ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ ରହେମାନ ଜନ୍ମାଷ୍ଟମୀ ଲାଗି ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଉପରେ ବର୍ଷିଛନ୍ତି। ସେ ହସିନାଙ୍କ ତୁଳନା ମଥୁରାର କ୍ରୁର ରାଜା କଂସ ସହ କରି କହିଛନ୍ତି ଯେ କଂଶ ଭଳି ଦେଢ ଦଶନ୍ଧୀ ଧରି ବାଂଲାଦେଶର ଲୋକଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ଦୂରେଇ ରଖିଥିଲେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଜଧାନୀ ଢାକାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ହିନ୍ଦୁ ପୂଜାରୀଙ୍କୁ ଭେଟିଛନ୍ତି ଓ ସମୂଦାୟର ଅନ୍ୟ ଲୋକଙ୍କୁ ସମ୍ମାନ ରାଶି ଆବଣ୍ଟନ କରିଛନ୍ତି।

ବାଂଲାଦେଶ ମିଡିଆ ରିପୋର୍ଟ ଅନୁସାରେ ସରକାରଙ୍କ ଧାର୍ମିକ ବ୍ୟାପାର ମନ୍ତ୍ରାଳୟ ଓ ହିନ୍ଦୁ ଧାର୍ମିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ବିଶିଷ୍ଟ ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିଲା। ଜନ୍ମାଷ୍ଟମୀ ଲାଗି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁବାର ଉସ୍ମାନିୟା ମେମୋରିୟାଲ ଅଡିଟରିୟମ ପର୍ଯ୍ୟନ୍ତ ପାଦରେ ଚାଲିଚାଲି ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ତାରିକ ରହମାନ ସାରା ବିଶ୍ୱରେ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ‘ମୁଁ ବାଂଲାଦେଶ ଓ ବିଶ୍ୱର ସବୁ ହିନ୍ଦୁ ଓ ସନାତନ ଧର୍ମର ଲୋକଙ୍କୁ ଜନ୍ମାଷ୍ଟମୀ ଅବସରରେ ହାର୍ଦ୍ଦିକ ଶୁଭକାମନା ଓ ବଧେଇ ଜଣାଉଛି’।

ଏହି ଅବସରରେ ତାରିକ ରହମାନ ଶେଖ ହସିନାଙ୍କ ନାମ ନନେଇ ତାଙ୍କ ଉପରେ ବର୍ଷିଛନ୍ତି। ସେ ଭଗବାନ କୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ଉଲ୍ଲେଖ କରି କହିଛନ୍ତି ଯେ କୃଷ୍ଣଙ୍କ ଜନ୍ମ ପାଖାପାଖି ୫ ହଜାର ବର୍ଷ ପୂର୍ବେ ମଥୁରାରେ ହୋଇଥିଲା। ସେତେବେଳେ ମଥୁରାରେ ଅତ୍ୟାଚାରୀ ରାଜା କଂସର ଶାସନ ଥିଲା। ହିନ୍ଦୁ ଧର୍ମରେ ଆସ୍ଥା ରଖୁଥିବା ଲୋକେ କୃଷ୍ଣ ଶେଷରେ କଂସକୁ ହରାଇ ଦୁଷ୍ଟ ନାସ କରି ଧର୍ମ ସ୍ଥାପନା କରିଥିବା ମାନନ୍ତି। ତାରିକ ରହମାନ କହିଛନ୍ତି ଯେ କଂସ ଭଳି ଶାସକ ଦୀର୍ଘ ଦେଢ ଦଶନ୍ଧୀ ଧରି ବାଂଲାଦେଶ ଉପରେ ଶାସନ କରିଥିବା ବେଳେ ଲୋକଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ଦୂରେଇ ରଖିଥିଲା।

ତାରିକ ରହମାନ କହିଛନ୍ତି ଯେ ବାଂଲାଦେଶ ଏବେ ପୁଣି ଥରେ ଗଣତାନ୍ତ୍ରିକ ମାର୍ଗରେ ଚାଲିଛି। ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ନିରପେକ୍ଷ ପ୍ରଶାସନ ଓ ଉତ୍ତମ ଆଇନଶୃଙ୍ଖଳା ସହିତ ଏବେ ଦେଶର ପୁନନିର୍ମାଣର ସମୟ ଆସିଛି। ଉଲ୍ଲେଖଯୋଗ୍ୟ ଯେ ୫ ଅଗଷ୍ଟ ୨୦୨୪ରେ ବାଂଲାଦେଶରେ ହୋଇଥିବା ବିଦ୍ରୋହରେ ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ରହୁଛନ୍ତି।