେଁ?

also read -ମାନବ ନିୟନ୍ତ୍ରଣରେ ରହୁ AI ବିକାଶ: ହ୍ୱାଇଟ୍ ହାଉସରେ ଜିନପିଙ୍ଗଙ୍କ ବଡ଼ ବୟାନ

ଏହି ପ୍ରଶ୍ନର ଏକ ଅଲଗା ଉତ୍ତର ମିଳେ ଜାପାନର ରାଜନୀତିଜ୍ଞ ୟୋଶୋହିକୋ ନୋଡାଙ୍କ ଜୀବନରୁ। ୟୋଶୋହିକୋ ନୋଡା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ। ସେ ଦେଶର ଅର୍ଥମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଅର୍ଥାତ୍ ଜାପାନର ରାଜନୀତିର ସବୁଠାରୁ ଉଚ୍ଚ ସ୍ତରରେ ସେ ପହଞ୍ଚିସାରିଛନ୍ତି। କିନ୍ତୁ ଆଜି ତାଙ୍କ ଜୀବନର ଏକ ଦୃଶ୍ୟ ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ। ସେ ସକାଳୁ ଚିବାର ମିନାମି-ଫୁନାବାଶି ଷ୍ଟେସନ୍କୁ ଯାଆନ୍ତି ଏବଂ ସେଠାରେ ପ୍ରଚାରପତ୍ର ବାଣ୍ଟନ୍ତି। ସେହି ପ୍ରଚାରପତ୍ରରେ ଦୁର୍ଘଟଣା ବୀମା, ଶାସନ ସଂସ୍କାର ଓ ସାଧାରଣ ଲୋକଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଥାଏ। ଏହା ତାଙ୍କ ପାଇଁ କୌଣସି ନୂଆ କାମ ନୁହେଁ। କାରଣ ରାଜନୀତିରେ ତାଙ୍କ ଯାତ୍ରା ମଧ୍ୟ ସ୍ଥାନୀୟ ରାଜନୀତିରୁ ଆରମ୍ଭ ହୋଇଥିଲା। ଯେଉଁ ଜନସମ୍ପର୍କ ଓ ଗ୍ରାଉଣ୍ଡ୍-ଲେଭେଲ୍ ରାଜନୀତି ତାଙ୍କୁ ଆଗକୁ ନେଇଥିଲା, ସେହି ମାଟି ସହିତ ସେ ଆଜି ମଧ୍ୟ ଯୋଡ଼ି ରହିଛନ୍ତି।

ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ମଧ୍ୟ ସେ ସେହି ମୂଳ କାମକୁ ଭୁଲିନାହାନ୍ତି। ସଫଳତା ବେଳେ ବେଳେ ମଣିଷକୁ ନିଜ ସ୍ୱରୂପ ଠାରୁ ଦୁରେଇ ଦେଇଥାଏ l ସଫଳତା ମିଳିବା ପରେ ମଣିଷ ପ୍ରାୟତଃ ଭୁଲିଯାଏ ଯେ ସେ କେଉଁଠାରୁ ଆରମ୍ଭ କରିଥିଲା। ଜଣେ ଲେଖକ ସାହିତ୍ୟିକ ମଞ୍ଚରେ ନିଜ ପରିଚୟ ତିଆରି କରିବା ପରେ ହୁଏତ ଲେଖିବାର ମୂଳ ଆନନ୍ଦକୁ ଭୁଲିଯାଏ। ଜଣେ ସଙ୍ଗୀତଶିଳ୍ପୀ ବଡ଼ ମଞ୍ଚ, ଲାଇଟ୍ ଓ ଖ୍ୟାତି ପାଇବା ପରେ ସେହି ପ୍ରଥମ ସୁର, ଭୁଲ୍ ଓ ପରୀକ୍ଷା-ନିରୀକ୍ଷାକୁ ଭୁଲିଯାଇପାରନ୍ତି। ଜଣେ ରାଜନେତା ନିର୍ବାଚନ ଜିତି କ୍ଷମତାର ଶିଖରରେ ପହଞ୍ଚିବା ପରେ ଯେଉଁ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ରାଜନୀତିକୁ ଆସିଥିଲେ, ସେହି କଥା ମଧ୍ୟ ଭୁଲିଯାଇପାରନ୍ତି। କିନ୍ତୁ ନୋଡାଙ୍କ କାହାଣୀ ଏକ ଭିନ୍ନ ଛବି ଦେଖାଏ।ପଦବୀ ଶେଷ ହୋଇପାରେ, ଉଦ୍ଦେଶ୍ୟ ନୁହେଁ l ପ୍ରଧାନମନ୍ତ୍ରୀ ପଦ ଏକଦିନ ଶେଷ ହୁଏ। ମନ୍ତ୍ରୀ ପଦ ମଧ୍ୟ ଶେଷ ହୁଏ। କ୍ୟାରିୟରର ଶିଖର ମଧ୍ୟ ଦିନେ ନା ଦିନେ ଅତୀତ ହୋଇଯାଏ। କିନ୍ତୁ ଜଣେ ମଣିଷ କାହିଁକି ସେହି ଯାତ୍ରା ଆରମ୍ଭ କରିଥିଲା ସେହି ଉଦ୍ଦେଶ୍ୟ ଯଦି ଜୀବିତ ରହେ, ତେବେ ସଫଳତାର ଅର୍ଥ କେବଳ ପଦବୀ କିମ୍ବା ଟଙ୍କାରେ ସୀମିତ ରହେନାହିଁ। ନୋଡାଙ୍କ ଷ୍ଟେସନ୍ରେ ପ୍ରଚାରପତ୍ର ବାଣ୍ଟିବାର ଛବି ସେଥିପାଇଁ ଏକ ବଡ଼ ପ୍ରଶ୍ନ ଛାଡ଼ିଯାଏ ?

ଆମେ ଜୀବନରେ କେତେ ଉପରକୁ ଉଠିଲୁ, ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ, ଶିଖରରେ ପହଞ୍ଚିବା ପରେ ଆମେ ନିଜ ଅତୀତକୁ କେତେ ମନେ ରଖିଲୁ, ତାହା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ହୁଏତ ସଫଳତାର ସବୁଠାରୁ ବଡ଼ ପରୀକ୍ଷା ଶିଖରରେ ପହଞ୍ଚିବା ନୁହେଁ। ଶିଖରରେ ପହଞ୍ଚିଲା ପରେ ନିଜ ମୂଳକୁ ଭୁଲି ନଯିବା ହିଁ ହେଉଛି ପ୍ରକୃତ ପରୀକ୍ଷା।