କଟକ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ଘାତକ ବୋଲିଂ। ବାରବାଟୀରେ ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଛି। ସହଜ ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ଭାରତ ପ୍ରଥମେ ବ୍ୟାଟିଂ କରି ପାଣ୍ଡ୍ୟାଙ୍କ ବିସ୍ଫୋରକ ୫୯ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ୭୪ ରନରେ ଅଲଆଉଟ୍ ହୋଇଛି। ଏଥିସହ ବାରବାଟୀରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଛି। କାରଣ ଏହା ପୂର୍ବରୁ ଏହି ଗ୍ରାଉଣ୍ଡରେ ଦଳ ଦକ୍ଷିଣ ଆଫ୍ରିକାଠୁ ଦୁଇ ଥର ହାରିଥିଲା।

୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଅର୍ଶଦୀପ ସିଂ କ୍ଵିଣ୍ଟନ ଡିକକଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ। ଏହା ପରେ ଟ୍ରିଷ୍ଟନ ଷ୍ଟବ୍ସ(୧୪ ରନ)ଙ୍କୁ ପାଭିଲିୟନ ପଠାଇଥିଲେ। ଏହା ପରେ ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନ ଥିଲା। ମଧ୍ୟକ୍ରମରେ ଡିଓ୍ଵାର୍ଲ୍ଡ ବ୍ରେଭିସ ୨୨ ରନ  କରି ପାରିଥିଲେ। ଫରେରା ୧୨ ରନ ଓ ଡେଭିଡ ମିଲର ୧ ରନ କ୍ରିଜରେ ତିଷ୍ଠି ପାରି ନ ଥିଲେ। ମାର୍କୋ ଜନସେନ ୧୨ ରନ କରିବାକୁ ସମର୍ଥ ହୋଇଥିଲେ। ହେଲେ କୌଣସି ବ୍ୟାଟର ବଡ଼ ଇନିଂସ ଖେଳିବାରେ ସମର୍ଥ ହୋଇ ନ ଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ୭୪ ରନରେ ଅଲଆଉଟ୍ ହୋଇଛି। ​​​​​​​

​​​​​​​

ବୋଲିଂରେ ଅର୍ଶଦୀପ ସିଂ ୧୪ ରନ ଦେଇ ୨ଟି ଓ  ବୁମରା ୩ ଓଭରରେ ୧୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ସେହିପରି ବରୁଣ ଚକ୍ରବର୍ତ୍ତୀ ୩ ଓଭରରେ ୧୯ ରନ ଦେଇ ୨ଟି ଓ୍ଵିକେଟ୍ ଓ ଅକ୍ଷର ପଟେଲ୍ ୨ ଓଭରରେ ମାତ୍ର ୭ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ଶିବମ ଦୁବେଙ୍କୁ ଗୋଟିଏ ସଫଳତା ମିଳିଛି।

ଭାରତର ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା। ଶୁଭମନ ଗିଲ୍(୪ ରନ) ବଡ଼ ସଟ୍ ଖେଳିବାକୁ ଯାଇ ଲୁଙ୍ଗି ଏନଗିଡିଙ୍କ ଶିକାର ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୨ ରନ କରି ନିରାଶ କରିଥିଲେ। ଦ୍ରୁତ ବୋଲରଙ୍କୁ ସୁହାଉଥିବ ବାରବାଟୀ ପିଚରେ ଦକ୍ଷିଣ ଆଫ୍ରିକାର ବୋଲର ଭାରତୀୟ ବ୍ୟାଟରଙ୍କୁ ହାତ ଖୋଲିବାକୁ ସୁଯୋଗ ଦେଇ ନଥିଲେ। ଅଭିଷେକ ଶର୍ମା ୧୨ ବଲରୁ ୧୭ ରନ କରି ତୃତୀୟ ବ୍ୟାଟର ଭାବେ ପାଭିଲିୟନ ଫେରିଥିଲେ। ତିଳକ ବର୍ମା କ୍ରିଜରେ ଜମିଥିଲେ ହେଁ ୩୨ ବଲରୁ ୨୬ ରନର ଧିମା ଇନିଂସ ଖେଲିଥିଲେ।

ଭାରତ ଆଶା ଅନୁଯାୟୀ, ଦ୍ରୁତ ଗତିରେ ରନ କରି ପାରି ନ ଥିଲା। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତାଙ୍କ ସହ ଅକ୍ଷର ପଟେଲ୍ ଉତ୍ତମ ଯୋଗଦାନ ଦେଇଥିଲେ। କିନ୍ତୁ ଅକ୍ଷର ପଟେଲ୍ ୨୩ ରନ କରି ମିଳିଥିବା ଆରମ୍ଭର ଫାଇଦା ଉଠାଇ ପାରି ନ ଥିଲେ। ଶିବମ ଦୁବେ(୧୧ ରନ) କିଚି ଖାସ୍ କରି ପାରି ନ ଥିଲେ।

ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଚୌକା ଓ ଛକା ବର୍ଷା କରି ଚାଲିଥିଲେ। ପାଣ୍ଡ୍ୟା ବାରବାଟୀରେ ନିଜର ଟି-୨୦ ଅନ୍ତର୍ଜାତୀୟରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଛନ୍ତି। ମାତ୍ର ୨୮ ବଲରୁ ୬ ଚୌକା ଓ ୪ ଛକା ସହ ଅପରାଜିତ ୫୯ ରନ କରିଥିଲେ। ଫଳରେ  ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୫ ରନ କରିଛି। ଜିତେଶ ଶର୍ମା ୧୦ ରନ କରିଥିଲେ। ବୋଲିଂରେ ଲୁଙ୍ଗି ଏନଗିଡି ୩୧ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ସିପମ୍ଲା ୩୮ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।