ପାଟନା: ଡେବ୍ୟୁ ମ୍ୟାଚ୍‌ରେ ଶତକ । ବାଙ୍କୀପୁର ଉପନିର୍ବାଚନରେ ବାଜିମାତ କରିଛନ୍ତି ପ୍ରଶାନ୍ତ କିଶୋର । ସେ ପ୍ରଥମ ଥର ନିର୍ବାଚନରେ ଲଢ଼ିବା ସହ ବିଜୟୀ ହୋଇଛନ୍ତି । ଏହା ସହ ଜନ ସୂରାଜ ପାର୍ଟିର ପ୍ରଥମ ବିଧାୟକ ହୋଇଛନ୍ତି ପ୍ରଶାନ୍ତ । ୨୦୨୫ ବିଧାନସଭା ନିର୍ବାଚନରେ ୨୩୮ ଆସନରେ ପ୍ରାର୍ଥୀ ଦେଇଥିଲେ ବି ପ୍ରଶାନ୍ତ କିଶୋରଙ୍କ ଦଳ ଖାତା ଖୋଲିପାରି ନଥିଲା । ଏହି ଉପନିର୍ବାଚନ ଉଭୟ ପ୍ରଶାନ୍ତ କିଶୋର ଏବଂ ତାଙ୍କର ନୂଆ ଦଳକୁ ଏକ ନୂଆ ଆଶା ଦେଇଛି । ସେପଟେ ଦୀର୍ଘ ୩୦ ବର୍ଷ ଧରି ଯେଉଁ ଆସନରେ ବିଜେପି ପତିଆରା ଦେଖାଉଥିଲା ସେଠାରେ ପରାଜୟ ସ୍ବୀକାର କରିଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଆସନରେ ବିଜେପି ପରାସ୍ତ ହୋଇଛି । 

ବିଜେପିର ବିଜୟ ପାଇଁ ଦିନେ ରୋଡମ୍ୟାପ୍‌ ତିଆରି କରୁଥିବା ପ୍ରଶାନ୍ତ କିଶୋର, ଏବେ ନିଜେ ସେହି ଦଳର ପ୍ରାର୍ଥୀଙ୍କୁ ୧୯,୩୨୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ପ୍ରଶାନ୍ତ କିଶୋର ଉପନିର୍ବାଚନରେ ମୋଟ ୬୪,୧୫୧ ଖଣ୍ଡ ଭୋଟ ପାଇଛନ୍ତି । ସେପଟେ ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ପ୍ରଶାନ୍ତ କିଶୋର କହିଛନ୍ତି, ମୁଁ ବିଧାୟକ ହୋଇଯିବାର ଅର୍ଥ ନୁହେଁ, ବାଙ୍କୀପୁର ରାତାରାତି ବେଙ୍ଗାଲୁରୁ ହୋଇଯିବ ।  କିନ୍ତୁ ଆସନ୍ତା ୨-୩ ମାସ ମଧ୍ୟରେ କିଛି ପରିବର୍ତ୍ତନ ଦେଖାଯିବ ନିଶ୍ଚିତ । ନିର୍ବାଚନରେ ଜିତିଥିବାରୁ ତାଙ୍କର ମୁଖ୍ୟ କାମ ବାଙ୍କୀପୁରର ଉନ୍ନତ୍ତି । ସେ ମିଛ ପ୍ରତିଶ୍ରୁତି ଦେବାକୁ ଚାହୁଁନାହାନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ପ୍ରଶାନ୍ତ । 

ସେ କହିଛନ୍ତି, ଲୋକେ ଯେଉଁ ଆଶୀର୍ବାଦ ଦେଇଛନ୍ତି, ବାଙ୍କୀପୁରର ଉନ୍ନତ୍ତି କରିବି । ୨-୩ ମାସ ମଧ୍ୟରେ ପରିବର୍ତ୍ତନ ଦେଖାଯିବ । କିନ୍ତୁ ବଡ଼ ବଡ଼ ପ୍ରତିଶ୍ରୁତି ଦେବାକୁ ଚାହୁଁନାହିଁ ।’ ଏହା ସହ ସେ ବିହାରର ଏନଡିଏ ସରକାର ଏବଂ ବିଜେପିର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଲଢ଼େଇ ବ୍ୟକ୍ତିଗତ ନୁହେଁ । ସମ୍ରାଟ ଚୌଧୁରୀଙ୍କ ମୁହଁ ଏବଂ ଚରିତ୍ର ଲୋକଙ୍କ ନଜରରେ ରହିଛି । ଯଦି ଜଣେ ଅପରାଧୀକୁ ରାଜ୍ୟର ରାଜା କରିବେ ତେବେ ବିହାର କେବେ ବି ପ୍ରଗତି କରିପାରିବ ନାହିଁ । ଏପରିକି ଜଣେ ଯୋଗ୍ୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ପ୍ରଶାନ୍ତ କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲୋକଙ୍କ ମତକୁ ସମ୍ମାନ ଜଣାଇ ମୁଁ ପ୍ରଶାନ୍ତ କିଶୋରଙ୍କୁ ବାଙ୍କୀପୁର ଉପନିର୍ବାଚନ ବିଜୟ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ଟ୍ବିଟରରେ ଲେଖିଛନ୍ତି ସମ୍ରାଟ ଚୌଧୁରୀ ।