ଭୁବନେଶ୍ୱର ୧୮।୦୪ : ଶ୍ୟାମପୁରରେ ବିଡିଏ ପକ୍ଷରୁ ଚାଲିଛି ଉଚ୍ଛେଦ । ଶୁକ୍ରବାର ଦିନ ପ୍ରଥମ ଦିନରେ ଉଚ୍ଛେଦ ହୋଇଥିବା ବେଳେ ୨ୟ ଦିନରେ ଚାଲିଛି। ଶ୍ୟାମପୁର ମୌଜାରେ ଥିବା ୬୮ ଏକର ଜମିରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତେବେ ବିଡିଏ ପକ୍ଷରୁ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ପ୍ରଥମ ଦିନରେ ୧୮୭ ଘର ମାଟିରେ ମିଶିଛି। ତୀବ୍ର ଉତ୍ତେଜନା ସତ୍ତ୍ଵେ ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍ ସଫଳତାର ସହ ଏହି ଉଚ୍ଛେଦ କରିଛି । ଶ୍ୟାମପୁର ମୌଜା ପଣ୍ଡାକୁଦିଆ ଅଞ୍ଚଳରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଡିଏକୁ ୬୮ ଏକର ଜମି ଦିଆଯାଇଥିଲା । ଏଠାରେ ଆଫଡେବଲ୍ ଘର ନିର୍ମାଣ କରାଯାଇଥାନ୍ତା । ହେଲେ ଏହି ଜାଗାକୁ ମାଡ଼ିବସି କିଛି ଦଲାଲ ବିକ୍ରି କରିଦେଇଥିଲେ । ଏହି ଜମିରେ ବେଆଇନ ଭାବେ ଗଢି ଉଠିଥିଲା ପ୍ରାୟ ୮୦୦ରୁ ଅଧିକ ଘର । ଗୁଣ୍ଠେ କି ୨ ଗୁଣ୍ଠ ନୁହେଁ । ୬୮ ଏକର ସରକାରୀ ଜମିକୁ ଜବରଦଖଲ କରିଥିଲେ । ବିଲ୍ଡର ପ୍ଲଟିଂ କଲା ଭଳି ଖଣ୍ଡେ ଖଣ୍ଡେ ଜମିକୁ ୨ରୁ ୩ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ଜବରଦଖଲକାରୀ । ଲୋକେ ଏହାକୁ କିଣି ୟା ଉପରେ ନିର୍ମାଣ କରିଥିଲେ ଘର । ଶୁକ୍ରବାର ଏହି ସବୁ ବେଆଇନ ଘରକୁ ବିଡିଏ ଭାଙ୍ଗି ମାଟିରେ ମିଶାଇଛି ।

Also Read:-ହାଏରେ ଏ ପ୍ରେମ, କି ବାୟା କଲା... ୪୦ ବର୍ଷୀୟ ‘ଆଣ୍ଟି’ଙ୍କୁ ନେଇ ୨୦ ବର୍ଷର ଯୁବକ ଫେରାର

ବିଡିଏ ପକ୍ଷରୁ ନବ ନିର୍ମିତ ପ୍ରାୟ ୧୮୭ ଘରକୁ ଭାଙ୍ଗି ମାଟିରେ ମିଶାଇଯାଇଛି । ଏହା ସହ ୩୧ଟି ପ୍ଲଟରେ ନୂଆ କରି ନିର୍ମାଣ ହେଉଥିବା ଘରକୁ ମଧ୍ୟ ଭଙ୍ଗାଯାଇଛି । ମୋଟ ୬୮ ଏକରରୁ ପ୍ରଥମ ଦିନରେ ୮ ଏକର ଜମି ଜବରଦଖଲ ମୁକ୍ତ ହୋଇଛି । ତେବେ କୋର୍ଟରେ ମାମଲା ଥିବାରୁ ଶୁକ୍ରାବର ପ୍ରାୟ ୧୦ରୁ ଅଧିକ ଘର ଭଙ୍ଗାଯାଇ ପାରିନଥିଲା । ଆଜି ଏହି ଘର ଗୁଡ଼ିକୁ ଭଙ୍ଗାଯିବ । ସଂପୂର୍ଣ୍ଣ ଉଚ୍ଛେଦ ପରେ ତୁରନ୍ତ ଏହାକୁ ବିଡିଏ ପକ୍ଷରୁ ତାର ବାଡ଼ ବୁଲାଯିବ ।