ନୂଆଦିଲ୍ଲୀ: ସାରା ଦୁନିଆ ଆଜି ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ସଲାମ କରୁଛି । ତାଙ୍କ ସାହସିକତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆରମ୍ଭ କରି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସମସ୍ତେ ପ୍ରଶଂସା କରୁଛନ୍ତି । ସ୍ମିତ ମଚ୍ଛାର ନିଜ ଜୀବନକୁ ବାଜି ଲଗାଇ ୧୭୮ ଜଣ ଲୋକଙ୍କ ଉପରେ ଥିବା ମୃତ୍ୟୁର ଛାଇକୁ ଏଡାଇ ନୂଆ ଜୀବନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ଲାଏଦୁବାଇ ବିମାନରେ ଘଟିଥିବା ଘଟଣାରେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଛାରଙ୍କ ସାହସିକତା ଏବଂ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସ୍ମିତଙ୍କ ସାହସ ଦେଶ ପାଇଁ ଗୌରବ ଆଣିଛି ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଛି । ଗୁରୁବାର ନୂଆଦିଲ୍ଲୀର ଭାରତ ମଣ୍ଡପମରେ ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି)ର ୧୦୦ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାର ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ଗୁରୁତର ଆହତ ହେବା ସତ୍ତ୍ୱେ, କ୍ୟାପ୍ଟେନ୍ ସ୍ମିତ ଧୈର୍ଯ୍ୟ ଏବଂ ସାହସ ଦେଖାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଗତକାଲିର ଘଟଣା ସମୟରେ ଭାରତର କ୍ୟାପ୍ଟେନ ସ୍ମିତଙ୍କ ଦ୍ୱାରା ପ୍ରଦର୍ଶିତ ଧୈର୍ଯ୍ୟ, ଉପସ୍ଥିତି ବୁଦ୍ଧି ଏବଂ ସାହସ ପ୍ରଶଂସନୀୟ । ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଜଣେ ଭାରତୀୟ ୯/୧୧ ଭଳି ପରିସ୍ଥିତିକୁ ରୋକିପାରିଥିଲେ । ତାଙ୍କର ସାହସ ଆମକୁ ଗର୍ବରେ ଭରିଦିଏ ।"

ସେ କହିଛନ୍ତି ଯେ ସମଗ୍ର ଦେଶ କ୍ୟାପ୍ଟେନ ସ୍ମିତଙ୍କ ସାହସିକତା ପାଇଁ ଗର୍ବିତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ କ୍ୟାପ୍ଟେନ ସ୍ମିତ ମଛାରଙ୍କ ପରିବାର ସହିତ କଥା ହୋଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସେ କହିଛନ୍ତି, "ଆଜି ମୁଁ ତାଙ୍କ ବାପା ଭୂପେନ୍ଦ୍ରଭାଇ, ମାଆ ଗୀତାବେନ ଏବଂ ପତ୍ନୀ ସୋନାଲବେନଙ୍କ ସହ କଥା ହୋଇଥିଲି । ସ୍ମିତ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଆଜି କେବଳ ସମଗ୍ର ଦେଶ ନୁହେଁ ବରଂ ସମଗ୍ର ବିଶ୍ୱ ତାଙ୍କ ପାଇଁ ଗର୍ବିତ ।"

ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ କ୍ୟାପ୍ଟେନ ସ୍ମିଥଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ନିବେଦନ କରିଛନ୍ତି । ସେ କହିଛନ୍ତି, "ମୁଁ ଦେଶର ସମସ୍ତ ନାଗରିକଙ୍କୁ ସ୍ମିତଙ୍କ ଦୀର୍ଘ ଆୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରୁଛି ।"

Also Read: FlyDubai’ର ସ୍ମିତ୍ ମଚ୍ଛରଙ୍କ ରୋଜଗାର କେତେ ? ଦୁବାଇରେ ପାଇଲଟମାନଙ୍କ ଦରମା ଜାଣିଲେ ହେବେ ଚକିତ !

ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ୱର ୩୦ରେ ଫ୍ଲାଏଦୁବାଇର ବିମାନ FZ1073 ଦୁବାଇରୁ ତେଲ୍ ଅଭିଭ୍ ପାଇଁ ଉଡ଼ାଣ ଭରିଥିଲା । ବିମାନରେ ପ୍ରାୟ ୧୮୦ ଜଣ ଯାତ୍ରା କରୁଥିଲେ । ସବୁକିଛି ସ୍ୱାଭାବିକ ଥିଲା, କିନ୍ତୁ ଉଡାଣ ସମୟରେ କକପିଟରେ ଓମାନ ନାଗରିକ ଥିବା କୋ-ପାଇଲଟ୍ ବିମାନର କ୍ୟାପ୍ଟେନ୍ ଭାରକୀୟ ନାଗରିକ ସ୍ମିତ ମଚ୍ଛାରଙ୍କୁ ଛୁରି ମାରି ରକ୍ତାକ୍ତ କରିଥିଲେ । ଏହାପରେ ବିମାନର ସିଷ୍ଟମକୁ ଖରାପ କରିବାକୁ ଚେଷ୍ଟା କରିଥିଲେ । କିଛି ସମୟ ମଧ୍ୟରେ ବିମାନ ହଜାର ଫୁଟ୍ ତଳକୁ ଖସି ଆସିଲା । ରିପୋର୍ଟ ଅନୁସାରେ ମାତ୍ର ଦୁଇ ମିନିଟରେ ବିମାନ ୧୫ ହଜାର ଫୁଟରୁ ଅଧିକ ତଳକୁ ଖସି ଆସିଥିଲା । ବିମାନରେ ଭୟର ମାହୋଲ ଖେଳିଗଲା ଏବଂ ଯାତ୍ରୀମାନେ ଆତଙ୍କରେ ପାଟି କରିବା ଆରମ୍ଭ କଲେ । କିନ୍ତୁ ଏହା ଭିତରେ ଏମିତି କିଛି ଘଟିଲା, ଯାହା ଶତାଧିକ ଲୋକଙ୍କ ଜୀବନ ବଞ୍ଚାଇ ଦେଲା । ଆକ୍ରମଣ ପରେ ସ୍ମିତ ମଚ୍ଛାର ଗୁରୁତର ହୋଇ ତଳେ ପଡ଼ିଥିଲେ, କିନ୍ତୁ କୌଣସି ପ୍ରକାରେ ସେ ବିମାନର କକପିଟ୍ କବାଟ ଖୋଲିବାରେ ସମର୍ଥ ହୋଇଥିଲେ । ଏହା ପରେ ବିମାନରେ ଥିବା ଯାତ୍ରୀ ଏବଂ ଅନ୍ୟ କ୍ରୁ କକପିଟ୍ ଭିତରେ ପହଞ୍ଚି ଆକ୍ରମଣକାରୀ ଓମାନୀ କୋ-ପାଇଲଟକ କାବୁ କରିବା ସହ ବିମାନକୁ ନିୟନ୍ତ୍ରଣକୁ ଆଣି ସୁରକ୍ଷିତ ଅବତରଣ କରାଇଥିଲେ ।