ନୂଆଦିଲ୍ଲୀ: ସାରା ବିଶ୍ବକୁ ପୁଣି ଥରେ ବଡ଼ ଚେତାବନୀ ଦେଇଛି ରୁଷ । ଏଥର ସଂପୂର୍ଣ୍ଣ ବିଶ୍ବକୁ ଚେତାବନୀ ଦେଇଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ । ଏମିତି ଏକ ମିସାଇଲ୍ର ପରୀକ୍ଷଣ କରିଛି ରୁଷ, ଯାହାକୁ ଦେଖି ଆମେରିକା ସମେତ ୟୁରୋପୀୟ ଦେଶ ଛାନିଆ । ମିସାଇଲ ନୁହେଁ ତ, ବ୍ରହ୍ମ ରାକ୍ଷସ । ନା ରାଡାର, ନା ପ୍ରତିରକ୍ଷା ପ୍ରଣାଳୀ, କିଛି ବି ଏହାକୁ ରୋକିପାରିବ ନାହିଁ । ୩୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା । ଏକାଥରେ ୧୦ ରୁ ୧୬ଟି ପରମାଣୁ ଯୁଦ୍ଧାସ୍ତ୍ର ନେଇ ଉଡ଼ିପାରିବ ଏବଂ ନିମିଷକରେ ସବୁକିଛି ଧ୍ବଂସ କରିପାରିବ ରୁଷର ସୈତାନ ‘ସରମତ୍’ ମିସାଇଲ୍ ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ରୁଷ ନିଜର ନୂତନ ଏବଂ ସବୁଠାରୁ ଭୟଙ୍କର ପରମାଣୁ ମିସାଇଲ୍ 'ସରମତ' (Sarmat) କୁ ସାମରିକ ବାହିନୀରେ ମୁତୟନ କରିବ। ପୁଟିନ୍ ଏହାକୁ ବିଶ୍ୱର "ସବୁଠାରୁ ଶକ୍ତିଶାଳୀ ମିସାଇଲ୍" ଭାବେ ବର୍ଣ୍ଣନା କରିଛନ୍ତି।

ପୁଟିନଙ୍କ ଘୋଷଣା ଓ ସଫଳ ପରୀକ୍ଷଣ

ମେ ୧୨, ୨୦୨୬ ସକାଳେ ରୁଷର ‘ପ୍ଲେସେଟସ୍କ’ (Plesetsk) ରୁ ଏହି ମିସାଇଲ୍ର ସଫଳ ପରୀକ୍ଷଣ କରାଯାଇଛି। ଏହି ସଫଳତା ପରେ ପୁଟିନ୍ ଏହାକୁ ବିଶ୍ୱର ‘ସବୁଠାରୁ ଶକ୍ତିଶାଳୀ ଏବଂ ସବୁଠାରୁ ଦୂରଗାମୀ ଅସ୍ତ୍ର’ ବୋଲି କହିଛନ୍ତି । ରୁଷର ଷ୍ଟ୍ରାଟେଜିକ୍ ମିସାଇଲ୍ ଫୋର୍ସ ମୁଖ୍ୟ ଜେନେରାଲ୍ ସର୍ଗେଇ କାରାକାୟେଭ୍ ସ୍ପଷ୍ଟ କରିଛନ୍ତି ଯେ, ଏହି ମିସାଇଲ୍ର ପ୍ରଥମ ରେଜିମେଣ୍ଟ୍ କ୍ରାସନୋୟାରସ୍କ ଅଞ୍ଚଳରେ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ।

‘ସରମତ’ ର ଭୟଙ୍କର ଶକ୍ତି

ଏହି ମିସାଇଲ୍ର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୩୫,୦୦୦ କିଲୋମିଟର। ଏହାର ଅର୍ଥ ହେଉଛି ଏହା ରୁଷରୁ ପୃଥିବୀର ଯେକୌଣସି ପ୍ରାନ୍ତରେ ଆକ୍ରମଣ କରିପାରିବ। ଏହା ଦକ୍ଷିଣ ମେରୁ ପଟୁ ଯାଇ ଆମେରିକାକୁ ଟାର୍ଗେଟ୍ କରିବାର କ୍ଷମତା ରଖେ । ଏହାକୁ ଆମେରିକୀୟ ରାଡାର ସିଷ୍ଟମ୍ ଚିହ୍ନଟ କରିପାରିବ ନାହିଁ ।ଗୋଟିଏ ‘ସରମତ’ ମିସାଇଲ୍ ଏକାସାଙ୍ଗରେ ୧୦ ରୁ ୧୬ଟି ପରମାଣୁ ଯୁଦ୍ଧାସ୍ତ୍ର (Warheads) ବହନ କରିପାରିବ। ଏହାର ଶକ୍ତି ପାଶ୍ଚାତ୍ୟ ଦେଶଗୁଡ଼ିକର ଯେକୌଣସି ମିସାଇଲ୍ ତୁଳନାରେ ପ୍ରାୟ ୪ ଗୁଣ ଅଧିକ।

ଏହି ମିସାଇଲ୍ ଶବ୍ଦର ଗତିଠାରୁ ପ୍ରାୟ ୨୦ରୁ ୨୭ ଗୁଣ ଅଧିକ ବେଗରେ ଗତି କରିପାରିବ। ଏହାର ଅର୍ଥ ହେଉଛି, ଏହାକୁ ଅଧା ବାଟରେ ଅଟକାଇବା ପାଇଁ ବର୍ତ୍ତମାନ ବିଶ୍ୱରେ କୌଣସି ‘ଆଣ୍ଟି-ମିସାଇଲ୍ ଡିଫେନ୍ସ ସିଷ୍ଟମ୍’ ନାହିଁ।

ପାଶ୍ଚାତ୍ୟ ପାଇଁ ଏହା କାହିଁକି ବଡ଼ ଚେତାବନୀ ?

ପୁଟିନ୍ କହିଛନ୍ତି ଯେ, ‘ଏହି ଅସ୍ତ୍ର ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଶତ୍ରୁଙ୍କ ପ୍ରତିରକ୍ଷା ବ୍ୟବସ୍ଥାକୁ ଫେଲ୍ କରିବାରେ ସକ୍ଷମ। ଏହା ନାଟୋ (NATO) ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ପାଇଁ ଏକ ପ୍ରକାର ମାନସିକ ଚାପ ସୃଷ୍ଟି କରିବା ପାଇଁ ପୁଟିନଙ୍କ ରଣନୀତି। ସାମରିକ ବିଶେଷଜ୍ଞଙ୍କ ଅନୁଯାୟୀ, ଗୋଟିଏ ‘ସରମତ’ ମିସାଇଲ୍ ଫ୍ରାନ୍ସ ବା ଟେକ୍ସାସ୍ ଭଳି ଏକ ବଡ଼ ଦେଶ ବା ରାଜ୍ୟକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ପାଇଁ ଯଥେଷ୍ଟ।

ପୁରୁଣା ମିସାଇଲର ସ୍ଥାନ ନେବ

ଏହା ରୁଷର ପୁରୁଣା ସୋଭିଏତ୍ ସମୟର 'ଭୋଏଭୋଡା' (Voyevoda/R-36M) ମିସାଇଲ୍ର ସ୍ଥାନ ନେବ। ଯୁଦ୍ଧ କ୍ଷେତ୍ରରେ ଋଷିଆ ଏହି ନୂଆ ମିସାଇଲ୍ ଜରିଆରେ ନିଜର ପରମାଣୁ ପ୍ରତିରୋଧକ ଶକ୍ତିକୁ ଆହୁରି ମଜଭୁତ କରିବାକୁ ଚାହୁଁଛି। ୟୁକ୍ରେନ ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦାବି କରିବା ସହ ପୁଟିନ୍ ଏହି ଶକ୍ତି ପ୍ରଦର୍ଶନ କରି ବିଶ୍ୱକୁ ନିଜର ସାମରିକ ଦକ୍ଷତାର ପ୍ରମାଣ ଦେଇଛନ୍ତି।