ନୂଆଦିଲ୍ଲୀ:ଭାରତରେ ଆଧାର କାର୍ଡ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ଭାବେ ବ୍ୟବହୃତ ହେଉଛି। ସାଧାରଣ ଆଧାର କାର୍ଡରେ ୧୨ ଅଙ୍କର ୟୁନିକ୍ ଆଇଡି ନମ୍ବର ସହ ବ୍ୟକ୍ତିଙ୍କ ଜନସାଂଖ୍ୟିକ ଓ ବାୟୋମେଟ୍ରିକ୍ ତଥ୍ୟ ରହିଥାଏ। କିନ୍ତୁ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଦ୍ୱାରା ନୀଳ ରଙ୍ଗର‘ବାଲ୍ ଆଧାର’ଜାରି କରାଯାଏ।

ବାଲ୍ ଆଧାର ଓ ସାଧାରଣ ଆଧାର ମଧ୍ୟରେ ଫରକ

ବାଲ୍ ଆଧାର ଓ ସାଧାରଣ ଆଧାର ମଧ୍ୟରେ ମୁଖ୍ୟ ଫରକ ହେଉଛି ବାୟୋମେଟ୍ରିକ୍ ତଥ୍ୟ। ୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ଆଧାରରେ ୧୦ଟି ଆଙ୍ଗୁଠିର ଫିଙ୍ଗରପ୍ରିଣ୍ଟ୍ ଏବଂ ଆଖିର ଆଇରିସ୍ ସ୍କାନ୍ ରେକର୍ଡ କରାଯାଏ।

ଅନ୍ୟପକ୍ଷରେ, ୫ ବର୍ଷରୁ କମ୍ ଶିଶୁଙ୍କ ଆଙ୍ଗୁଠି ଛାପ ଓ ଆଇରିସ୍ ପ୍ୟାଟର୍ନ୍ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇନଥିବାରୁ ଏହି ବୟସରେ ବାୟୋମେଟ୍ରିକ୍ ତଥ୍ୟ ନିଆଯାଏ ନାହିଁ। ବାଲ୍ ଆଧାରରେ ଶିଶୁର ଫଟୋ ଓ ଜନସାଂଖ୍ୟିକ ତଥ୍ୟ ରହିଥାଏ ଏବଂ ଏହାକୁ ମା’ କିମ୍ବା ବାପାଙ୍କ ଆଧାର ସହ ଲିଙ୍କ୍ କରାଯାଏ।

୫ ବର୍ଷ ପରେ ଆଧାର ଅପଡେଟ୍ ଜରୁରୀ

ଶିଶୁ ୫ ବର୍ଷ ବୟସରେ ପହଞ୍ଚିବା ପରେ ତାଙ୍କ ଆଧାରରେ ବାୟୋମେଟ୍ରିକ୍ ତଥ୍ୟ ଅପଡେଟ୍ କରିବା ଆବଶ୍ୟକ। ଏହି ଅପଡେଟ୍ ନ କଲେ ଆଧାର ନିଷ୍କ୍ରିୟ ହୋଇପାରେ। ବାୟୋମେଟ୍ରିକ୍ ତଥ୍ୟ ରେକର୍ଡ ହେବା ପରେ ଶିଶୁର ବାଲ୍ ଆଧାର ସାଧାରଣ ଆଧାରରେ ପରିଣତ ହୁଏ।

ପୁଣି ଶିଶୁ ୧୫ ବର୍ଷ ବୟସରେ ପହଞ୍ଚିଲେ ବାୟୋମେଟ୍ରିକ୍ ତଥ୍ୟର ଆଉ ଏକ ଅପଡେଟ୍ କରିବାକୁ ପଡ଼େ।

କିପରି କରିବେ ବାଲ୍ ଆଧାର ପାଇଁ ଆବେଦନ?

ଶିଶୁଙ୍କ ବାଲ୍ ଆଧାର କରିବାକୁ ଅଭିଭାବକମାନେ ନିକଟସ୍ଥ ଆଧାର ନାମାଙ୍କନ କେନ୍ଦ୍ରକୁ ଯାଇପାରିବେ କିମ୍ବା UIDAI ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆପଏଣ୍ଟମେଣ୍ଟ ନେଇପାରିବେ।

READ ALSO -ଗଣେଶଙ୍କ ଏହି ଲଡ୍ଡୁକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଗୋଟିଏ ଲଡ୍ଡୁ ପାଇଁ ଲୋକେ ଦେଲେ ଲକ୍ଷ ଲକ୍ଷ ଟଙ୍କା

ଆବେଦନ ସମୟରେ ଶିଶୁର ଜନ୍ମ ପ୍ରମାଣପତ୍ର କିମ୍ବା ହସ୍ପିଟାଲ୍ ଡିସ୍ଚାର୍ଜ ସ୍ଲିପ୍ ସହ ମା’ କିମ୍ବା ବାପାଙ୍କ ମୂଳ ଆଧାର କାର୍ଡ ନେଇଯିବାକୁ ପଡ଼ିବ। ନାମାଙ୍କନ କେନ୍ଦ୍ରରେ ଶିଶୁର ଫଟୋ ନିଆଯିବ ଏବଂ ତଥ୍ୟକୁ ଅଭିଭାବକଙ୍କ ଆଧାର ସହ ଲିଙ୍କ୍ କରାଯିବ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆଧାର କାର୍ଡ ଦିଆଯାଇଥିବା ଠିକଣାକୁ ପଠାଯିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ନାମାଙ୍କନ ସହିତ ୫ ବର୍ଷ ଓ ୧୫ ବର୍ଷ ବୟସରେ ଆବଶ୍ୟକ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ UIDAI ପକ୍ଷରୁ ଶୁଳ୍କ ନିଆଯାଏ ନାହିଁ।