କଟକ: କଟକ ବାରଙ୍ଗ ଥାନାରେ ଯୁବକଙ୍କୁ ଅମାନୁଷିକ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ମାମଲା ଏବେ ଏକ ନୂଆ ଏବଂ ରହସ୍ୟମୟ ମୋଡ଼ ନେଇଛି। ଏହି ଘଟଣାରେ ଏକ ସାଙ୍ଘାତିକ ଦୁର୍ଘଟଣା ଜନିତ ଆଙ୍ଗେଲ୍ ସାମ୍ନାକୁ ଆସିଛି। ଘଟଣାର ଗମ୍ଭୀରତା ଏବେ ଏତେ ବଢ଼ିଯାଇଛି ଯେ DGP ଏହି ପୂରା ମାମଲାର ଏଚ୍ଆରପିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମ୍ବେଦନଶୀଳ ଘଟଣାରେ ନିୟୁଜ୍-୧୮ ଓଡ଼ିଆକୁ ମିଳିଥିବା MLC ଓ FIR ରିପୋର୍ଟ ଏକ ବଡ଼ ଖୁଲାସା ହୋଇଛି । ହସ୍ତଗତ କରିଥିବା ଫୁଲନଖରା ସ୍ଥିତ 'ମେଡ୍ ଏକ୍ସ ହସ୍ପିଟାଲ୍'ର ପୋଲିସ ସୂଚନା ଫର୍ମ ବା MLC ରିପୋର୍ଟ ଅନୁଯାୟୀ, ରାକେଶ ବେହେରା ଗତ ମେ ୨୩ ତାରିଖ ଦିନ ବାଇକ୍ରୁ ପଡ଼ି ଆହତ ହୋଇଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଏହା ପରେ ୨୪ ତାରିଖ ଦିନ ୧୨ଟା ୪୫ ମିନିଟରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ୨୫ ମେ ସନ୍ଧ୍ୟା ୭ଟା ୩୦ରେ ତାଙ୍କୁ ସେଠାରୁ ଏସସିବି ସ୍ଥାନାନ୍ତର କରାଯାଇଥିଲା। ଏହି ତଥ୍ୟକୁ ଆଧାର କରି ଗତ ୨୬ ତାରିଖରେ କଟକ ସଦର ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା FIR No. 0361 ମଧ୍ୟ ରୁଜୁ କରାଯାଇଛି।

ପ୍ରଶ୍ନ ଘେରରେ ପୋଲିସ

ତେବେ ଏହାନେଇ ଏବେ ପ୍ରଶ୍ନ ଘେରରେ ପୋଲିସ। କାରଣ ,ପରିବାର ଲୋକଙ୍କ କହିବା ଅନୁଯାୟୀ ରାକେଶ ୨୩ ତାରିଖରୁ ବାରଙ୍ଗ ଥାନାରେ ଅଟକ ଥିଲେ। ଯଦି ସେ ପୋଲିସ ହେପାଜତରେ ଥିଲେ, ତେବେ ସେ କେଉଁ ପରିସ୍ଥିତିରେ ଏବେ କାହା ସହିତ ବାଇକ୍ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ? ବାରଙ୍ଗ ଅଞ୍ଚଳର ରାକେଶ ନିଜ ଘର ଚଣ୍ଡୀପ୍ରସାଦକୁ ଯିବା ବଦଳରେ ସେହି ସମୟରେ ରାତି ଅଧରେ କାହିଁକି ଓ କେଉଁ କାମରେ ଫୁଲନଖରା ଆଡ଼କୁ ଯାଉଥିଲେ ?

ଆହତ ହୋଇ ଚିକିତ୍ସିତ ହେଉଥିବା ରାକେଶଙ୍କୁ ‘ମେଡ୍ ଏକ୍ସ ହସ୍ପିଟାଲ୍’ ପ୍ରଥମେ ନିଜେ ଚିକିତ୍ସା କରିବା ପରେ ହଠାତ୍ କାହିଁକି ଏସସିବିକୁ ସ୍ଥାନାନ୍ତରିତ କଲା ? ପୋଲିସ ନିଜ ହାଜତ ଅତ୍ୟାଚାର ଓ ଥାର୍ଡ ଡିଗ୍ରୀର ଚିହ୍ନକୁ ସଡ଼କ ଦୁର୍ଘଟଣାର ରୂପ ଦେବା ପାଇଁ ଏଭଳି ଏକ ସ୍କ୍ରିପ୍ଟ ପ୍ରସ୍ତୁତ କରିନାହିଁ ତ ? ଯଦି ଦୁର୍ଘଟଣା ୨୩ ତାରିଖରେ ହୋଇଥିଲା ଏବଂ ସେ ୨୪ରେ ମେଡିକାଲ୍ ଗଲେ, ତେବେ ୨୬ ତାରିଖ ରାତି ପର୍ଯ୍ୟନ୍ତ ଏଫ୍ଆଇଆର୍ ଦାଖଲ ପାଇଁ ପୋଲିସ କାହିଁକି ଅପେକ୍ଷା କରିଥିଲା ?

ସେପଟେ ମାମଲାଟି ଅତି ସମ୍ବେଦନଶୀଳ ରୂପ ନେଇ ଥିବାରୁ ଏବଂ ପୋଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହୋଇଥିବାରୁ ପୋଲିସ ଡିଜି ସିଧାସଳଖ ମାନବାଧିକାର ସୁରକ୍ଷା ସେଲ୍ ବା HRPC କୁ ଏହାର ଭାର ଦେଇଛନ୍ତି। ଏଚ୍ଆରପିସି ଟିମ୍ ଖୁବଶୀଘ୍ର ବାରଙ୍ଗ ଥାନାର ସିସିଟିଭି ଫୁଟେଜ୍, ହସ୍ପିଟାଲର ଡାକ୍ତରୀ ଦଳ ଏବଂ ସମ୍ପୃକ୍ତ ଆଇଆଇସିଙ୍କୁ ଜେରା କରି ଏହି ରହସ୍ୟ ଉପରୁ ପରଦା ହଟାଇବ ବୋଲି ଆଶା କରାଯାଉଛି ।