ଭଦ୍ରକ,|୦୬ଦୁର୍ନୀତି ଜଳ ଜଳ ହୋଇ ଦିଶୁଛି । ସାଧାରଣ ଜନତା ଠାରୁ ପୋଲିସ ମଧ୍ୟ ସବୁ ସତ ଜାଣିଛନ୍ତି । ବିଭାଗର ବରିଷ୍ଠ ଅଧିକାରୀ ସର୍ବସାଧାରଣରେ ତଦନ୍ତ କରୁଛନ୍ତି । ନ୍ୟୁଜ ସେଭେନ୍ ରେ ମଧ୍ୟ ଦୁର୍ନୀତି ହୋଇଥିବା ନେଇ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ହୋଇଛି । କିନ୍ତୁ ଏତେ ପରେ ତଦନ୍ତର ଦ୍ୱାହି ଦେଇ ଚୁପ୍ ବସି ଯାଇଛନ୍ତି ବଡ଼ ବାବୁ । କନିଷ୍ଠ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଯେମିତି କେଉଁ ଅଜଣା ଶକ୍ତି ସୁରକ୍ଷା ଦେଉଛି । ନହେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯେମିତି ଡରୁଛି ବିଭାଗ । କାରଣ ଚୋରି ଅଭିଯୋଗ ଘଟଣାକୁ ଦବାଇ ଦେବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଅଧିକ୍ଷଣ ଯନ୍ତ୍ରୀ ବିଳମ୍ବିତ ରାତିରେ ଥାନାକୁ ଅନ୍ଧାରୀ ବିଜେ କରୁଛନ୍ତି ବୋଲି ଚର୍ଚ୍ଚା ଚାଲିଛି ।

କଥାରେ ଅଛି ଚୋର ମୁହଁ ଟାଣ । ନହେଲେ ଗୋଟିଏ ଭୁଲକୁ ଲୁଚାଇବା ପାଇଁ ତଳୁ ଉପର ପର୍ଯ୍ୟନ୍ତ ଅଧିକାଂଶ ଅଧିକାରୀ କରୁଛନ୍ତି ଗୋଟିଏ ପରେ ଗୋଟିଏ ଭୁଲ। ୨୦୨୫ ମସିହା ଜୁନ ମାସ ୧୩ ତାରିଖ ଥିଲା ସରକାରୀ ଛୁଟି ଦିନ। କିନ୍ତୁ ଅପରାହ୍ନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ଜଳସମ୍ପଦ ବିଭାଗର କେତେକ ଯନ୍ତ୍ରାଂଶ ଏକ ଟ୍ରକରେ ଲୋଡ୍ହେଉଥିବା ଲୋକେ ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବା ବେଳେ ଜାଣିବା ପାଇଁ ପାଇଲେ ଯେ ତାଙ୍କ ଅଜାଣତରେ ଯନ୍ତ୍ରାଂଶଚୋରା ଚାଲାଣ ହେଉଛି ।

ସଙ୍ଗେ ସଙ୍ଗେ ଚାନ୍ଦବାଲି ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚିଲା । ଯନ୍ତ୍ରାଂଶ ଚାଲାଣ ପାଇଁ ଆବଶ୍ୟକ କାଗଜପତ୍ର ମାଗିବା ବେଳକୁ ଚାଲାଣ କରୁଥିବା ଲୋକେ କହିଲେ ଯେ କନିଷ୍ଠ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚାଲାଣ ହେଉଛି । କିନ୍ତୁ କନିଷ୍ଠ ଯନ୍ତ୍ରୀ ଉପଯୁକ୍ତ କାଗଜ ଦେଖାଇ ପାରିଲେ ନାହିଁ । ପୋଲିସ ଗାଡ଼ି ଜବତ କଲା ଓ ଜଣଙ୍କୁଅଟକ ରଖିଲା ।୧୪ ତାରିଖରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଯନ୍ତ୍ରାଂଶ ଚୋରି ନେଇ ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ । ପରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଚାନ୍ଦବାଲି ଯାଇ ସର୍ବସାଧାରଣରେ କନିଷ୍ଠ ଯନ୍ତ୍ରୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣି ରିପୋର୍ଟ ଦେଲେ ।

ତେବେ ତଦନ୍ତ ପରେ ପରେ ନ୍ୟୁଜ ସେଭେନ ହାତରେ ଆଉ ଏକ ସାଙ୍ଘାତିକ ତଥ୍ୟ ଲାଗିଥିଲା। ଜଣା ପଡିଲାରେ ୨୨ପ୍ରକଳ୍ପର ବିନା ଚେକ୍ ମେଜରମେଣ୍ଟ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଜାତରେ ବିଲ୍ ପାସ ହୋଇଛି । ଯାହା କି ଏକ ଗୁରୁତର ଅପରାଧ । କିନ୍ତୁ ଏହା ପରେ ୧୬ତାରିଖ ରାତି ୧୨ଟା ସମୟରେ ଅଧିକ୍ଷଣ ଯନ୍ତ୍ରୀ ଚାନ୍ଦବାଲି ଥାନାରେ ଅନ୍ଧାରୀ ବିଜେ କରିଥିଲେ । ଖବର ପାଇ ଲୋକେ ମଧ୍ୟ ଥାନାରେ ପହଞ୍ଚିବା ଦେଖି ବଡ଼ ବାବୁ କେଉଁଆଡେ ଚାଲି ଯାଇଥିଲେ। ତେବେ ଏତେ ରାତିରେ ବଡ଼ ବାବୁ ଜଣକ ଥାନାକୁ ଯିବାର କାରଣ କନିଷ୍ଠ ଯନ୍ତ୍ରୀଙ୍କ ଭୁଲକୁ ଲୁଚାଇ ତାଙ୍କୁ ବଞ୍ଚାଇବା ପାଇଁ ବୋଲି ଚର୍ଚ୍ଚା ଚାଲିଛି ।

ଏଠାରେ ପ୍ରଶ୍ନ ସ୍ଵାଭାବିକ ଯେ ଯଦି ଯନ୍ତ୍ରାଂଶ ଚାଲାଣ ପାଇଁ ଉପଯୁକ୍ତ ସରକାରୀ ଚିଠି ଥିଲା ତେବେ ସହକାରୀ ନିର୍ବାହୀ ଯନ୍ତ୍ରୀ ଜାଣି ପାରିଲେ ନାହିଁ କେମିତି?କନିଷ୍ଠ ଯନ୍ତ୍ରୀ କଣ ଚାହିଁଲେ ବିନା ସରକାରୀ ଅନୁମତିରେ ସରକାରୀ ସଂପତ୍ତି ସ୍ଥାନାନ୍ତର କିମ୍ବା ଚାଲାଣ କରିପାରିବେ କି?ଯଦି ଏହି ଘଟଣା ସରକାରୀ ନିର୍ଦ୍ଦେଶରେ ହୋଇଛି ତେବେ ପୋଲିସ ମାମଲା ରୁଜୁ କରି ଯନ୍ତ୍ରାଂଶ ବୋଝେଇ ଟ୍ରକକୁ ଜବତ କରିଛି କଣ ପାଇଁ?ଯଦି ବୈଧ କାଗଜପତ୍ର ଅଛି ତାହାହେଲେ ଲୁଚି ଲୁଚି ରାତି୧୨ରେ ଥାନାକୁ ଅଧିକ୍ଷଣ ଯନ୍ତ୍ରୀଙ୍କ ଯିବାର କାରଣ କଣ?କିନ୍ତୁ ସହକାରୀ ଯନ୍ତ୍ରୀ ଏବେ ମଧ୍ୟ କହୁଛନ୍ତି ଯେ ଏବେ ପର୍ଯ୍ୟନ୍ତ କୌଣସି ଚିଠି ତାଙ୍କୁ ମିଳି ନାହିଁ । ପୋଲିସର ଅନୁସନ୍ଧାନ ଓ ବିଭାଗୀୟ ତଦନ୍ତରେ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବେ ।