ଭୁବନେଶ୍ୱର: ରାତି ଅଧାରେ ରାଜଧାନୀର ରାସ୍ତାରେ ଥରିଲେ ଅପରାଧୀ। ହଠାତ୍ ଚାରିଆଡ଼େ ନାକାବନ୍ଦୀ... ପଛକୁ ପଛ ଯାଞ୍ଚ। ସନ୍ଦେହ ହେଲେ ଅଟକାଇ ପଚରାଉଚରା। ଅପରାଧୀଙ୍କ ଉପରେ ନଜର, ନିଶାଡ଼ିଆ ଡ୍ରାଇଭରଙ୍କୁ ଧରିବା ସହ ବେଆଇନ୍ ଚୋରା ବାଲି ଚାଲାଣକୁ ରୋକିବାକୁ ଭୁବନେଶ୍ୱର ପୋଲିସର ଏହି ନୂଆ ଆକ୍ସନ୍ ପ୍ଲାନ୍।

ନୂଆ ଡିସିପି ଶ୍ରବଣ ବିବେକ ଏମ୍. ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ରାଜଧାନୀରେ ନାଇଟ୍ ବ୍ଲକିଂ କରିଛନ୍ତି। ନୂଆ ବ୍ଲକିଂ ପଏଣ୍ଟରେ ନିଜେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ପୋଲିସ ଅଧିକାରୀଙ୍କୁ ଦେଇଛନ୍ତି ଆବଶ୍ୟକ ନିର୍ଦ୍ଦେଶ। ଏହି ନାଇଟ୍ ବ୍ଲକିଂରେ ସାମିଲ ହୋଇଥିଲେ ୪ ଜଣ ଆଡିସନାଲ୍ ଡିସିପି, ୬ଟି ଜୋନ୍ ଏସିପି ଏବଂ ସମସ୍ତ ଥାନାର ଅଧିକାରୀ। ଏହାସହ ୪ ପ୍ଲାଟୁନ୍ ପୋଲିସ ଫୋର୍ସକୁ ମୁତୟନ କରାଯାଇଥିଲା।

ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ କଡ଼ା ପେଟ୍ରୋଲିଂ ସହ ନାକାବନ୍ଦୀ କରାଯାଇଥିଲା। ରାସ୍ତାରେ ପଇଁତରା ମାରିଥିଲା PCR ଭ୍ୟାନ୍। ଏହାସହ ବାଇକ୍ ପେଟ୍ରୋଲିଂ ଟିମ୍ ମଧ୍ୟ ସନ୍ଦେହଜନକ ଗତିବିଧି ଉପରେ ରଖିଥିଲା ତୀକ୍ଷ୍ଣ ନଜର। ବିଶେଷକରି ଡ୍ରଙ୍କେନ୍ ଡ୍ରାଇଭିଂ, ବେଆଇନ୍ ଚୋରା ବାଲି ଚାଲାଣ ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ଫୋକସ୍ କରିଥିଲା ପୋଲିସ। ଯାଞ୍ଚ ବେଳେ ବାଲି ଗାଡ଼ି, ହାଇୱା, ଟ୍ରାକ୍ଟର, ଦାମୀ କାର୍ ଓ କ୍ରେନ୍ ସମେତ ୭୦ରୁ ଅଧିକ ଗାଡ଼ି ଜବତ ହୋଇଛି।