ଭୋପାଳ: ମନ୍ତ୍ରୀଙ୍କ ଘରୁ ଚୋରି, ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ? ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଯାହା ପ୍ରଶାସନ ଏବଂ ଭିଆଇପିଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ରୀଡ଼ା ମନ୍ତ୍ରୀଙ୍କ ବାସଭବନରେ ପଶି ପଦକ ଏବଂ ମାନପତ୍ର ଚୋରି କରିନେଇଛନ୍ତି ଚୋର । ଏହି ଚୋରି ଘଟଣା ଏପ୍ରିଲ ୩ (ଶୁକ୍ରବାର) ଘଟିଥିଲା, ଏବେ ପୋଲିସ ଚୋରଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି ।

ରିପୋର୍ଟ ଅନୁଯାୟୀ, ଏହି ଘଟଣା କ୍ରୀଡ଼ା ମନ୍ତ୍ରୀ ବିଶ୍ୱାସ ସାରଙ୍ଗଙ୍କ ସରକାରୀ ବଙ୍ଗଳାରେ ଘଟିଛି । ଟିଟି ନଗର ପୋଲିସ ମନ୍ତ୍ରୀଙ୍କ ବାସଭବନ ଚାରିପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମନ୍ତ୍ରୀଙ୍କ ବାସଭବନକୁ ସଫେଇ କର୍ମଚାରୀଙ୍କ ବେଶରେ ଆସି କେହି ଦୁର୍ବୃତ୍ତ ଏହି ଚୋରି କରିଥାଇପାରେ । ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଉଛି। ଏହି ଘଟଣାଟି ସମ୍ବେଦନଶୀଳ, କାରଣ ଏହା ଏକ ଭିଆଇପି ଅଞ୍ଚଳରେ ଘଟିଛି । ସେଠାରେ ସୁରକ୍ଷା ଅନ୍ୟ ଅଞ୍ଚଳ ତୁଳନାରେ ବହୁତ କଡ଼ାକଡ଼ି।

Also Read: Assam CM Wife: କେତେ ଲୋକପ୍ରିୟ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକୀ ଭୂୟାଁ, ସେ କ’ଣ କରନ୍ତି ?

ଜଣେ ମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏହି ଚୋରି ପୋଲିସର କାର୍ଯ୍ୟ ପଦ୍ଧତି ଏବଂ ସୁରକ୍ଷା ବ୍ୟବସ୍ଥାର ପର୍ଦ୍ଦାଫାସ କରିଛି। ପୋଲିସ ବର୍ତ୍ତମାନ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି ଏବଂ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରିବ ବୋଲି ଦାବି କରୁଛି। ପୋଲିସର ସୂଚନା ଅନୁଯାୟୀ, ମନ୍ତ୍ରୀ ବିଶ୍ୱାସ ସାରଙ୍ଗଙ୍କ ବଙ୍ଗଳାରୁ ଟ୍ରଫି, ସ୍ମାରକୀ, ସିଲଡ ଏବଂ ମାନପତ୍ର ଚୋରି ହୋଇଛି। ଷ୍ଟୋର ରୁମରେ କୌଣସି ସିସି କ୍ୟାମେରା ଲାଗି ନଥିବାରୁ ପୋଲିସ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି।