ଗୋପେଶ୍ୱର : ବଦ୍ରିନାଥ, କେଦାରନାଥ ମନ୍ଦିର କମିଟି (ବିକେଟିସି) ବ୍ୟକ୍ତିଗତ ସହାୟକ ପ୍ରମୋଦ ନୌଟିୟାଲଙ୍କ ଗିରଫ ପରେ ବଦ୍ରିନାଥ ଧାମର ଦାନ ହଡ଼ପ ମାମଲାର ଯାଞ୍ଚ ତ୍ୱରାନ୍ୱିତ ହୋଇଛି। ଏହିକ୍ରମରେ ବିକେଟିସି କୋଷାଧ୍ୟକ୍ଷ ସନ୍ଦେଶ ମେହଟ୍ଟାଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି ଓ ତାଙ୍କୁ ନୋଟିସ୍ ଜାରି ହୋଇଛି। ଏହା ଛଡା ମନ୍ଦିର କମିଟି ଓ ସ୍ପେଶାଲ ଇନଭେଷ୍ଟିଗେସନ ଟିମ (ଏସଆଇଟି) ଦ୍ୱାରା କରାଯାଇଥିବା ମିଳିତ ଯାଞ୍ଚରେ ୩ ବିକେଟିସି କର୍ମଚାରୀ ଓ ଜଣେ ଶ୍ରଦ୍ଧାଳୁଙ୍କ ସମେତ ୪ ଜଣଙ୍କ ଲିପ୍ତତା ପୁଷ୍ଟି ହୋଇଛି। ହେଲେ ଏବେ ୩ ଜଣ କର୍ମଚାରୀଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କୁ ପଚରାଉଚରା ପାଇଁ ଅଧିକାରୀ ପ୍ରସ୍ତୁତି କରୁଛନ୍ତି।

ଗଡ଼ୱାଲ କମିଶନର ଆନନ୍ଦ ସ୍ୱରୂପଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ମଙ୍ଗଳବାର ବଦ୍ରିନାଥ ପହଞ୍ଚିଥିଲେ, ଯାହାଦ୍ୱାରା ଦୁଇ ଯାଞ୍ଚ କମିଟିଙ୍କ ଦ୍ୱାରା କରାଯାଇଥିବା ଯାଞ୍ଚର ପ୍ରଗତି ସମୀକ୍ଷା କରାଯାଇ ପାରିବ। କମିଶନର ଦାନ ଗଣନା ସ୍ଥଳର ନିରୀକ୍ଷଣ କରିଛନ୍ତି ଓ ଦାନଗଣନା ପ୍ରକ୍ରିୟାର ସମୀକ୍ଷା କରିବା ସହିତ କର୍ମଚାରୀଙ୍କ ବୟାନ ରେକର୍ଡ କରିଛନ୍ତି। ଏହି ଅବସରରେ କମିଶନର ମନ୍ଦିର କମିଟିକୁ ଜ୍ୟେତିର୍ମଠ ଉପ ମଣ୍ଡଳ ମାଜିଷ୍ଟ୍ରେଟ୍ (ଏସଡିଏମ)ଙ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ଦାନ ଗଣନା ରେକର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏସଆଇଟି ଇନ-ଚାର୍ଜ ଡିଏସପି ମଦନ ବିଷ୍ଟ ଓ ବିକେଟିସି ସିଇଓ ସୋହନ ସିଂହ ରଂଗଦ କାଗଜପତ୍ର ସମୀକ୍ଷା କାଳରେ ଗଡୱାଲ କମିଶନର ରୁପା ରେକର୍ଡରେ ଓଭର ରାଇଟିଂ ହୋଇଥିବାର ଦେଖିବାକୁ ପାଇଛନ୍ତି। ଏହା ପରେ ବିକେଟିସି ସମ୍ପୃକ୍ତ କର୍ମଚାରୀଙ୍କୁ କ୍ୟାସିୟର ପଦରୁ ହଟାଇ ପୂଜା କାଉଣ୍ଟରକୁ ସ୍ଥାନାନ୍ତର କରିଛନ୍ତି। ତେବେ ଏସଆଇଟି ଓ ମନ୍ଦିର କମିଟି ୨୫ ଜୁନରୁ ୨ ଜୁଲାଇ ମଧ୍ୟରେ ହୋଇଥିବା ଦାନଗଣନା ପ୍ରକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଏଥି ମଧ୍ୟରେ ସୂତ୍ରରୁ ମିଳୁଥିବା ସୂଚନାରେ ୨୫ ଜୁନ ଦାନଗଣନାର ସିସିଟିଭି ଫୁଟେଜରେ ଜନୈକ ଶ୍ରଦ୍ଧାଳୁଙ୍କୁ ତାଙ୍କ ପକେଟରେ କିଛି ପୁରାଉଥିବାର ଦେଖାଯାଇଛି। ବିଷ୍ଣୁ ପ୍ରୟାଗ ପ୍ରକଳ୍ପରେ କାର୍ଯ୍ୟରତ ତଥା ମନ୍ଦିର ଦାନଗଣନା ପ୍ରକ୍ରିୟାରେ ନିୟମିତ ଅଂଶଗ୍ରହ କରୁଥିବା ସେହି ବ୍ୟକ୍ତିକୁ ଚିହ୍ନଟ କରାଯାଇଛି।

