କଟକ ୨୩।୦୫ : କମ୍ବାଇନ ପୋଲିସ ସର୍ଭିସ ପରୀକ୍ଷା ୨୦୨୪ କେଳେଙ୍କାରୀ ମାମଲା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ, ୧୭ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ମାମଲାର ଗମ୍ଭୀରତାକୁ ଦେଖି ବର୍ତ୍ତମାନ ପରିସ୍ଥିତିରେ ଜାମିନ ମଞ୍ଜୁର କରିବା ସମ୍ଭବ ନୁହେଁ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

ତେବେ ଯଦିଓ ଅସୁସ୍ଥତା କାରଣରୁ ମୁନା ମହାନ୍ତି ପୂର୍ବରୁ ଅନ୍ତରୀଣ ଜାମିନ ପାଇଥିଲେ। କିନ୍ତୁ ସଦ୍ୟ ନିର୍ଦ୍ଦେଶନାମାରେ ମୁନା ମହାନ୍ତିଙ୍କ ଜାମିନ ଆବେଦନକୁ ମଧ୍ୟ ରଦ୍ଦ କରାଯାଇଛି। ଆଗାମୀ ୩ ସପ୍ତାହ ଭିତରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ହୋଇଛି। କମ୍ବାଇନ ପୋଲିସ ସର୍ଭିସ ଏକ୍ଜାମିନେସନ ପାଇଁ ୨୦୨୪ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଶ୍ନପତ୍ର ବିଭ୍ରାଟ ଏବଂ ପରୀକ୍ଷା ପ୍ରକ୍ରିୟାରେ ଭୟଙ୍କର କେଳେଙ୍କାରୀ ହୋଇଥିବାର ଅଭିଯୋଗ ହୋଇଥିଲା। ଏହାପରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁନା ମହାନ୍ତି ସମେତ ୧୭ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

Also Read:-Horoscope Today : ମେ'୨୩ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ତେବେ ଏସବୁ ଭିତରେ ଅସୁସ୍ଥତାର କାରଣ ଦର୍ଶାଇ ମୁନା ମହାନ୍ତି ଅନ୍ତରୀଣ ଜାମିନ ଆବେଦନ କରିଥିଲେ, ଯାହାକୁ ମଞ୍ଜୁରୀ ମିଳିଥିଲା। ତେବେ ତାଙ୍କର ଅସ୍ତ୍ରୋପଚାର ହୋଇସାରିଛି, ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆଉ କିଛି ଦିନ ସମୟ ଲାଗିବ ବୋଲି ଆବେଦନକାରୀ କୋର୍ଟରେ ଯୁକ୍ତି ରଖିଥିଲେ। ଯାହାକୁ ହାଇକୋର୍ଟ ଗ୍ରହଣ କରିବା ସହିତ ଆଗାମୀ ୩ ସପ୍ତାହ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।