କୋଲକାତା: ପଶ୍ଚିମବଙ୍ଗରେ ନବନିର୍ବାଚିତ ବିଜେପି ସରକାରଙ୍କ ଦ୍ୱାରା ଇଦ୍-ଅଲ୍-ଅଧା (ବକ୍ରିଦ୍) ପୂର୍ବରୁ ଦଶନ୍ଧି ପୁରୁଣା ଗୋ-ହତ୍ୟା ନିରୋଧୀ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ପରେ ଏକ ଭିନ୍ନ ସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଗ୍ରାମୀଣ ଗୋପାଳନ ଏବଂ ପଶୁ ବ୍ୟବସାୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି, ଯାହାକୁ ନେଇ ସ୍ଥାନୀୟ ହିନ୍ଦୁ ଦୁଗ୍ଧ ଏବଂ ଗୋ-ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚାଷୀମାନେ ବ୍ୟାପକ ଆର୍ଥିକ କ୍ଷତି, ବଜାର ସ୍ଥିତି ବିଗିଡ଼ିବା ଏବଂ ସାମାଜିକ ତିକ୍ତତା ବଢ଼ିବା ନେଇ ଚେତାବନୀ ଦେଇଛନ୍ତି। ଏନେଇ ଦ ଫେଡେରାଲ୍ରେ ଖବର ପ୍ରକାଶ ପାଇଛି।

ଆଇନ ଏବଂ ନୂତନ କଟକଣା: ସୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ଗତ ସପ୍ତାହରେ ‘ପଶ୍ଚିମବଙ୍ଗ ପଶୁ ହତ୍ୟା ନିୟନ୍ତ୍ରଣ ଆଇନ, ୧୯୫୦’ (West Bengal Animal Slaughter Control Act, 1950) କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ଅନୁଯାୟୀ କୌଣସି ଗୋରୁ ହତ୍ୟା କରିବା ପୂର୍ବରୁ ପୌର ସଂସ୍ଥା (Civic Authorities) ଏବଂ ସରକାରୀ ପଶୁ ଚିକିତ୍ସକ (Government Veterinary Surgeons) ଙ୍କ ଦ୍ୱାରା ମିଳିତ ଭାବେ ପ୍ରଦାନ କରାଯାଇଥିବା "ଫିଟ୍-ଫର୍-ସ୍ଲଟର" (Fit-for-slaughter) ପ୍ରମାଣପତ୍ର ଆବଶ୍ୟକ। ଆଇନ ଅନୁସାରେ, କେବଳ ସେହି ଗୋରୁଙ୍କୁ ହତ୍ୟା କରାଯାଇପାରିବ ଯାହାର ବୟସ ୧୪ ବର୍ଷରୁ ଅଧିକ ହୋଇଥିବ, ଯିଏ କାମ କିମ୍ବା ପ୍ରଜନନ ପାଇଁ ଅକ୍ଷମ ହୋଇଥିବ, ଅଥବା ଆଘାତ, ବିକଳାଙ୍ଗ ବା କୌଣସି ଅସାଧ୍ୟ ରୋଗ ଯୋଗୁ ସ୍ଥାୟୀ ଭାବେ ଅକାମୀ ହୋଇଯାଇଥିବ।

ହିନ୍ଦୁ ଚାଷୀଙ୍କ ସମସ୍ୟା ଓ ଅସନ୍ତୋଷ: ଇଦ୍ର ଠିକ୍ କିଛି ସପ୍ତାହ ପୂର୍ବରୁ ସରକାରଙ୍କ ଏହି ପଦକ୍ଷେପ ଦକ୍ଷିଣ ୨୪ ପ୍ରଗଣା, ନଦିଆ, ମୁର୍ସିଦାବାଦ ଏବଂ ବୀରଭୂମ ଭଳି ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସାଧାରଣତଃ ଏହି ପର୍ବ ସମୟରେ ହିନ୍ଦୁ ଦୁଗ୍ଧ ଚାଷୀମାନେ ସେମାନଙ୍କର ବୟସ୍କ ଏବଂ କ୍ଷୀର ଦେବା ବନ୍ଦ କରିଦେଇଥିବା ଗାଈ ବା ବଳଦଗୁଡ଼ିକୁ ବିକ୍ରି କରିଥାନ୍ତି। ଏହାଦ୍ୱାରା ସେମାନେ ପଶୁଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ ଭରଣା କରିବା ସହ ନୂଆ ତଥା ଛୋଟ ଗୋ-ପଶୁ କିଣିବା ପାଇଁ ପୁଞ୍ଜି ପାଇଥାନ୍ତି। ନୂଆ କଟକଣା ଯୋଗୁ ବ୍ୟବସାୟୀମାନେ ଗୋ-ପଶୁ କିଣିବାକୁ ଭୟ କରୁଛନ୍ତି, ଯାହାଦ୍ୱାରା ଚାଷୀଙ୍କ ରୋଜଗାର ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ଦ ଫେଡେରାଲରେ ରିପୋର୍ଟ ଅନୁସାରେ, ଭାଙ୍ଗର ବାମୁନିଆ ଗ୍ରାମର ଗୋ-ଚାଷୀ ସୁରଜିତ ଘୋଷ କହିଛନ୍ତି ଯେ, ତାଙ୍କ ପରିବାର ଦୁଇ ଦଶନ୍ଧି ଧରି ଏହି ବ୍ୟବସାୟ କରୁଛନ୍ତି ଏବଂ ଏଥିପାଇଁ ସେମାନେ ପ୍ରାୟ ୧୫ ଲକ୍ଷ ଟଙ୍କାର ଋଣ ନେଇଛନ୍ତି। କ୍ଷୀର ଦେବା ବନ୍ଦ କରିଦେଇଥିବା ଗାଈଗୁଡ଼ିକୁ ସେମାନେ ୬ ରୁ ୭ ମାସ ଭଲ ଭାବେ ଖାଇବାକୁ ଦେଇ ଇଦ୍ ସମୟରେ ବିକ୍ରି ପାଇଁ ପ୍ରସ୍ତୁତ କରନ୍ତି, ଯେପରି ଭଲ ଦାମ ମିଳିପାରିବ। କିନ୍ତୁ ଏବେ ସରକାରୀ କଟକଣା ଏବଂ ପ୍ରମାଣପତ୍ର ବାଧ୍ୟତାମୂଳକ ହେବା ଯୋଗୁ ସେମାନଙ୍କ ବ୍ୟବସାୟ ବୁଡ଼ିବାକୁ ବସିଛି।

Also Read- ଭାରତୀୟ ସେୟାର ବଜାରର ଖରାପ ଦିନ, ବିଶ୍ୱର ଟପ୍-୧୦୦ କମ୍ପାନି ମଧ୍ୟରେ ନାହିଁ ଗୋଟିଏ ବି ଭାରତୀୟ କମ୍ପାନି

ସେହିପରି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଭାଙ୍ଗର ଅଞ୍ଚଳ ବାମଙ୍ଗାଚିର ଜଣେ ଗୋପାଳକ ଶଶାଙ୍କ ମଣ୍ଡଳ ସରକାରଙ୍କ ଉପରେ ଅଶନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି "ସରକାରଙ୍କର ଗୋରୁ ଅର୍ଥନୀତି ବିଷୟରେ କୌଣସି ଧାରଣା ନାହିଁ, ନଚେତ୍ ସେମାନେ ୧୯୫୦ ଆଇନକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆମକୁ ସମୟ ଦେଇଥାନ୍ତେ।"

ସେ ଆହୁରି କହିଛନ୍ତି "ଆମେ ବୟସ ଏବଂ ଆକାର ଉପରେ ନିର୍ଭର କରି ପ୍ରତ୍ୟେକ ପଶୁ ପାଇଁ ପ୍ରତିଦିନ ୨୦୦ ରୁ ୩୦୦ ଟଙ୍କା ଖର୍ଚ୍ଚ କରୁ। ଗାଈ ପ୍ରାୟତଃ ୧୪ ବର୍ଷ ବି ବଞ୍ଚିପାରନ୍ତି ନାହିଁ, କିନ୍ତୁ ସରକାର କହୁଛନ୍ତି ଯେ ଗାଈ ବିକ୍ରି କରିବାର ସର୍ବନିମ୍ନ ବୟସ ୧୪ ବର୍ଷ ହେବା ଉଚିତ। ଯେଉଁ ଗାଈମାନେ ଏହା ପୂର୍ବରୁ କ୍ଷୀର ଦେବା ବନ୍ଦ କରିଦେଇଛନ୍ତି ସେମାନଙ୍କୁ ଆମେ କ'ଣ କରିବୁ?" "ପ୍ରତିବର୍ଷ ଇଦ୍ ସମୟରେ, ଆମେ ବୃଦ୍ଧ ଗାଈ ବିକ୍ରି କରୁ, ଏବଂ ସେହି ଟଙ୍କାର କିଛି ଅଂଶ ନୂଆ ଗାଈ କିଣିବାରେ ପୁନଃନିବେଶ କରାଯାଏ।" ବୋଲି ଶଶାଙ୍କ ମଣ୍ଡଳ କହିଛନ୍ତି।

ସେହି ଗାଁର ଆଉ ଜଣେ ଚାଷୀ ସଞ୍ଜିତ ଘୋଷ କହିଛନ୍ତି ଯେ ଇଦ୍ ପୂର୍ବରୁ ତାଙ୍କର ପ୍ରାୟ ୨୦ ଗୋରୁ ବିକ୍ରୟ ପାଇଁ ପ୍ରସ୍ତୁତ ଥିଲେ। ହେଲେ ଯେଉଁମାନେ ଅର୍ଡର ଦେଇଥିଲେ ସେମାନେ ଅର୍ଡର ପ୍ରତ୍ୟାହାର କରିନେବା ପରେ ସେ ଏବେ ତାଙ୍କ ୬ ସଦସ୍ୟ ବିଶିଷ୍ଟ ପରିବାରକୁ କିଭଳି ପୋଷିବେ ସେ ନେଇ ସଞ୍ଜିତ ଘୋଷ କହିଛନ୍ତି। ସେ କହିଛନ୍ତି "ଯେଉଁମାନେ ଆଗୁଆ ଦେୟ ଦେଇଥିଲେ ସେମାନେ ଏବେ ସେମାନଙ୍କର ଟଙ୍କା ଫେରସ୍ତ ମାଗୁଛନ୍ତି। "ଧାନ ସଂଗ୍ରହ ପରି, ସରକାର ଚଳିତ ବର୍ଷ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଗୋରୁ କିଣିବା ଉଚିତ ବୋଲି ସେ ଦାବି କରିଛନ୍ତି। ବୟସ, ଆକାର ଏବଂ ଶାରୀରିକ ଅବସ୍ଥା ଉପରେ ନିର୍ଭର କରି, ଇଦ୍ ବଜାର ପାଇଁ ପ୍ରସ୍ତୁତ ଗୋରୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଏବେ ସ୍ଥିତି ସଂଗୀନ ହୋଇଛି।

ଜନ୍ମ ପ୍ରମାଣପତ୍ର ମାଗୁଛନ୍ତି ଗୋ-ରକ୍ଷକ: ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଜେପି କାର୍ଯ୍ୟକର୍ତ୍ତା କିମ୍ବା ଗୋ-ରକ୍ଷକମାନେ ବେଆଇନ ଗୋ-ଚାଲାଣ ଅଭିଯୋଗରେ ଗାଡ଼ି ଅଟକାଇ ଚାଷୀ ଏବଂ ବ୍ୟବସାୟୀଙ୍କୁ ଗାଈର "ଜନ୍ମ ପ୍ରମାଣପତ୍ର" (Birth Certificate) ମାଗୁଥିବା ଦେଖାଯାଇଛି। ବିଜେପି ନେତା ପାତ୍ର କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୪ ବର୍ଷରୁ କମ୍ ଗାଈ ହତ୍ୟା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ ଏବଂ ବେଆଇନ ଭାବେ ଗୋ-ଚାଲାଣ କରୁଥିବା ଲୋକଙ୍କୁ ଧରି ସେମାନଙ୍କ ପଶୁଙ୍କ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରାଯିବ। ଏହି ଘଟଣା ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଭୟ ଓ ଚିନ୍ତା ଆହୁରି ବଢ଼ାଇ ଦେଇଛି।

ବିରୋଧୀ ଦଳଙ୍କ ସମାଲୋଚନା: ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିଛନ୍ତି। ବିରୋଧୀ ଦଳର ନେତାମାନଙ୍କ କହିବା ଅନୁସାରେ, ବିଜେପିର ଗୋ-ସୁରକ୍ଷା ନୀତି ବେଙ୍ଗଲର କୃଷିଭିତ୍ତିକ ବାସ୍ତବତା ସହ ମେଳ ଖାଉନାହିଁ। ଭାଙ୍ଗଡ଼ର ଇଣ୍ଡିଆନ୍ ସେକୁଲାର ଫ୍ରଣ୍ଟ (ISF) ବିଧାୟକ ନୌସାଦ ସିଦ୍ଦିକି କହିଛନ୍ତି, "ସୁଭେନ୍ଦୁ ଅଧିକାରୀଙ୍କ ବିଜେପି ସରକାର ମୁସଲିମମାନଙ୍କୁ ଟାର୍ଗେଟ୍ କରିବାକୁ ଚାହୁଁଥିଲେ, କିନ୍ତୁ ଏହି ପ୍ରକ୍ରିୟାରେ ହିନ୍ଦୁ ଚାଷୀମାନେ ଅଧିକ କ୍ଷତି ସହୁଛନ୍ତି।"

ସିଦ୍ଦିକି ସରକାରଙ୍କୁ ୧୯୦ ଆଇନର ‘ଧାରା ୧୨’ (Section 12) ଲାଗୁ କରିବାକୁ ଅନୁରୋଧ କରିଛନ୍ତି। ଏହି ଧାରା ଅନୁଯାୟୀ, ଧାର୍ମିକ, ଔଷଧୀୟ କିମ୍ବା ଗବେଷଣା ଉଦ୍ଦେଶ୍ୟରେ ରାଜ୍ୟ ସରକାର କିଛି ସର୍ତ୍ତ ସହିତ ପଶୁ ହତ୍ୟା କଟକଣାରୁ ଛାଡ଼ ପ୍ରଦାନ କରିପାରିବେ। ଏହି ଆଇନଗତ କଟକଣା ଏବଂ ସଂଗଠନଗୁଡ଼ିକର ଜବରଦସ୍ତି ଯାଞ୍ଚ ଯୋଗୁଁ ଆଗାମୀ ଦିନରେ ଗ୍ରାମାଞ୍ଚଳର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବା ସହ ସାମାଜିକ ସ୍ଥିତି ବିଗିଡ଼ିବା ଆଶଙ୍କା ପ୍ରକାଶ ପାଇଛି।