ଜାରି ତଦନ୍ତରେ ଆହୁରି ଅଧିକାରୀ ଓ କର୍ମଚାରୀ ସାମିଲ ହେବାର ସମ୍ଭାବନା ରହିଛି। ପୂର୍ବ ରିପୋର୍ଟରେ ଯେଉଁଥିରେ ବଦ୍ରିନାଥ ଧାମରେ ୫ଟି ଦାନ ବାକ୍ସ ଥିବା କୁହାଯାଇଥିଲା ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ଏବେ ଜଣାପଡିଛି। ଏଠାରେ ମୋଟ ୨୬ଟି ଦାନ ବାକ୍ସ ରହିଛି। ଏଥିରେ ମୁଖ୍ୟ ଗର୍ଭ ଗୃହରେ ୨ଟି ଥିବା ବେଳେ ମନ୍ଦିର ପରିସର ମଧ୍ୟରେ ୩ ଓ ସିଂହଦ୍ୱାର ସମେତ ଅନ୍ୟ ସ୍ଥାନମାନଙ୍କରେ ମୋଟ ୨୧ଟି ଦାନ ବାକ୍ସ ରହିଛି। ଏହି ସବୁ ଦାନବାକ୍ସ ଗୁଡିକୁ ଏକ ସଙ୍ଗରେ ଖାଲି କରାଯାଏ ଓ ଦୈନିକ ଦାନର ଗଣନା ହୁଏ। ଏହି ଦାନ ଗଣନା ପୂର୍ବରୁ ଦାନବାକ୍ସ ଗୁଡିକୁ ମନ୍ଦିର ଅଧିକାରୀ ଓ ସହାୟକ ମନ୍ଦିର ଅଧିକାରୀଙ୍କ ଉପସ୍ଥିତିରେ ଖୋଲା ଯାଏ।

ବିକେଟିସି ସିଇଓ କହିଛନ୍ତି ଯେ କୋଷାଧ୍ୟକ୍ଷ ସନ୍ଦେସ ମହେଟ୍ଟାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି ଓ ତାଙ୍କୁ ନୋଟିସ୍ ଜାରି କରାଯାଇଛି। ଏହା ଛଡା ଦାନଗଣନା ପ୍ରକ୍ରିୟାକୁ ଅଧିକ ପାରଦର୍ଶି କରିବାକୁ ଗଡୱାଲ କମିଶନର ଦେଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ସୁପାରିଶ ଲାଗୁ କରାଯାଇଛି। ଏହି ସୁପାରିଶ ଅନୁସାରେ ଦାନଗଣନା ସ୍ଥଳର ପୁନର୍ଗଠନ କରାଯିବ। ଏହାର ଅଧା ଅଂଶ କାଚ ଓ ବାକି ଅଂଶରେ ତାର ଜାଲି ଲାଗିବ। ଏଥିରେ ଏକ ଫାଟକ ଲାଗିବ ଓ ସେଠାରେ ସୁରକ୍ଷା କର୍ମୀ ମୁତୟନ ହେବେ।