ଭଦ୍ରକ: ଫିଟୁଛି ଭଦ୍ରକ, ତିହିଡ଼ି ଏବଂ ଚାନ୍ଦବାଲି ସବ ଟ୍ରେଜରୀରେ ଚାଲିଥିବା ଆର୍ଥିକ ହେରଫେର ମାମଲାର ଗୁମର। ଦୀର୍ଘ ୫ ବର୍ଷ ମଧ୍ୟରେ ହୋଇଥିଲା ପ୍ରାୟ ୮ କୋଟି ଟଙ୍କା ହେରଫେର। ଆଉ ଏବେ ଏହି ଜାଲିଆତିର ମୁଖ୍ୟ ମାଷ୍ଟରମାଇଣ୍ଡ ସବ ଟ୍ରେଜରୀରର ନିଲମ୍ବିତ ମୁଖ୍ୟ କିରାଣୀ ସନ୍ତୋଷ ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ସହ ୫ ସହଯୋଗୀ ଶିବ ଶଙ୍କର ସାମଲ, ଦେବ ଶଙ୍କର ସାମଲ, ପ୍ରଫୁଲ୍ଲ କୁମାର ରାଉତ, ସନ୍ଦୀପ କୁମାର ମିତ୍ର, ଅଭୟ କୁମାର ପଣ୍ଡାଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ। ସେମାନଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।

ସୂଚନାନୁସାରେ, ୨୦୦୯ରୁ ୨୦୨୪ ମଧ୍ୟରେ ସବ୍ ଟ୍ରେଜେରିରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଟିମ୍ ତନାଘନା ଆରମ୍ଭ କରିଥିଲା। ସବୁଠୁ ଅଧିକ ୨୦୧୮ ଜୁଲାଇ ୨୫ରୁ ୨୦୨୩ ମେ ୪ ମଧ୍ୟରେ ୧୦୨ଟି ଜାଲ ବିଲ୍ ଜରିଆରେ ୮ କୋଟି ୪ଲକ୍ଷ ୭୬ ହଜାର ୧୪୬ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିଛି। ତେବେ ବିନା ସମୀକ୍ଷାରେ ମନଇଚ୍ଛା ଦସ୍ତଖତ କରିଥିବା ଅଭିଯୋଗରେ ଚାନ୍ଦବାଲିର ପୂର୍ବତନ ତହସିଲଦାର ସୁଶାନ୍ତ ସୂତାରଙ୍କୁ ନିକଟରେ ସରକାର ନିଲମ୍ବିତ କରିଥିଲେ। ଆଉ ତଦନ୍ତକ୍ରମେ ୬ ମାସ ତଳେ ନିଲମ୍ବିତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ସବ୍ ଟ୍ରେଜରୀର ପୂର୍ବତନ ସିନିୟର୍ ଆସିଷ୍ଟାଣ୍ଟ ସନ୍ତୋଷ କୁମାର ପଣ୍ଡାଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା। ସେ ଜାଲିଆତି କରି ୮ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍ କରିଥିବା ନେଇ ଭିଜିଲାନ୍ସ ସୂଚନା ପାଇଥିଲା।

ଏହା ପରେ ଭିଜିଲାନ୍ସ ପକ୍ଷରୁ ନିଲମ୍ବିତ କିରାଣି ପଣ୍ଡାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । କଟକ, ବାଲେଶ୍ବର ଏବଂ ଭଦ୍ରକ ଭିଜିଲାନ୍ସ ମିଳିତ ଟିମ୍ ତିହିଡ଼ି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଆରସା ଏବଂ ଭଦ୍ରକ ବାଇପାସ୍ ନିକଟରେ ଥିବା ସନ୍ତୋଷଙ୍କ ନବନିର୍ମିତ ଘରେ ଚଢ଼ାଉ କରିଥିଲା। ଖୋଳତାଡ଼ ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି।

Also Read: Cheating Case : ଅସଲି ହାତରେ ନକଲି ପୋଲିସ, SI ପରିଚୟ ଦେଇ ଠକୁଥିଲେ ବାପା-ପୁଅ

ନିଲମ୍ବିତ ହୋଇଥିବା ମୁଖ୍ୟ କିରାଣି ପୂର୍ବରୁ ଭଦ୍ରକ ସବ୍ ଟ୍ରେଜରୀରେ ଥିଲେ। ପରେ ତିହିଡ଼ି ଓ ଚାନ୍ଦବାଲି ସବ ଟ୍ରେଜେରିକୁ ତାଙ୍କର ବଦଳି ହୋଇଥିଲା। ଏସବୁ ସବ୍ ଟ୍ରେଜେରିରେ କେହି ଅଧିକାରୀ ନଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇ ଫାଇଲ୍ କାମ ହେଉଥିଲା। ଏମିତିରେ ଅଧିକାରୀମାନେ ଆଖୁବୁଜି ମୁଖ୍ୟ କିରାଣିଙ୍କ ଫାଇଲ୍ରେ ଦସ୍ତଖତ କରୁଥିଲେ। ଏହାର ଫାଇଦାରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହେଉଥିଲା । ବଡ଼କଥା ହେଲା ପୂର୍ବତନ କିରାଣୀ ଜଣକ ସନ୍ଦେହରୁ ବର୍ତ୍ତିବା ପାଇଁ ୨୯ ଜଣଙ୍କ ଜମାଖାତାକୁ ସରକାରୀ ଅର୍ଥ ଟ୍ରାନ୍ସଫର କରିଥିଲେ। ଭିଜିଲାନ୍ସର ଡେପୁଟି ଡାଇରେକ୍ଟର ଆଶୁତୋଷ ପାଇକରାୟ ଅନେକ ତଥ୍ୟ ସହ ଏକ ପ୍ରେସ୍ ରିଲିଜ ପ୍ରଦାନ କରିଛନ୍ତି ।