ଭୁବନେଶ୍ୱର ୦୭।୦୬ : ଜିଆରପି କନଷ୍ଟେବଲ୍ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଏକ ଡାଏରୀ ଲାଗିଛି। ଏହି ଡାଏରୀଟି ସୌମ୍ୟଙ୍କର ଜଣେ ସାଙ୍ଗ ତଦନ୍ତକାରୀ ଟିମ୍ କୁ ଦେଇଛନ୍ତି। ଏଥିରେ ସୌମ୍ୟ ନିଜର ନିତିଦିନିଆ ଘଟଣାବଳୀ ଲେଖୁଥିଲେ। ଚାକିରିଠୁ ଆରମ୍ଭ କରି ଜିମ୍, ଆର୍ଥିକ ଦେଣ ନେଣ ଓ କିଛି ବିବାଦ ସମ୍ପର୍କିତ ବିଷୟ ଏହି ଡାଏରୀରେ ଲେଖାଯାଇଛି।

ତେବେ କ୍ରାଇମବ୍ରାଞ୍ଚ୍ ଏହି ଡାଏରୀରେ ଉଲ୍ଲେଖ ତଥ୍ୟକୁ ଯାଞ୍ଚ କରୁଛି। ଏଥିରୁ ସୌମ୍ୟଙ୍କ ସମ୍ପର୍କରେ ଥିବା କିଛି ଅସମାହିତ ପ୍ରଶ୍ନ ବିଷୟରେ ଅଧିକ ତଥ୍ୟ ମିଳିପାରେ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ। ସୌମ୍ୟଙ୍କ ସହିତ ସମ୍ପର୍କ ଥିବା ଏକାଧିକ ବ୍ୟକ୍ତିଙ୍କୁ ତଦନ୍ତରେ ସହଯୋଗ କରିବାକୁ ନୋଟିସ୍ କରାଯାଇଥିଲା । ଏହିକ୍ରମରେ ସୌମ୍ୟଙ୍କ ଘନିଷ୍ଠ ସାଙ୍ଗ ନିଆଳି ଅଞ୍ଚଳର ନିଶିକାନ୍ତ ମହାନ୍ତି ଓ ଅନ୍ୟ କିଛି ଯୁବକ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ।

Also Read:-ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣା, ୪ ଦିନ ହେଲା ମିଳୁନି ପ୍ରେମିକଙ୍କ ପତ୍ତା, ଫୋନ ବି ଆସୁଛି ବନ୍ଦ...

ଅନ୍ୟପଟେ ତଦନ୍ତକାରୀ ଟିମ୍ ନିଶିକାନ୍ତଙ୍କୁ ସୌମ୍ୟଙ୍କ ବିଷୟରେ ବିଭିନ୍ନ ପ୍ରଶ୍ନ କରିଛି। ଏହା ସହ ଏକ ଡାଏରୀକୁ ନିଶିକାନ୍ତ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ କୁ ଦେଇଛନ୍ତି। ସେହି ଡାଏରୀରେ ସୌମ୍ୟ ନିଜର ବ୍ୟକ୍ତିଗତ କଥା ଲେଖୁଥିଲେ । କେଉଁମାନେ ତାଙ୍କୁ ମାନସିକ ଚାପ ଦେଉଥିଲେ ସେନେଇ ମଧ୍ୟ ସୌମ୍ୟ ଡାଏରୀରେ ଉଲ୍ଲେଖ କରିଥିବା ବିଷୟ ନିଶିକାନ୍ତ କହିଛନ୍ତି। ଏମିତିକି ଜଣେ ଆଇପିଏସ୍ ଅଧିକାରୀ ଏବଂ ଭୁବନେଶ୍ଵରର ଜିମ୍ ମାଲିକ ବାରମ୍ବାର ଧମକଚମକ ଦେଉଥିବାରୁ ସେ ମାନସିକ ଚାପରେ ରହିବା ସହ ଚାକିରି ଛାଡ଼ିବାକୁ ସୌମ୍ୟ ଚିନ୍ତା କରୁଥିବା ନିଶିକାନ୍ତ କହିଛନ୍ତି।