ଭଞ୍ଜନଗର: ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀର ପ୍ରଖର ସ୍ରୋତରେ ଓଲଟି ପଡ଼ିଲା ଦମକଳ ବାହିନୀର ବୋଟ। ଏଭଳି ଘଟଣା ଘଟିଛି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଇବାଲି ପଞ୍ଚାୟତର ଉପାନ୍ତ ତଡ଼ମା ଗାଁରେ।

ସୂଚନା ଅନୁସାରେ, ତଡ଼ମା ଗାଁର ଜଣେ ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । କିନ୍ତୁ ଗାଁ ନିକଟରେ ପ୍ରବାହିତ ଜଙ୍ଗଲୀ ନଦୀ ପାର୍ କରି ହସ୍ପିଟାଲରେ ପହଞ୍ଚିବା ତାଙ୍କ ପାଇଁ ସମ୍ଭବ ନଥିଲା। ଏମିତିରେ ପରିବାର ପକ୍ଷରୁ ଭଞ୍ଜନଗର ପ୍ରଶାସନକୁ ଖବର ଦିଆଯାଇଥିଲା। ଖବର ପାଇ ଭଞ୍ଜନଗର ଦମକଳ ବାହିନୀ, ବେଲଗୁଣ୍ଠା ଦମକଳ ବାହିନୀ ସହ ଭଞ୍ଜନଗର ବିଡିଓ, ସିଡିପିଓ ଓ ଅନ୍ୟ ଅଧିକାରୀମାନେ ଗାଁ ମୁଣ୍ଡରେ ପହଞ୍ଚିଥିଲେ। ନଦୀ ପାର ହୋଇ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ ବୋଟ ଯୋଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Also Read: ମୟୂରଭଞ୍ଜରେ ବନ୍ୟା ବିତ୍ପାତ: ଘରେ ପଶିଲା ପାଣି, ବୋଟ୍ରେ ଚାଲିଛି ଉଦ୍ଧାର

ତେବେ ନଦୀରେ ପ୍ରଖର ପାଣି ସ୍ରୋତ ଥିବାରୁ ଉଦ୍ଧାରକାରୀ ଦଳର ବୋଟଟି ଗର୍ଭବତୀଙ୍କ ପାଖରେ ପହଞ୍ଚିପାରିନଥିଲା । ଏମିତିକି ନଦୀ ମଝିରେ ଓଲଟି ପଡ଼ିଥିଲା। ଫଳରେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ଅବଶ୍ୟ ବୋଟ ଓଲଟିବା ପରେ ଦମକଳ ବାହିନୀର କର୍ମଚାରୀମାନେ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ, ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ମା’ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ।