ନୂଆଦିଲ୍ଲୀ: ଦେଶରେ ନାରୀ ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହିଆସିଛି। ବିଭିନ୍ନ ପଦକ୍ଷେପ ସତ୍ତ୍ବେ ବି ଦେଶରେ ନାରୀ ନିର୍ଯାତନାକୁ ରୋକାଯାଇପାରୁନାହିଁ। ଫଳରେ ଅନେକ ସମୟରେ ଏହା କେବଳ ରାଜନୈତିକ ବୟାନବାଜିରେ ସୀମିତ ରହିଯାଉଛି। ତେବେ ଏହାରି ମଧ୍ୟରେ ଦେଶରେ ମହିଳାଙ୍କ ପାଇଁ କେଉଁ ସହର ସବୁଠୁ ଅଧିକ ସୁରକ୍ଷିତ ଏବଂ ଭଲ ? ତାହା ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦେଶର ଦକ୍ଷିଣ ଭାରତର ଏକ ସହର ମହିଳାଙ୍କ ପାଇଁ ସୁରକ୍ଷିତ ସହର ଭାବରେ ୧ ନମ୍ବର ସ୍ଥାନ ପକ୍କା କରିଛି।

ଓ୍ବାର୍କପ୍ଲେସ କଲଚର କନସଲଟିଂ ଫାର୍ମ ‘ଅଭତାର ଗ୍ରୁପ୍’ର ସଦ୍ୟ ରିପୋର୍ଟ ‘ଟପ୍ ସିଟିଜ ଫର୍ ଓ୍ବିମେନ ଇନ୍ ଇଣ୍ଡିଆ’ ବା TCWIର ଚତୁର୍ଥ ସଂସ୍କରଣରେ ପୁଣି ଥରେ ବାଜି ମାରିଛି ବେଙ୍ଗାଲୁରୁ। ମହିଳାଙ୍କ ପାଇଁ କ୍ୟାରିୟର ଏବଂ ସୁରକ୍ଷା ଦୃଷ୍ଟିରୁ ଏହି ଦକ୍ଷିଣ ଭାରତୀୟ ସହର ସବୁଠୁ ଉତ୍ତମ ବିକଳ୍ପ ଭାବରେ ଉଭା ହୋଇଛି । ୫୩.୨୯ ସ୍କୋର ସହ ବେଙ୍ଗାଲୁରୁ ଦେଶରେ ପ୍ରଥମ ସ୍ଥାନରେ ରହିଥିବା ବେଳେ, ଚେନ୍ନାଇ ଦ୍ବିତୀୟ ସ୍ଥାନରେ ରହିଛି। ଏହା ପଛକୁ ପୁନେ, ହାଇଦ୍ରାବାଦ, ମୁମ୍ବାଇ, ଗୁଡଗାଓଁ, କୋଲକାତା, ଅହମଦାବାଦ, ତ୍ରିଭେନ୍ଦ୍ରମ, କୋଏମ୍ବାଟୁର ଟପ୍ ୧୦ ସହର ମଧ୍ୟରେ ରହିଛନ୍ତି। ରିପୋର୍ଟ ଅନୁସାରେ, କ୍ୟାରିୟର ଗ୍ରୋଥ ଏବଂ ଇଣ୍ଡଷ୍ଟ୍ରି ସପୋର୍ଟ ମାମଲାରେ ବେଙ୍ଗାଲୁରୁ ଟପ୍ରେ ରହିଛି। ସେହିଭଳି ଚେନ୍ନାଇ ସୁରକ୍ଷା, ପବ୍ଲିକ୍ ଟ୍ରାନ୍ସପୋର୍ଟ ଏବଂ ଶିକ୍ଷା ଭଳି ସାମାଜିକ କାରଣ ଯୋଗୁ ଆଗରେ ରହିଛି।

ବଡ଼ କଥା ହେଲା ଦିଲ୍ଲୀ, ଗୁଡଗାଓଁ ଏବଂ ନୋଏଡାରେ ମହିଳାଙ୍କ ପାଇଁ ଚାକିରି ଅବସର ଅଧିକ ରହିଛି। କିନ୍ତୁ ସୁରକ୍ଷା (Safety), ବଜେଟ ଏବଂ ମୋବିଲିଟି କ୍ଷେତ୍ରରେ ଏହି ସହର ପଛରେ ପଡ଼ିଛି। ଅବଶ୍ୟ, ଗୁଡଗାଓଁର ରାଙ୍କିଂରେ ଗତ ବର୍ଷ ତୁଳନାରେ ସୁଧାର ଦେଖିବାକୁ ମିଳିଛି। ସେହିଭଳି ମୁମ୍ବାଇରେ କ୍ୟାରିୟର ଗଢ଼ିବା ପାଇଁ ଅନେକ ଅବସର ରହିଛି। କିନ୍ତୁ ଏଠାରେ ରହିବା ଖର୍ଚ୍ଚ ଏବଂ ଭିତ୍ତିଭୂମି ମହିଳାଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇ ରହିଛି। ୨୦୨୫ର ରାଙ୍କିଂରେ ଟିୟର- ୨ ସହରର ଭାଗିଦାରୀ ବଢ଼ିଛି। ସିମଲା ଏବଂ ତିରୁଅନନ୍ତପୁରମ ଭଳି ସହର ସାମାଜିକ ଭାବରେ ମହିଳାଙ୍କ ପାଇଁ ବହୁତ ଭଲ । କିନ୍ତୁ ଏଠାରେ ବଡ଼ ଆକାରରେ ରୋଜଗାର ଅବସର କମ୍ ରହିଛି।

ତେବେ କ୍ଷେତ୍ରୀୟ ଆଧାରରେ ଦେଖିଲେ ଦକ୍ଷିଣ ଭାରତ ଆଗରେ ରହିଛି। ଏହା ପରେ ରହିଛି ପଶ୍ଚିମ ଭାରତ। ରିପୋର୍ଟ ଅନୁସାରେ, ମଧ୍ୟ ଏବଂ ପୂର୍ବ ଭାରତ (ବିହାର, ୟୁପି ଏବଂ ଓଡ଼ିଶା) ମହିଳାଙ୍କ ସାମାଜିକ ସୁରକ୍ଷା ଏବଂ ଔଦ୍ୟୋଗିକ ଭାଗିଦାରୀ, ଉଭୟରେ ପଛରେ ରହିଛନ୍ତି। ତେଣୁ ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି ଯେ, ମହିଳାଙ୍କ ପାଇଁ ଅନୁକୂଳ ସହର ଏବେ କେବଳ ମଟ୍ରୋ ସହର ପର୍ଯ୍ୟନ୍ତ ସୀମିତ ନାହିଁ। କିନ୍ତୁ ଉତ୍ତର ଏବଂ ପୂର୍ବ ଭାରତ ସହରର ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ପ୍ରସ୍ତୁତ କରିବା ଉପରେ ଏବେ ଅନେକ କାମ କରିବାର ଆବଶ୍ୟକତା ରହିଛି।

ସୂଚନାଥାଉକି, ଏହି ରିପୋର୍ଟ ସହରର ସିଟି ଇନକ୍ଲୁଜନ ସ୍କୋର ଆଧାରରେ ରାଙ୍କ୍ କରାଯାଇଥାଏ। ଏହି ସ୍କୋର ଦୁଇ ମୁଖ୍ୟ ଆଧାରକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ। ପ୍ରଥମଟି ସୋସିଆଲ ଇନକ୍ଲୁଜନ ସ୍କୋର (SIS)। ଏଥିରେ ସହରର ସୁରକ୍ଷା, ମହିଳାଙ୍କ ରହିବା ପାଇଁ ସୁବିଧା ଏବଂ ସ୍ବାସ୍ଥ୍ୟା ଭଳି ମୌଳିକ ଭିତ୍ତିଭୂମିକୁ ଦେଖାଯାଇଥାଏ। ଦ୍ବିତୀୟରେ ଇଣ୍ଡଷ୍ଟ୍ରିଆଲ ଇନକ୍ଲୁଜନ ସ୍କୋର (IIS)। ଏଥିରେ ମହିଳାଙ୍କ ପାଇଁ ଚାକିରି ଅବସର ଏବଂ କମ୍ପାନି ଦ୍ବାରା ଦିଆଯାଉଥିବା ସୁବିଧାର ଆକଳନ କରାଯାଇଥାଏ।