ନୂଆଦିଲ୍ଲୀ: କୂଟନୀତିରେ ବନ୍ଧୁତା କିମ୍ବା ଶତ୍ରୁତା ସ୍ଥାୟୀ ନୁହେଁ, କେବଳ ନିଜର ସ୍ୱାର୍ଥ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ବାଂଲାଦେଶ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ସଂପର୍କ ଏହାର ଏକ ବଡ଼ ଉଦାହରଣ। ଭାରତ ସହିତ ଗଭୀର ସାଂସ୍କୃତିକ ଓ ଭୌଗୋଳିକ ସମ୍ପର୍କ ଥାଇ ମଧ୍ୟ ବାଂଲାଦେଶ ଏବେ ଚୀନର ନିକଟତର ହେବାରେ ଲାଗିଛି । ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ଆଗାମୀ ଚୀନ୍ ଗସ୍ତ ଏବେ ନୂଆଦିଲ୍ଲୀ ପାଇଁ ଚିନ୍ତାର କାରଣ ସାଜିଛି। ଏହି ଗସ୍ତ ସମୟରେ ଢାକା ଏବଂ ବେଜିଂ ମଧ୍ୟରେ ପ୍ରାୟ ୧୫ ରୁ ୧୭ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି ।

ବାଂଲାଦେଶ ଏବେ ଚୀନର ଆର୍ଥିକ ରଣନୀତି ବା 'ଚେକବୁକ୍ ଡିପ୍ଲୋମାସି'ର ଜାଲରେ ନିଜକୁ ସାମିଲ କରିବାକୁ ବ୍ୟାକୁଳ ଥିବା ଜଣାପଡୁଛି। ବାଂଲାଦେଶର ବୈଦେଶିକ ସଚିବ ଅସଦ୍ ଆଲମ୍ ସିୟାମ୍ ସ୍ପଷ୍ଟ କରିଛନ୍ତି ଯେ, ଏହି ଗସ୍ତ କେବଳ ସାଧାରଣ ବାଣିଜ୍ୟିକ ସମ୍ପର୍କ ମଧ୍ୟରେ ସୀମିତ ନାହିଁ ।  ଏହା ଦର୍ଶାଉଛି ଯେ, ବାଂଲାଦେଶ ଏବେ ନିଜର ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୀନ୍ ଉପରେ ନିର୍ଭରଶୀଳତାକୁ ବହୁ ଗୁଣ ବଢ଼ାଇବାକୁ ନିଷ୍ପତ୍ତି ନେଇସାରିଛି।

ଏହି ଗସ୍ତର ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ବିବାଦୀୟ ଦିଗ ହେଉଛି ତିସ୍ତା ନଦୀ ପ୍ରକଳ୍ପ। ତିସ୍ତା ଜଳ ବିବାଦ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୀର୍ଘ ଦିନରୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହିଆସିଛି। ଯଦି ଢାକା ତିସ୍ତା ପ୍ରକଳ୍ପର ଦାୟିତ୍ୱ ଚୀନ୍ ହାତରେ ସମର୍ପଣ କରେ, ତେବେ ଭାରତୀୟ ସୀମାନ୍ତରେ ଚୀନ୍ ଇଞ୍ଜିନିୟରଙ୍କ ଉପସ୍ଥିତି ବଢ଼ିବ। ଏହା ସିଧାସଳଖ ଭାରତର ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱ ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିବ। ଏହାକୁ ଭାରତ ପାଇଁ ଏକ ପ୍ରକାର କୂଟନୈତିକ ଚେତାବନୀ ବୋଲି କୁହାଯାଉଛି।

ବାଂଲାଦେଶୀ ଖବରକାଗଜର ରିପୋର୍ଟ ଅନୁଯାୟୀ, ବାଂଲାଦେଶ ସରକାର ଏହି ହାଇ-ପ୍ରୋଫାଇଲ୍ ଯାତ୍ରା ପାଇଁ ନିଜ ପ୍ରତିନିଧି ମଣ୍ଡଳୀକୁ ଛୋଟ କରିଛନ୍ତି । ମାଲେସିଆ ଏବଂ ଚୀନ୍ ଗସ୍ତ କରୁଥିବା ଏହି ଦଳରେ ମାତ୍ର ୨୭ ରୁ ୨୮ ଜଣ ସଦସ୍ୟ ସାମିଲ ଅଛନ୍ତି।ସରକାରଙ୍କ ଯୁକ୍ତି ଅନୁସାରେ, ଅନାବଶ୍ୟକ ଖର୍ଚ୍ଚ କାଟ୍ କରି ଗସ୍ତକୁ ଅଧିକ ପ୍ରଭାବଶାଳୀ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ଏଭଳି କରାଯାଇଛି। କିନ୍ତୁ ବିଶ୍ଳେଷକଙ୍କ ମତରେ, ଅସଲ ଖେଳ ପ୍ରତିନିଧି ଦଳର ଆକାରରେ ନାହିଁ, ବରଂ ବେଜିଂରେ ହେବାକୁ ଥିବା ଆଲୋଚନାର ଗୁପ୍ତ ଏଜେଣ୍ଡା ମଧ୍ୟରେ ଲୁଚି ରହିଛି। ବାଂଲାଦେଶର ଏହି ନୂତନ ସରକାର ନିଜର ଆର୍ଥିକ ଏବଂ ରଣନୈତିକ ସମସ୍ୟାର ସମାଧାନ ପାଇଁ ଚୀନ୍ ଆଡ଼କୁ ଅଧିକ ଢଳୁଥିବା ସ୍ପଷ୍ଟ ଜଣାପଡୁଛି।