- ନିର୍ମାଣ ହେବ ୫ଟି ମୁଖ୍ୟ ସେତୁ ସହ ୧୫ଟି ଛୋଟ ସେତୁ

- ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ହେବ ପୁନରୁଦ୍ଧାର

ଭୁବନେଶ୍ଵର: ଭବାନୀପାଟଣାବାସୀଙ୍କ ଦୀର୍ଘଦିନର ଦାବି ଆଜି ସାକାର ରୂପ ନେବାକୁ ଯାଉଛି । ଭବାନୀପାଟଣାବାସୀଙ୍କ ଆବେଗକୁ ଗୁରୁତ୍ଵ ଦେଇ ପୂର୍ତ୍ତ ବିଭାଗ ଭବାନୀପାଟଣା-ଖରିଆର ରାସ୍ତାକୁ ଦୁଇ ଲେନ୍ରୁ ଚାରି ଲେନ୍ ବିଶିଷ୍ଟ କରିବାକୁ ଯାଉଛି । ଏହି ରାସ୍ତା ନିର୍ମାଣ ଦ୍ଵାରା ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବା ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀ ବିଶେଷ ଭାବେ ଉପକୃତ ହେବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି ।

କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ମଧ୍ୟରେ ଯୋଗାଯୋଗ ହେବ ସୁଗମ

ମନ୍ତ୍ରୀ ହରିଚନ୍ଦନ କହିଛନ୍ତି ଯେ ନୂତନ ଭବାନୀପାଟଣା-ଖରିଆର ରାସ୍ତା ଭବାନୀପାଟଣା ଏବଂ ଖରିଆର ଅଞ୍ଚଳର ଲୋକଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ । କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ମଧ୍ୟରେ ଯୋଗାଯୋଗ ତ୍ୱରିତ ଏବଂ ସୁଗମ ହେବା ସହ ସଂଯୁକ୍ତ ଗ୍ରାମଗୁଡ଼ିକର ଜନସାଧାରଣ ସହର ଏବଂ ବଜାରକୁ ମଧ୍ୟ ସହଜରେ ପହଞ୍ଚିପାରିବେ । ଉନ୍ନତ ରାସ୍ତା ଯୋଗୁଁ ଯାତ୍ରୀବାହୀ ବସ୍, ଆମ୍ବୁଲାନ୍ସ ଏବଂ ବ୍ୟକ୍ତିଗତ ଯାନଗୁଡ଼ିକ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ସହ ଇନ୍ଧନ ଏବଂ ସମୟ ଅପଚୟ ହ୍ରାସ ପାଇବ । କୃଷକ ଏବଂ ବ୍ୟବସାୟୀମାନେ ଧାନ, ପନିପରିବା, ଜଙ୍ଗଲଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବଜାରକୁ ସହଜରେ ପରିବହନ କରିପାରିବେ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବ ।

ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦୋକାନ, ପେଟ୍ରୋଲ ପମ୍ପ, ହୋଟେଲ, ଗୋଦାମ ଏବଂ କ୍ଷୁଦ୍ର ଶିଳ୍ପକୁ ଆକର୍ଷିତ କରିବ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସ୍କୁଲ, କଲେଜ, ହସ୍ପିଟାଲ ଏବଂ ସରକାରୀ କାର୍ଯ୍ୟାଳୟକୁ ଯିବା ଆସିବା ଅଧିକ ସୁବିଧାଜନକ ହୋଇପାରିବ । ଅଧିକ ପ୍ରଶସ୍ତ ରାସ୍ତା ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବା ସହ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିବ । ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯୋଗାଯୋଗ ସୁଗମ ହେବା ସହ ପଶ୍ଚିମ ଓଡ଼ିଶାର ଦୀର୍ଘକାଳୀନ ଅଭିବୃଦ୍ଧିରେ ଏହି ନୂତନ ରାସ୍ତା ବିଶେଷ ଭୂମିକା ନିର୍ବାହ କରିବ ।

୫ଟି ମୁଖ୍ୟ ସେତୁ ଓ ୧୫ଟି ଛୋଟ ସେତୁର ନିର୍ମାଣ

ଏହି ରାସ୍ତା ମଧ୍ୟରେ ଥିବା ୫ଟି ମୁଖ୍ୟ ସେତୁ ଓ ୧୫ଟି ଛୋଟ ସେତୁର ମଧ୍ୟ ନିର୍ମାଣ କରାଯିବ । ଏଥି ସହିତ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ମଧ୍ୟ ମରାମତି ଓ ନବୀକରଣ ହେବ । ପ୍ରାୟ ୭୦ କିଲୋମିଟର ଦୀର୍ଘ ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୬୪୦ କୋଟି ଟଙ୍କା ବ୍ୟୟବରାଦ ରହିଥିବାବେଳେ ସେତୁ ନିର୍ମାଣ ପାଇଁ ପ୍ରାୟ ୯୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।