ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର 'ବାଲେନ୍' ଶାହ ଭାରତ ଏବଂ ଚୀନ୍‌ ସହିତ ଦ୍ୱିପାକ୍ଷିକ ସମ୍ପର୍କର ସନ୍ତୁଳନ ରକ୍ଷା କରିବା ପାଇଁ ନିଜର କୂଟନୈତିକ ନିୟମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। କାଠମାଣ୍ଡୁରେ ଅବସ୍ଥାପିତ ବିଦେଶୀ ରାଷ୍ଟ୍ରଦୂତମାନଙ୍କ ସହ ସିଧାସଳଖ ବ୍ୟକ୍ତିଗତ (ୱାନ୍-ଅନ୍-ୱାନ୍) ବୈଠକ ନକରିବାର ନିଜସ୍ୱ ନିୟମକୁ ସେ ଏବେ ସ୍ଥଗିତ ରଖିଥିବା ସୂଚନା ମିଳିଛି।

ଏହି ନୂତନ ପଦକ୍ଷେପ ଅନୁଯାୟୀ, ସେ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଏବଂ ଚୀନ୍‌ ରାଷ୍ଟ୍ରଦୂତ ଝାଙ୍ଗ ମାଓମିଙ୍ଗଙ୍କ ସହ ଆଲୋଚନା କରିବେ। ନୂଆଦିଲ୍ଲୀ ଏବଂ ବେଜିଂ—ଉଭୟ ପଡ଼ୋଶୀ ଦେଶକୁ ନେପାଳ ସମାନ ଦୃଷ୍ଟିରେ ଦେଖେ ବୋଲି ପ୍ରମାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶାହ ଏହି ଦୁଇଜଣ ରାଷ୍ଟ୍ରଦୂତଙ୍କୁ ଏକା ଦିନରେ ଭେଟିବାକୁ ସମୟ ସ୍ଥିର କରିଛନ୍ତି।

'ଜେନ୍ ଜି' (Gen Z) ଆନ୍ଦୋଳନ ପରେ କ୍ଷମତାସୀନ ହୋଇଥିବା ବାଲେନ୍ ଶାହ ପାରମ୍ପରିକ କୂଟନୈତିକ ପ୍ରଥାକୁ ଏଡ଼ାଇ କୌଣସି ବିଦେଶୀ ରାଷ୍ଟ୍ରଦୂତଙ୍କୁ ଏକାକୀ ନଭେଟି କେବଳ ମିଳିତ ବୈଠକ କରୁଥିଲେ। ସରକାରର ପ୍ରଥମ ୧୦୦ ଦିନ ପୂରଣ ହେବା ପରେ ସେ ଏହି ନୀତିରେ ପ୍ରଥମ ଥର ପାଇଁ ବଡ଼ ପରିବର୍ତ୍ତନ ଆଣିଛନ୍ତି।

ଏହାପୂର୍ବରୁ ସେ ଆମେରିକାର ବରିଷ୍ଠ କୂଟନୀତିଜ୍ଞମାନଙ୍କ ସାକ୍ଷାତକାର ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। କେବଳ ଏସୀୟ ବିକାଶ ବ୍ୟାଙ୍କ (ADB) ସଭାପତି ମସାତୋ କାଣ୍ଡାଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ବାଲେନ ଶାହ ସ୍ଥାନୀୟ ବ୍ୟବସାୟୀ, ଶିଳ୍ପପତି ଓ ରପ୍ତାନିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ନେପାଳର ବୈଦେଶିକ ନୀତି ଓ କୂଟନୈତିକ ପ୍ରାଥମିକତାକୁ ଆଗକୁ ନେବା ପାଇଁ ଦୁଇ ପ୍ରମୁଖ ପଡ଼ୋଶୀ ଦେଶ ଭାରତ ଓ ଚୀନ୍‌ର ରାଷ୍ଟ୍ରଦୂତଙ୍କ ସହ ସିଧାସଳଖ ଆଲୋଚନା କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।