ଭୁବନେଶ୍ବର ୧୨।୧୧: ସ୍ବଚ୍ଛତାରେ ସାରା ଦେଶରେ ଭୁବନେଶ୍ବର ସହର ପଞ୍ଚମ ସ୍ଥାନ ଅଧିକାର କରିଛି । ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ପରେ ଆଜି ଭୁବନେଶ୍ବର ଫେରିଥିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ଚଞ୍ଚଳ ରାଣା । ସେମାନଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବାଗତ କରିଥିଲେ ସମସ୍ତ କର୍ପୋରେଟର ଓ ବିଏମସି ଅଧିକାରୀ ।

ଏହି ଅବସରରେ ମେୟର କହିଛନ୍ତି ଯେ, ଏହି ଜାତୀୟ ସ୍ବୀକୃତି ଭୁବନେଶ୍ବରକୁ ଏକ ସ୍ବଚ୍ଛ, ସୁନ୍ଦର, ସବୁଜ ଓ ସୁସ୍ଥ ସହର ଭାବେ ଗଢ଼ିତୋଳିବା ପାଇଁ ବିଏମ୍ସିର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି । ଏହା ସହରବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବା ବେଳେ ଆଗାମୀ ଦିନରେ ସ୍ବଚ୍ଛତା ଅଭିଯାନକୁ ଅଧିକ ବ୍ୟାପକ ଓ ଲୋକାଭିମୁଖୀ କରିବାକୁ ବିଏମ୍ସି ସଂକଳ୍ପବଦ୍ଧ । ଏହା କେବଳ ସମ୍ଭବ ହୋଇପାରିଛି ଭୁବନେଶ୍ବରବାସୀଙ୍କ ପାଇଁ । ତେଣୁ ଏହି ପୁରସ୍କାରର ଶ୍ରେୟ ଭୁବନେଶ୍ବରବାସୀଙ୍କର ବୋଲି ମେୟର କହିଛନ୍ତି ।

Also Read:- ସରକାରଙ୍କୁ ବିଜେଡିର ପ୍ରଶ୍ନ, ୬ଟି ଡ୍ୟାମ୍‌ରୁ ଆଗୁଆ ପାଣି ଛାଡ଼ିଲେ କାହିଁକି ?

ଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଳ ରାଣା, ଡେପୁଟି ମେୟର ମଂଜୁଲତା କହଁର, ସ୍ବାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ I